କଟକିଆ ସାମଗ୍ରୀ ପାଇଁ ୮୦ଟି ଷ୍ଟଲ, ଖୋଲିବ ତିନୋଟି ତିମାକ୍‌ ଷ୍ଟଲ, ଯୋଗଦେବେ ଜାତୀୟସ୍ତରର ଚିତ୍ରକର

କଟକ: ଓରମାସ୍ ପକ୍ଷରୁ ବାଲିଯାତ୍ରାରେ ସ୍ଵତନ୍ତ୍ର ଭାବେ ‘କଟକିଆ’ ସାମଗ୍ରୀକୁ ପ୍ରୋତ୍ସାହିତ କରିବାର ଯୋଜନା କରାଯାଇଛି। ଚଳିତବର୍ଷ ଓରମାସ୍ ୪୨୦ଟି ଷ୍ଟଲ ପ୍ରସ୍ତୁତ କରିବାକୁ ଥିବା ବେଳେ କଟକିଆ ସାମଗ୍ରୀ ପାଇଁ ସ୍ବତନ୍ତ୍ର ଭାବେ ୮୦ଟି ଷ୍ଟଲ ରହିବ। ସେଥିରେ କଟକର ତାରକସି କାମ, ମାଣିଆବନ୍ଧ ହ୍ୟାଣ୍ଡଲୁମ, ଆଖୁ ଓ ବାଉଁଶ କାରିଗରୀ ଭଳି ବିଭିନ୍ନ ସାମଗ୍ରୀ ରହିବ। କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରୁ ଡାଲି, ମସଲା, ଧୂପକାଠୀ, ବଡ଼ମ୍ବା ଅଞ୍ଚଳରୁ ଆଦିବାସୀଙ୍କ ଗହଣା, ହସ୍ତତନ୍ତ ସାମଗ୍ରୀ, ଖାଦ୍ୟ ଓ ମସଲା, ଆଖୁ ଓ ବାଉଁଶକାରିଗରୀ ସମାଗ୍ରୀ, ତିଗିରିଆ ଅଞ୍ଚଳରୁ ହସ୍ତତନ୍ତ ସାମଗ୍ରୀ, ଡାଲି ଓ ମସଲା, ଆଠଗଡ଼ ଅଞ୍ଚଳରୁ ଆଚାର, ଆଖୁ ଓ ବାଉଁଶକାରିଗରୀ ସାମଗ୍ରୀ, ଡମପଡ଼ା ଅଞ୍ଚଳରୁ ଟେରାକୋଟା, ଆଖୁ ଓ ବାଉଁଶ କାରିଗରୀ ସାମଗ୍ରୀ, ବାଙ୍କୀ ଅଞ୍ଚଳରୁ ପଟ୍ଟଚିତ୍ର, ସାଲେପୁର ଅଞ୍ଚଳରୁ ତାରକସି କାମ ଇତ୍ୟାଦି ଏହି ଷ୍ଟଲ୍‌ରେ ରହିବ।

ଏଥର ନୂଆକରି ତିନୋଟି ତିମାଟିକ୍ ଷ୍ଟଲ ଖୋଲା ଯିବ ଯେଉଁଥିରେ ପ୍ରଥମ ଷ୍ଟଲ ଓରମାସ ଓ ଟାଟା ଟ୍ରଷ୍ଟର ମିଳିତ ଉଦ୍ୟମରେ ଭିନ୍ନ ଡିଜାଇନର ହ୍ୟାଣ୍ଡଲୁମର ସାମଗ୍ରୀ ରହିବ। ସେହିପରି ଦ୍ଵିତୀୟ ଷ୍ଟଲ୍‌ ଜାତୀୟସ୍ତରର ଚିତ୍ରକର ଏକାଦଶୀ ବେହେରାଙ୍କ ସ୍ଵତନ୍ତ୍ର ଡ଼ିଜାଇନ ଦ୍ଵାରା ପ୍ରସ୍ତୁତ ବାଉଁଶକାରିଗରୀ ସାମଗ୍ରୀ ରହିବ। ସେହିପରି ତୃତୀୟ ଷ୍ଟଲରେ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ସଚେତନତା ପାଇଁ ରହିଛି। କଟକର ସସମ୍ପ ସାମଗ୍ରୀ ଯେପରି ସମସ୍ତ ଅଞ୍ଚଳରେ ପହଞ୍ଚି ପାରିବ ତାହାକୁ ନଜରରେ ପ୍ରଥମ ଥର ଓରମାସ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି। ବାଲିଯାତ୍ରାରେ ଲୋକେ ଯେପରି କଟକିଆ ସାମଗ୍ରୀ ପ୍ରତି ଆକୃଷ୍ଟ ହେବେ ସେ ନେଇ ପ୍ରଚାର ପ୍ରସାର କରାଯିବ ବୋଲି ସୂଚନା ଦେଇଛନ୍ତି ଓରମାସର ଯୁଗ୍ମ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ରାଉତ।

ସମ୍ବନ୍ଧିତ ଖବର