ଭୁବନେଶ୍ବର-ପୁରୀରେ ଏୟାର ସୋ’: ଆଜି ପହଞ୍ଚିବେ ଇଣ୍ଡକ୍ସନ୍ ଟିମ୍

ଭୁବନେଶ୍ବର : ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ପକ୍ଷରୁ ଭୁବନେଶ୍ବର ଓ ପୁରୀରେ ଏୟାର ସୋ’ ପ୍ରଦର୍ଶନ କରାଯିବ। ଚଳିତମାସ ୧୬ରେ ଭୁବନେଶ୍ବରରେ ଓ ୧୮ରେ ପୁରୀରେ ଏହି ଚିତ୍ତାକର୍ଷକ ସୋ’ ଅନୁଷ୍ଠିତ ହେବ। ଏଥିଲାଗି ଆଜି ଏନ୍‌୩୨ ବିମାନ ଯୋଗେ ଇଣ୍ଡକ୍ସନ୍ ଟିମ୍ ଭୁବନେଶ୍ବରରେ ପହଞ୍ଚିବ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ଆସନ୍ତା ୮ତାରିଖରେ ସି-୧୭ ଗ୍ଲୋବ୍ ମାଷ୍ଟର ବିମାନରେ ସୂର୍ଯ୍ୟକିରଣ ଏୟାର ସୋ’ ଲାଗି ଉପକରଣ ପହଞ୍ଚିବ। ୯ତାରିଖରେ ଏହି ସୋ’ରେ ଭାଗ ନେବାକୁ ଥିବା ୧୧ଟି ହକ୍ ବିମାନ ଆସିବ। ସୋ’ରେ ୯ଟି ହକ୍ ବିମାନ ଅଂଶଗ୍ରହଣ କରିବ ଓ ୨ଟି ଷ୍ଟାଣ୍ଡ-ବାଏରେ ରହିବ। ୧୦ରେ ମ୍ୟାପିଂ ସର୍ଟି ବା ରିହରର୍ସାଲ ହେବ। ୧୬ରେ ଭୁବନେଶ୍ବର ନିକଟସ୍ଥ କୁଆଖାଇ ନଦୀର ଜାଲିପାଟଣା ଗାଁ ନିକଟ ବାଲିଯାତ୍ରା ପଡ଼ିଆ ଓ ୧୮ରେ ପୁରୀର ଗଭର୍ଣ୍ଣର ହାଉସ୍ ଉପରେ ସୋ’ ହେବା ନେଇ ଯୋଜନା ରହିଛି। ପାଣିପାଗର ସ୍ଥିତି ଅନୁଯାୟୀ ସକାଳ ୧୦ଟାରୁ ୧୧ଟା କିମ୍ବା ଅପରାହ୍ଣ ୪ଟା ୧୫ରୁ ୫ଟା ୧୫ ପର୍ଯ୍ୟନ୍ତ ଏହି ସୋ’ ଚାଲିବ। ପୁରୀ ସୋ’ ପାଇଁ ଅନୁମତି ମିଳିସାରିଛି। ମାତ୍ର ଭୁବନେଶ୍ବର ଏୟାର ସୋ’ ପାଇଁ ଅନୁମତି ଅପେକ୍ଷା ରହିଥିବା ସୂଚନା ମିଳିଛି।

ସୋ’ରେ ବାୟୁସେନାର ପ୍ରଶିକ୍ଷିତ ପାଇଲଟମାନେ ଆକାଶରେ ତ୍ରିରଙ୍ଗା ଆଙ୍କିବାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର କୌଶଳ ଦେଖାଇବେ। ସୋ’ ପାଇଁ ପ୍ରାୟ ୧ଘଣ୍ଟାରୁ ଅଧିକ ସମୟ ଭୁବନେଶ୍ବର ବିମାନବନ୍ଦରରେ ଉଡ଼ାଣ ବନ୍ଦ ରହିବ। ଏହି ରୁଟ୍‌ରେ ଯେପରି କୌଣସି ବିମାନ ଯାତାୟତ ନ କରିବେ ସେ ନେଇ ଡିଜିସିଏ ସମେତ ବିଭିନ୍ନ ବିମାନବନ୍ଦରକୁ ସୂଚନା ଦିଆଯିବ। ଏହି ଚିତ୍ତାକର୍ଷକ ସୋ’ ଦେଖିବାକୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ଓ ବିଧାୟକମାନଙ୍କୁ ନିୟନ୍ତ୍ରଣ କରିବାକୁ ଯୋଜନା ରହିଛି। ଉଲ୍ଲେଖ ଯେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉପଲକ୍ଷେ ଭାରତୀୟ ବାୟୁସେନା ପକ୍ଷରୁ ୨୦୧୬ ମସିହାରେ କଟକର କାଠଯୋଡ଼ି ପଠାରେ ଏୟାର ସୋ’ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର