ଶ୍ରୀମନ୍ଦିରରେ ପୁଣି ବଡ଼ ମହାସ୍ନାନ

ଭିତର କାଠରେ ରକ୍ତ, ସପ୍ତାହରେ ତିନିଥର ଘଟିଲାଣି ଅଘଟଣ

ପୁରୀ : ଶ୍ରୀମନ୍ଦିରରେ ଗୁରୁବାର ଦିନ ପୁଣି ବଡ଼ ମହାସ୍ନାନ ହୋଇଛି। ଭିତର କାଠରେ ରକ୍ତ ପଡ଼ିଥିବା ଜଣାପଡ଼ିବା ପରେ ଏହି ମହାସ୍ନାନ କରାଯାଇଛି। ଯେଉଁଥିପାଇଁ ନୀତିକାନ୍ତି ବିଳମ୍ବ ହେବା ସହ ଦର୍ଶନ ପ୍ରାୟ ଦୁଇ ଘଣ୍ଟା ବନ୍ଦ ରହିଛି। ସକାଳୁ ମଙ୍ଗଳ ଆଳତି ପରେ ପରେ ଏହି ଅଘଟଣ ଘଟିଥିବାରୁ ଭକ୍ତ ବି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେପଟେ ଚଳିତ ସପ୍ତାହରେ ତିନିଥର ରକ୍ତ ପଡ଼ି ଏପରି ମହାସ୍ନାନ ହୋଇଥିବାରୁ ଭକ୍ତ ମହଲରେ ବି ଭିନ୍ନ ଆଲୋଚନା ଜୋର୍‌ ଧରିଲାଣି।

ଗୁରୁବାର ସକାଳେ ୫ଟା ୧୦ରେ ଦ୍ୱାରଫିଟା ପରେ ଭିତରଶୋଧ, ମଙ୍ଗଳ ଆଳତି ଆଦି ନୀତି ବଢ଼ିଥିଲା। ପରେ ଦର୍ଶନ ଆରମ୍ଭ ହୋଇଥିଲା। ସକାଳ ୬ଟା ୪୫ରେ ତଡ଼ପଲାଗି ପରେ ଅବକାଶ ପୂଜା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଭିତର କାଠରେ ରକ୍ତ ପଡ଼ିଥିବା ଜଣାପଡ଼ିଥିଲା। ପୂଜା ମାରା ହେବାରୁ ଦର୍ଶନ ବନ୍ଦ କରି ପରେ ଚୁନ ପାଣି ପଡ଼ି ମହାସ୍ନାନ ନୀତି କରାଯାଇଥିଲା। ମହାସ୍ନାନ ସରିବା ପରେ ସକାଳ ୮ଟା ୧୦ରେ ଅବକାଶ ପୂଜା ଆରମ୍ଭ ହେବା ସହ ଦର୍ଶନ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର