ପାଲିଙ୍କିରେ ଯାଇଥାନ୍ତା, କୋକେଇରେ ପଠାଇଲୁ; ପୋର୍ସ କାର୍ ଦୁର୍ଘଟଣାରେ ଝିଅର ଜୀବନ ଯିବାରୁ ଏଭଳି କହିଲେ ପରିବାର

ପୁଣେ: କିଛି ଦିନ ତଳେ ୨ଜଣ ଇଞ୍ଜିନିୟର(ଜଣେ ମହିଳା ଓ ଜଣେ ପୁରୁଷ) ସାଙ୍ଗମାନଙ୍କୁ ଦେଖା କରି ଘରକୁ ଫେରୁଥିବା ବେଳେ ଏକ ପୋର୍ସ କାର୍ ତାଙ୍କୁ ଧକ୍କା ଦେଇଥିଲା। ଏହା ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକମାନେ ଥିଲେ ଅନୀଷ ଅୱଧୀୟ ଓ ଅଶ୍ବିନୀ କୋଶଟା। ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ ନାବାଳକ ଥିବାରୁ ତାକୁ ଜାମିନ୍ ଦିଆଯାଇ ତା’ର ବାପାକୁ ଗିରଫ କରିଥିଲା ପୁଲିସ। ହେଲେ ନାବାଳକର ଜାମିନକୁ ବିରୋଧ କରାଯିବାରୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ଅଭିଯୁକ୍ତର ଜାମିନ ରଦ୍ଦ କରିଛନ୍ତି। ଏହା ସହିତ ଜୁଭେନାଇଲ ଜଷ୍ଟିସ ବୋର୍ଡ ଅଭିଯୁକ୍ତକୁ ଜୁନ୍‌ ୫ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି।

ଏମଧ୍ୟରେ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ୨ମୃତକଙ୍କ ପରିବାର ଦାବି କରିଛନ୍ତି। ଅଶ୍ବିନୀ କୋଶଟାଙ୍କ ମା’ କାନ୍ଦି କାନ୍ଦି କହିଛନ୍ତି ଯେ, “ଆମେ ଅଶ୍ୱିନୀଙ୍କ ପାଇଁ ନ୍ୟାୟ ଚାହୁଁଛୁ। ନାବାଳକ ଏବଂ ତାଙ୍କ ପିତାମାତାଙ୍କୁ କଠୋର ଦଣ୍ଡ ମିଳିବା ଉଚିତ। ସେମାନେ ତାଙ୍କୁ ଠିକ୍ ଭାବରେ ପାଳି ନାହାଁନ୍ତି। ସେମାନେ ତାଙ୍କୁ କାର ଦେଇ ନଥିଲେ ଆଜି ଏ ଦୁର୍ଘଟଣା ଘଟିନଥାନ୍ତା। ଝିଅକୁ ଆମେ ପାଲିଙ୍କିରେ ପଠାଇଥାନ୍ତୁ। ହେଲେ ଆଜି ତାକୁ ଆମେ କୋକେଇରେ ମଶାଣି ନେଲୁ। ଦଣ୍ଡ ନଦେଇ କୋର୍ଟ ଅଭିଯୁକ୍ତକୁ ରଚନା ଲେଖିବାକୁ କହିଥିଲା। କି ରଚନା ସେ ଲେଖିଥାନ୍ତେ? ଏଭଳି ପିଲାଙ୍କୁ ଉଚିତ୍ ଦଣ୍ଡ ମିଳିବା ଉଚିତ୍। ଉଭୟ ବାପା ଓ ପୁଅକୁ ଦଣ୍ଡ ମିଳିଲେ ଯାଇ ସେମାନେ ବାଟକୁ ଆସିବେ। ଟଙ୍କା ଅଛି ବୋଲି ଘଟଣାକୁ ଚପାଇବାକୁ ଚେଷ୍ଟା କରାଯାଉଥିଲା। ହେଲେ ଏବେ ଖବରଟି ଚର୍ଚ୍ଚାକୁ ଆସିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।”

ସମ୍ବନ୍ଧିତ ଖବର