ସୀମାରେ ପୁଣି ଗୁଳିବିନିମୟ: ଜଣେ ନକ୍ସଲ ନିପାତ, ୨ ଆହତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର, ବିଜାପୁର ଏବଂ ଦନ୍ତେୱାଡା ସୀମାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଚାଲିଛି। ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ଜଣେ ନିକ୍ସଲ ନିପାତ ହୋଇଛି। ଅନ୍ୟ ୨ ଜଣ ନକ୍ସଲ ଆହତ ହୋଇଥିବା ଜଣାପଡ଼ିଛି।

ନାରାୟଣପୁର ଏସପି ପ୍ରଭାତ କୁମାରଙ୍କ କହିବା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ତିନି ଜିଲ୍ଲାର ସୀମାରେ ନକ୍ସଲ ଏକ ବଡ଼ଧରଣର ବୈଠକ କରୁଛନ୍ତି। ତୁରନ୍ତ ଜିଲ୍ଲା ପୁଲିସ, ଡିଆରଜି ଏବଂ ସିଆରପିଏଫ ଯବାନ ଜଂଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆଜି ସକାଳୁ ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଚାଲିଥିଲା।ଦିନ ଗୋଟାଏ ପର୍ଯ୍ୟନ୍ତ ରହି ରହି ଗୁଳି ଶଦ୍ଦ ଶୁଭୁଥିଲା। ପରେ ଯବାନ ସର୍ଚ୍ଚ ଅପରେସନରେ ଜଣେ ନକ୍ସଲର ମୃତଦେହ ଉଦ୍ଧାର କରିଥିଲେ। ଦୁଇ ଜଣ ନକ୍ସଲକୁ ଗୁଳି ବାଜିଥିବାରୁ ସେମାନେ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ଜଂଗଲରେ ଯବାନ ଏହି ଦୁଇ ଆହତ ନକ୍ସଲକୁ ଗିରଫ କରିବା ପାଇଁ ଜାଲ ବିଛାଇଛନ୍ତି। କିନ୍ତୁ ଅନ୍ୟଦିଗରେ ନକ୍ସଲମାନେ ଦୁଇ ଆହତ ନକ୍ସଲକୁ ସାଂଗରେ ନେବାକୁ ଯବାନଙ୍କ ଉପରେ ରହି ରହି ଗୁଳି ବର୍ଷଣ କରୁଛନ୍ତି।

ଏହି ଗୁଳିବିନିମୟରେ ନକ୍ସଲ ଅତ୍ୟାଧୁନିକ ବନ୍ଧୁକରେ ଗୁଳି କରୁଥିବା ଯବାନ ଜାଣିବାକୁ ପାଇଥିଲେ। ଧୀରେଧୀରେ ନକ୍ସଲ ସଂଗଠନରେ ନକ୍ସଲ ହାତ ଛାଡ଼ିବା ଏବଂ ଯବାନଙ୍କର ଘନଘନ ଚଢ଼ାଉରେ ଦୁର୍ବଳ ହେବାକୁ ଲାଗିଛି ବୋଲି ପୁଲିସ କହିଛି। ନକ୍ସଲଙ୍କର ସମସ୍ତ ଗତିବିଧି ଉପରେ ପୁଲିସ ନଜର ରଖିଥିବା କହିଛି। ଯବାନ ଫେରିବା ପରେ ହିଁ ଗୁଳିବିନିମୟର ସମସ୍ତ ବିବରଣୀ ପ୍ରଦାନ କରାଯିବ ବୋଲି ଏସପି ପ୍ରଭାତ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର