ଭଙ୍ଗାହେଲା ବାହାନଗା ହାଇସ୍କୁଲ୍‌

ବାଲେଶ୍ବର : ବାହାନଗା ରେଳ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲ ତଥା ଏହାର ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରୀ ସ୍କୁଲ୍‌କୁ ଭଙ୍ଗା‌ଯାଇ ସମ୍ପୂର୍ଣ୍ଣ ନବୀକରଣ କରାଯିବ। ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଏହି ସ୍କୁଲ୍‌କୁ ଏକ ମଡେଲ ସ୍କୁଲ୍‌ ଭାବରେ ଗଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରେଳ ଦୁର୍ଘଟଣା ପରେ ଶବ ରହିଥିବା କୋଠରି ସମେତ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏ ଥିବା ପୁରୁଣା ଶ୍ରେଣୀଗୃହକୁ ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ଭଙ୍ଗାଯାଇଛି।

୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ନବୀକରଣ କରାଯିବ: ମୁଖ୍ୟମନ୍ତ୍ରୀ
ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ କଥା ହେଲେ ପାଣ୍ଡିଆନ
୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ୫-ଟି ସଚିବ ଭିକେ ପାଣ୍ଡିଆନ, ସ୍କୁଲ ଗଣଶିକ୍ଷା ସଚିବ ଏସ୍ ଅଶ୍ୱସ୍ତି ଆଜି ଆଭାସି
ମାଧ୍ୟମରେ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ବାହାନଗା ହାଇସ୍କୁଲ୍‌ ପରିଚାଳନା ସମିତିର ସଦସ୍ୟବୃନ୍ଦ, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରସଂସଦ କର୍ମକର୍ତ୍ତା ଓ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ସ୍କୁଲ୍‌ର ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ବେହେରା ଓ ଷଷ୍ଠ ଶ୍ରେଣୀ ଛାତ୍ର ସୁମନ ସାହୁ ସ୍କୁଲ୍‌ର ବିକାଶ ବିଷୟରେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ମତ ବିନିମୟ କରିବା ସହ ସ୍କୁଲ୍‌ର ବିକାଶ ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ। ପିଲାମାନଙ୍କର ମତାମତ ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍କୁଲ୍‌ର ବିକାଶ ଯଥା କଂକ୍ରିଟ୍‌ ଛାତ, ଶ୍ରେଣୀଗୃହ, ଖେଳପଡ଼ିଆ, ପାଚେରି ଆଦିର ବିକାଶ ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ସଂକ୍ରାନ୍ତରେ ୧୫ ଦିନ ମଧ୍ୟରେ ଯୋଜନା ପ୍ରସ୍ତୃତ କରି ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଆସିଛି।

ଜୁନ୍ ୨ ତାରିଖ ଶୁକ୍ରବାର ସଂଧ୍ୟାରେ ବାହନଗା ବଜାର ରେଳ ଷ୍ଟେସନ୍‌ଠାରେ ସଂଘଟିତ ଭୟାବହ ରେଳ ଦୁର୍ଘଟଣା ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଉଦ୍ଧାର ଓ ସେବା କାର୍ଯ୍ୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ତେଣୁ ଏହି ମହତ୍‌ କାର୍ଯ୍ୟରେ ସେମାନଙ୍କ ଯୋଗଦାନକୁ ଉତ୍ସାହିତ କରିବା ପାଇଁ ସେ ଅଞ୍ଚଳର ଉକ୍ତ ପ୍ରମୁଖ ଶିକ୍ଷା ଅନୁଷ୍ଠାନକୁ ୫-ଟି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

 

ସମ୍ବନ୍ଧିତ ଖବର