ଆଉ ୪ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା: ଝୁଲିଲା ଗୋପାଳପୁର ଓ ଛତ୍ରପୁର

ଭୁବନେଶ୍ବର: ଆଜି ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ୪ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସଭାପତି ତଥା କଂଗ୍ରେସ ନେତା ଦେବେନ୍ଦ୍ର ସାହୁଙ୍କୁ ପ୍ରାର୍ଥୀ କରାଯାଇଛି। ଭୁବନେଶ୍ବର ଅନ୍ତର୍ଗତ ୨ଟି ଆସନ ଓ ସତ୍ୟବାଦୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ଏଆଇସିସି ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି। ଏହାକୁ ମିଶାଇ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ୧୨୬ଟି ବିଧାନସଭା ଓ ୧୭ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି।

ପୁରୀ ଜିଲ୍ଳା ସତ୍ୟବାଦୀ ଆସନରୁ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରାର୍ଥୀ ହେବେ କି ନାହିଁ ତାହା ଉପରେ ଚର୍ଚ୍ଚା ଲାଗି ରହିଥିଲା। ଶ୍ରୀ ହରିଚନ୍ଦନ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିବାରୁ ତାଙ୍କ ବଦଳରେ ମନୋଜ ରଥଙ୍କୁ ଦଳ ପ୍ରାର୍ଥୀ କରିଛି। ଏହାସହ ଭୁବନେଶ୍ବର ମଧ୍ୟ ଆସନରୁ ପ୍ରକାଶ ଚନ୍ଦ୍ର ଜେନାଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେପିର ଜଗନ୍ନାଥ ପ୍ରଧାନ ଓ ବିଜେଡିର ଅନନ୍ତ ନାରାୟଣ ଜେନାଙ୍କ ସହ ସେ ପ୍ରତିଦ୍ବନ୍ଦ୍ବିତା କରିବେ। ପୂର୍ବରୁ ସେ କଂ‌ଗ୍ରେସ ଟିକେଟ୍‌ରେ କର୍ପୋରେଟର ନିର୍ବାଚନ ଲଢ଼ିଥିଲେ। ସେହିପରି ଭୁବନେଶ୍ବର ଉତ୍ତରରୁ ପ୍ରାର୍ଥୀ ହୋଇଛନ୍ତି ‌ଅଶୋକ ଦାସ। ଶ୍ରୀ ଦାସଙ୍କ ପତ୍ନୀ ଗୀତାଞ୍ଜଳି ମହାନ୍ତି ଭୁବନେଶ୍ବର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ରହିଛନ୍ତି। ତେଣୁ ‌ଭୁବନେଶ୍ବର ଉତ୍ତରରେ ମଧ୍ୟ ଦଳ କଡ଼ା ଲଢ଼େଇ କରିବା ପାଇଁ ଲକ୍ଷ୍ୟ ରଖିଛି।
ଉଲ୍ଲେଖଥାଉକି, ଓଡ଼ିଶାର ପ୍ରଥମ ପର୍ଯ୍ୟାୟରେ ଯେଉଁ ଲୋକସଭା କ୍ଷେତ୍ରରେ ନିର୍ବାଚନ ହେବ, ତହିଁରୁ କିଛି ଆସନରେ ଏବେ ବି କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ। ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନ ଛତ୍ରପୁର ଓ ଗୋପାଳପୁର ଏବେ ବି ଝୁଲି ରହିଛି। ସେହିପରି ୨୧ ଲୋକସଭା ଆସନରୁ ଦଳ ମୟୂରଭଞ୍ଜ, ସମ୍ବଲପୁର, କଟକ ଓ ଆସ୍କା ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ବର୍ତ୍ତମାନ ସୁଦ୍ଧା କଂଗ୍ରେସ ୨ଟି ଆସନ ଇଣ୍ଡି-ମେଣ୍ଟ ସହଯୋଗୀ ଦଳ ସିପିଆଇଏମ୍‌ ଓ ଜେଏମ୍‌ଏମ୍‌କୁ ଛାଡ଼ି ଦେଇଛି।

ନିର୍ବାଚନ ରାଜନୀତିରୁ ଦୂରେଇ ଗଲେ ପ୍ରସାଦ, ମନୋଜ ରଥଙ୍କୁ ସତ୍ୟବାଦୀ ଟିକେଟ

ପୁରୀ: ରାଜ୍ୟ ରାଜ୍ୟନୀତିର ପୁରୁଣା ଖେଳୁଆଡ୍‌ ତଥା କଂଗ୍ରେସର ଆଗଧାଡ଼ିର ନେତା ପ୍ରସାଦ ହରିଚନ୍ଦନ ଶେଷରେ ନିର୍ବାଚନ ରାଜନୀତିଠାରୁ ଦୂରେଇ ରହିବାକୁ ଶ୍ରେୟ ମଣିଛନ୍ତି। ନା ସେ ପୁରୀ ଲୋକସଭା ଆସନରୁ ଲଢ଼ିବାକୁ ଆଗ୍ରହ ଦେଖାଇଛନ୍ତି ନା ନିଜ ନିର୍ବାଚନମଣ୍ଡଳୀ ସତ୍ୟବାଦୀରୁ। ଶେଷରେ ତିନି ଦଶନ୍ଧି ପରେ କଂଗ୍ରେସ ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ବଦଳାଇବାକୁ ବାଧ୍ୟହୋଇଛି। ଦିନକ ତଳେ ବିଜେପି ଛାଡ଼ି କଂଗ୍ରେସରେ ମିଶିଥିବା ଆଇଏମ୍‌ଟି ଫାର୍ମାସୀ କଲେଜର ମାଲିକ ମନୋଜ ରଥଙ୍କୁ ଦଳ ସତ୍ୟବାଦୀ ଟିକେଟ୍‌ ଦେଇଛି। ପୂର୍ବରୁ ମନୋଜ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୁଖପାତ୍ର ଥିଲେ। କୌଣସି କାରଣରୁ ଶଙ୍କରାଚାର୍ଯ୍ୟଙ୍କଠାରୁ ଦୂରେଇ ଯିବାପରେ ଉତ୍କଳ ବିଦ୍ବତ୍‌ ପରିଷଦ ନାଁରେ ସଂଗଠନ ଗଢ଼ି ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ଦିଗରେ କାମ କରି ଆସୁଛନ୍ତି। କଂଗ୍ରେସ ଗଡ଼ ଭାବେ ପରିଚିତ ସତ୍ୟବାଦୀରେ ସ୍ବାଧୀନତା ପରେ ୧୯୫୧ ପରଠାରୁ ୧୪ ଥର ନିର୍ବାଚନ ହୋଇଛି, ଯେଉଁଥିରୁ କଂଗ୍ରେସ ୮ଥର ବିଧାୟକ ପଦ ଦଖଲ କରିଛି।

କଂଗ୍ରେସର ପୂର୍ବତନ ବିଧାୟକ ରବୀନ୍ଦ୍ର କୁମାର ଦାସଙ୍କ ପରେ ପ୍ରସାଦ ହରିଚନ୍ଦନ ସତ୍ୟବାଦୀରେ କଂଗ୍ରେସ ମଙ୍ଗ ଧରିଥିଲେ। ୧୯୯୫ ଓ ୨୦୦୦ ସାଧାରଣ ନିର୍ବାଚନରେ ସେ କଂଗ୍ରେସ ବିଧାୟକ ଥିଲେ। ୨୦୦୪ରେ ସ୍ବାଧୀନ ପ୍ରାର୍ଥୀ ରମାରଂଜନ ବଳିୟାର ସିଂହ ବିଧାୟକ ହେବାପରେ ୨୦୦୯ରେ ପୁଣି ପ୍ରସାଦଙ୍କ ଲେଉଟାଣି ହୋଇଥିଲା। ସେ ପିସିସି ସଭାପତିଠାରୁ ଆରମ୍ଭ କରି ଅନ୍ୟ ବଡ଼ ପଦପଦବିରେ ରହିଛନ୍ତି। କିନ୍ତୁ ୨୦୧୪ ପରଠାରୁ ସତ୍ୟବାଦୀରେ କଂଗ୍ରେସର ଅଧୋପତନ ଆରମ୍ଭ ହୋଇଛି ଏବଂ ଦଳ ଆଉ ଅଣ୍ଟା ସଳଖି ପାରିନାହିଁ। ୨୦୧୪ ପରଠାରୁ ଉମାକାନ୍ତ ସାମନ୍ତରାୟ(ପ୍ରଥମେ ସ୍ବାଧୀନ ଓ ପରେ ବିଜେଡି) ବିଧାୟକ ହୋଇଆସୁଛନ୍ତି। ଅପରପେକ୍ଷ ପ୍ରସାଦ ସେଭଳି ଦଳର କୌଣସି ବଡ଼ ପଦପଦବିରେ ନ ଥିଲେ ବି ନିକଟରେ ଦଳ ତାଙ୍କୁ ନିର୍ବାଚନ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରିଛି।

ସମ୍ବନ୍ଧିତ ଖବର