ଗରିବଙ୍କ ପ୍ରସଙ୍ଗ ଉଠାଇବାରୁ ମିଡିଆ ମୋର ବିରୋଧୀ ହେଲା: ରାହୁଲ

ନୂଆଦିଲ୍ଲୀ : ଭାରତ ଯୋଡ଼ୋ ଯାତ୍ରାରେ ଥିବା ରାହୁଲ ଗାନ୍ଧି ରବିବାର ଦିନ ଟ୍ବିଟ୍‌ କରି କହିଛନ୍ତି ଯେ ସେ ଗରିବଙ୍କ ବିସ୍ଥାପନ ପ୍ରସଙ୍ଗ ଏବଂ ଜମି ଅଧିଗ୍ରହଣ କଥା ଉଠାଇବାକୁ ଗଣମାଧ୍ୟମ ତାଙ୍କର ବିରୋଧୀ ହୋଇଗଲା। ରହୁଲ କହିଛନ୍ତି, ଯେତେବେଳେ ସେ ଯୋଗ ଦେଇଥିଲେ, ସେତେବେଳେ ଅତି କମରେ ୫-୬ ବର୍ଷ ପର୍ଯ୍ୟନ୍ତ ଗଣମାଧ୍ୟମ ତାଙ୍କର ପ୍ରଶଂସା ଜାରି ରଖିଥିଲା। କିନ୍ତୁ ପରେ ସବୁ ବଦଳି ଯାଇଥିଲା ବୋଲି ରାହୁଲ ରବିବାର ଦିନ ଏକ ଭିଡିଓ ଜାରି କରି କହିଛନ୍ତି।

‘ଯେତେବେଳେ ମୁଁ ରାଜନୀତିରେ ଯୋଗଥିଲି, ଦେଶର ସମସ୍ତ ଗଣମାଧ୍ୟମ ୨୦୦୮-୨୦୦୯ ପର୍ଯ୍ୟନ୍ତ ୨୪ ଘଣ୍ଟା ମୋ ପାଇଁ ‘ୱାଃ, ୱାଃ’ କରୁଥିଲେ। ମନେ ଅଛି? ତା’ପରେ ମୁଁ ଦୁଇଟି ପ୍ରସଙ୍ଗ ଉଠାଇଥିଲି ଏବଂ ସବୁକିଛି ବଦଳି ଯାଇଥିଲା। ଏହି ଦୁଇଟି ପ୍ରସଙ୍ଗ ହେଲା ଗୋଟିଏ ନିୟମଗିରି ଏବଂ ଦ୍ୱିତୀୟଟି ଥିଲା ଭଟ୍ଟା ପରସୌଲ। ମୁଁ ଭୂମି ଅଧିଗ୍ରହଣ ନେଇ ପ୍ରଶ୍ନ ଉଠାଇବା ସହ ଦେଶର ଗରିବ ଲୋକଙ୍କ ଅଧିକାର କଥା କହିବା ଆରମ୍ଭ କରିବା ମାତ୍ରେ ସମଗ୍ର ଗଣମାଧ୍ୟମ ମୋ ବିରୋଧୀ ହୋଇଯାଇଥିଲା।’ ମାର ଛବି ଖରାପ କରିବା ପାଇଁ ବିଜେପି ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ରାହୁଲ କହିଛନ୍ତି। ‘ସେମାନେ ମତେ ବ୍ୟକ୍ତିଗତ ଭାବେ ଟାର୍ଗେଟ୍‌ କରୁଛନ୍ତି ଏବଂ ଏଥିରୁ ମୁଁ ଜାଣିପାରୁଛି ଯେ ମୁଁ ଠିକ୍‌ ରାସ୍ତାରେ ଯାଉଛି । ଏହା ମତେ ଅଧିକ ଶକ୍ତି ପ୍ରଦାନ କରୁଛି’ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର