ଜୀବିତ ବୃଦ୍ଧାଙ୍କୁ ମୃତ ଘୋଷଣା! ୧୪ ମାସ ହେଲା ଭତ୍ତା ବନ୍ଦ

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ସାନମହେଶ୍ବର ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଦେଖାଦେଇଛି। ଜଣେ ଜୀବିତ ବିଧବା ବୃଦ୍ଧାଙ୍କୁ ମୃତ ଘୋଷଣା କରିବା ସହ ୧୪ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ବନ୍ଦ କରି ଦିଆଯାଇଥିବାରୁ ବୃଦ୍ଧା ଜଣକ ବହୁ ଦୁଃଖ ଭୋଗୁଥିବା ପ୍ରକାଶ କରିଛନ୍ତି।

ସୂଚନା ଅନୁସ‌ାରେ , ସାନମହେଶ୍ୱର ପଞ୍ଚାୟତ ଘରଧରା ଗ୍ରାମର ମାଳତୀ ଶବର (୭୭ବର୍ଷ)। ସ୍ୱାମୀ ରବି ଶବରଙ୍କ ୨୩ ବର୍ଷ ପୂର୍ବରୁ ମୃତ୍ୟୁ ହୋଇ ସାରିଥିବା ବେଳେ ମାଳତୀଙ୍କୁ ଗତ ୨୨ ବର୍ଷ ହେଲା କ୍ରମାଗତ ଭାବେ ବିଧବା ଭତ୍ତା ମିଳି ଆସୁଥିଲା। ହେଲେ ୨୨.୯.୨୦୨୧ରେ ଶେଷଥର ପାଇଁ ୫୦୦ ଟଙ୍କା ଭତ୍ତା ପାଇଥିଲେ। ପରେ ଆଉ ମିଳିନଥିବାରୁ ଭତ୍ତା ପାଇଁ ପଞ୍ଚାୟତର ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ କୁନ୍ତି ସତନାମୀଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ସତନାମୀ ବୃଦ୍ଧା ମାଳତୀ ଶବରଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ କରିବା ସହ ତାଙ୍କ ଭତ୍ତା ବନ୍ଦ ହୋଇଥିବା କହିଥିଲେ। ସେହି ଦିନଠାରୁ ବୃଦ୍ଧାଙ୍କ ଭତ୍ତା ୧୪ ମାସ ହେଲା ବନ୍ଦ ରହିଛି।

ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଜୀବିତ ବୃଦ୍ଧାଙ୍କୁ ମୃତ ଦର୍ଶାଇ ୧୪ ମାସ ହେଲା ଭତ୍ତା ବନ୍ଦ କରିଥିବା ଘଟଣାର ତଦନ୍ତ କରାଯାଇ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର