ଚାଲାଣ ବେଳେ କାର୍‌ରୁ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ

ଏନ୍‌ଏଚ୍‌ରୁ କାବୁ କଲା ଏସ୍‌ଟିଏଫ୍, ଚାଲାଣ ନେଇ ଛାନ୍‌ଭିନ୍‌

ଭୁବନେଶ୍ବର : ମାଲକାନଗିରିରୁ କଟକ ଜୀବନ୍ତ ବଜ୍ରକାପ୍ତା ଚାଲାଣ କରୁଥିବା ଏକ ରୢାକେଟ୍‌ର ଦୁଇ ଜଣଙ୍କୁ ଏସ୍‌ଟିଏଫ୍ ଗିରଫ କରିଛି।

ଗୁରୁବାର ରାତିରେ ଏସ୍‌ଟିଏଫ୍‌ ଟିମ୍‌ ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲୀ ଛକରୁ ଏମାନଙ୍କୁ ଗିରଫ କରିଛି। ସେମାନେ ହେଲେ କଳାହାଣ୍ଡି ମଦନପୁର ରାମପୁର ଅଞ୍ଚଳର କୈଳାସ ଖୋସ୍‌ଲା ଓ ନବରଂଗପୁର ପାପଡ଼ାହାଣ୍ଡି ଅଞ୍ଚଳର ଚୈତନ୍ୟ ଭତ୍ରା। ସେମାନେ କାର୍‌ରେ ନେଇ ଯାଉଥିବା ବଜ୍ରକାପ୍ତାର ଳମ୍ବ ୧୦୫ ସେଣ୍ଟିମିଟର ଓ ଓଜନ ପ୍ରାୟ ୧୦ କିଲୋଗ୍ରାମ୍। ବଜ୍ରକାପ୍ତାକୁ ସୁରକ୍ଷିତ ଭାବେ ଖୋର୍ଦ୍ଧା ଡିଏଫ୍‌ଓଙ୍କୁ ହସ୍ତାନ୍ତର କରାଯାଇଛି। ମାଲକାନଗିରିର କୌଣସି ଜଙ୍ଗଲରୁ ବଜ୍ରକାପ୍ତାଟି ଧରା ହୋଇଥିବା ଆପାତତଃ ସ୍ପଷ୍ଟ ହୋଇଥିଲେ ବି ଚାଲାଣକାରୀଦ୍ବୟ କଟକରେ କାହାକୁ ବିକ୍ରି କରିଥାନ୍ତେ ଓ ବଜ୍ରକାପ୍ତାଟି କଟକରୁ ପୁଣି କେଉଁଠିକୁ ଚାଲାଣ ହୋଇଥାନ୍ତା, ସେନେଇ କୌଣସି ସୂଚନା ମିଳିପାରିନାହିଁ। ତେଣୁ ଏହି ରୢାକେଟ୍‌ର ଚେର ଖୋଜିବା ପାଇଁ ଚାଲାଣକାରୀଦ୍ବୟଙ୍କୁ ରିମା‌ଣ୍ଡରେ ଅଣାଯିବ ଓ ଅଧିକ ଛାନ୍‌ଭିନ୍ କରାଯିବ ବୋଲି ଏସ୍‌ଟିଏଫ୍ ପକ୍ଷରୁ ସୂଚନା ମିଳିଛି।

ଆଜି ଏସ୍‌ଟିଏଫ୍‌ କେସ୍‌ ନଂ ୩୪ରେ ଆଇପିସି ଦଫା ୩୭୯,୪୧୧, ୧୨୦(ବି) ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଆଇନ୍‌ ୧୯୭୩ ଧାରା ୫୧ ବଳରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ବର୍ଷକ ଭିତରେ ଏସ୍‌ଟିଏଫ୍‌ ୧୬ଟି ବାଘ ଛାଲ ଓ ୯ଟି ହାତୀ ଦାନ୍ତ, ୨ଟି ହରିଣ ଚମଡ଼ା ଓ ୫ଟି ଜୀବନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଜବତ କରିଛି। ଏହି ସବୁ ମାମଲାରେ ୩୫ ଜଣଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର