ସାଂସଦଙ୍କ କାର୍‌ ଧକ୍କାରେ ସ୍କୁଟି ଆରୋହୀ ମୃତ୍ୟୁ ଘଟଣାରେ ହିଟ୍‌ ଆଣ୍ଡ ରନ୍‌ ମାମଲା ରୁଜୁ ଦାବି କଲା ବିଜେପି

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼- ଗାଈସିଲାଟ ମୁଖ୍ୟ ରାସ୍ତାର ତମିଆଁ ଓ ସୁନାମୁଦି ଛକ ମଝିରେ ସାଂସଦ ନିରଞ୍ଜନ ବିଶିଙ୍କ କାର୍‌ ଧକ୍କାରେ ସ୍କୁଟି ଆରୋହୀ ପାଟଣାଗଡ଼ ଇନ୍ଦପୁର ନିବାସୀ ଟଙ୍କଧର ବିଶ୍ବାଳ (୩୫ବର୍ଷ)ଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବିଜେପି ତାର ପ୍ରତିକ୍ରିୟା ରଖିଛି। ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବି କରିଛନ୍ତି। ଶ୍ରୀ ମହାନ୍ତି ଗୁରୁବାର କଣ୍ଟାବାଞ୍ଜିଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସାଂସଦ ଶ୍ରୀ ବିଶି ପୂର୍ବରୁ ଘଟିଥିବା ଅନେକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆଦିବାସୀଙ୍କ ପାଇଁ ୨୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ମାଗିଛନ୍ତି। ଆଜି କିନ୍ତୁ ତାଙ୍କ ନିଜ କାର୍‌ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ତେଣୁ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦିଆଯାଉ ଏବଂ ସାଂସଦ ନିଜେ ସରକାରଙ୍କୁ ଏହା ଦାବି କରନ୍ତୁ।

ମୃତବ୍ୟକ୍ତି ସଂପର୍କୀୟ ବୋଲି କହିଦେଲେ ହେବ ନାହିଁ। ଯଦି ଗାଡ଼ିରେ ସୁରକ୍ଷାକର୍ମୀ ଥିଲେ ତେବେ ସାଂସଦ ମଧ୍ୟ ଗାଡ଼ିରେ ହିଁ ବସିଥିଲେ। ଘଟଣା ପରେ ନିଜେ ଥାନାରେ ଗାଡ଼ିକୁ ନେଇ ଚାଳକଙ୍କୁ ଆତ୍ମ ସମର୍ପଣ କରାଇଛନ୍ତି। ନିଜେ ସରକାରୀ ଦଳର ହୋଇଥିବାରୁ ପୁଲିସ ମଧ୍ୟ ହାଲୁକା ଭାବେ ନେଇ ଘଟଣାକୁ ଚପାଇଦେବା ପାଇଁ ଚେଷ୍ଟା କରୁଛି। ତେଣୁ ସାଂସଦ ଶ୍ରୀ ବିଶିଙ୍କ ନାଁରେ ହିଟ୍‌ ଆଣ୍ଡ ରନ୍‌ ମାମଲା ରୁଜୁ କରାଯାଉ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ବିଜେପି ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ସେ ଧମକ ଦେଇଛନ୍ତି। ଅନ୍ୟପକ୍ଷରେ ସାଂସଦ ଶ୍ରୀ ବିଶି ଆରମ୍ଭରୁ ହିଁ ସେ ଗାଡ଼ିରେ ନଥିବା କଥା କହିଆସୁଛନ୍ତି। ତାଙ୍କ ଗାଡ଼ି ଚାଳକ ଗାଁକୁ ଚାଉଳ ଓ ଆମ୍ବ ଆଣିବାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ମୃତ ବ୍ୟକ୍ତି ତାଙ୍କ ସଂପର୍କୀୟ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର