‘ନୋଟା’କୁ ସର୍ବାଧିକ ଭୋଟ ମିଳିଲେ କଣ ହେବ ? ନିର୍ବାଚନ କମିସନଙ୍କୁ ପଚାରିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିସନଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି ସୁପ୍ରିମକୋର୍ଟ । ଯଦି ଗୋଟିଏ ଆସନରେ ଅଧିକାଂଶ ଭୋଟର ନୋଟାର ବିକଳ୍ପ ବାଛିଲେ ତାହାହେଲେ ଫଳାଫଳ କଣ ହେବ ? ନିର୍ବାଚନ ରଦ୍ଦ ହେବ କି ? କୋର୍ଟ କହିଛନ୍ତି ଯେ ଯଦି ନୋଟାକୁ କୌଣସି ଆସନରେ ସର୍ବାଧିକ ଭୋଟ ମିଳିଥାଏ ତେବେ ଏଭଳି ପରିସ୍ଥିତିରେ ନିର୍ବାଚନ କମିଶନଙ୍କ ଗାଇଡଲାଇନ କ’ଣ? ନୋଟା ସମ୍ବନ୍ଧୀୟ ଏକ ଆବେଦନର ଶୁଣାଣି ଶୁକ୍ରବାର ସୁପ୍ରିମକୋର୍ଟରେ ହୋଇଥିଲା।

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି ଦାବି କରିଛନ୍ତି ଯେ ଯଦି କୌଣସି ଲୋକସଭା କିମ୍ବା ବିଧାନସଭା ଆସନରେ ଅଧିକରୁ ଅଧିକ ଲୋକ ନୋଟା ବିକଳ୍ପ ଚୟନ କରନ୍ତି, ତେବେ ସେହି ନିର୍ବାଚନକୁ ଅବୈଧ ଘୋଷଣା କରାଯାଉ। ପ୍ରଖ୍ୟାତ ମୋଟିଭେସନାଲ୍ ସ୍ପିକର ଶିବ ଖେରା ଏହି ପିଟିସନ୍ ଦାଖଲ କରିଥିଲେ। ଶୁଣାଣି ସମୟରେ ପ୍ରଧାନ ବିଚାରପତି ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରି ଏ ସଂକ୍ରାନ୍ତରେ ଗାଇଡଲାଇନ ମାଗିଥିଲେ। ନୋଟା ନିୟମକୁ ଯାଞ୍ଚ କରିବାକୁ ସୁପ୍ରିମକୋର୍ଟ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ଶିବ ଖେରାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣ ସୁରତ ଲୋକସଭା ଆସନର ଉଦାହରଣ ଦେଇ କହିଛନ୍ତି ଯେ କେବଳ ଜଣେ ପ୍ରାର୍ଥୀଙ୍କ ଉପସ୍ଥିତି ଯୋଗୁଁ କୌଣସି ନିର୍ବାଚନ ହେଲାନାହିଁ। ଯଦି ଅନ୍ୟ କୌଣସି ପ୍ରାର୍ଥୀ କୌଣସି ପ୍ରାର୍ଥୀଙ୍କୁ ବିରୋଧ କରନ୍ତି ନାହିଁ କିମ୍ବା ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରନ୍ତି ନାହିଁ, ତଥାପି ନୋଟା ବିକଳ୍ପ ଥିବାରୁ ମତଦାନ ହେବା ଜରୁରୀ । ଯଦି କୌଣସି ପ୍ରାର୍ଥୀ ନୋଟାଠାରୁ କମ୍ ଭୋଟ ପାଆନ୍ତି, ତେବେ ତାଙ୍କୁ ଅତି କମରେ ୫ ବର୍ଷ ପାଇଁ ନିର୍ବାଚନ ଲଢ଼ିବାକୁ ବାରଣ କରାଯାଉ ବୋଲି ଆବେଦନରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର