ଭଗବାନ ହନୁମାନଙ୍କୁ ଜାତି ପ୍ରମାଣପତ୍ର ଦେଲା ବିଜେପି !

ହନୁମାନ ଥିଲେ ଜନଜାତି ସମ୍ପ୍ରଦାୟର ବୋଲି କହିଲେ ଓଡ଼ିଶା ବିଜେପି ସଭାପତି ବସନ୍ତ ପଣ୍ଡା

ଭୁବନେଶ୍ୱର : ହନୁମାନଙ୍କୁ ଜାତି ପ୍ରମାଣପତ୍ର ଦେଲା ବିଜେପି ! ଭଗବାନ ହନୁମାନଙ୍କୁ ଜନଜାତି କହିଲେ ବସନ୍ତ ପଣ୍ଡା । ହନୁମାନଙ୍କ ଜାତି ଓ ଧର୍ମକୁ ନେଇ ଅଡୁଆ ସୁତାରେ ଛନ୍ଦି ହୋଇ ଆସିଥିବା ବିଜେପି, ପୁଣି ଥରେ ଏକ ନୂଆ ବିବାଦରେ ପଡ଼ିଛି । ଆଉ ଏଥର ବିବାଦକୁ ନିମନ୍ତ୍ରଣ କରିଛନ୍ତି ଖୋଦ୍ ଓଡ଼ିଶା ବିଜେପି ସଭାପତି ବସନ୍ତ ପଣ୍ଡା । ପୁରୀରେ ବିଜେପିର ରାଷ୍ଟ୍ରୀୟ ଜନଜାତି ସମାବେଶରେ ହିନ୍ଦୁ ଦେବତା ହନୁମାନଙ୍କୁ ଜନଜାତି କହିଛନ୍ତି ବସନ୍ତ ପଣ୍ଡା । ମଂଚରେ ରଖିଥିବା ବୟାନ ଭୁଲ୍ ନୁହେଁ ବୋଲି ପୁଣି ମଂଚ ତଳେ ଆସି ସଫେଇ ବି ରଖିଛନ୍ତି ।

ଜନତାଙ୍କୁ ନିଜ ସପକ୍ଷରେ କରିବା ପାଇଁ ବିଜେପି ନେତା ଦଳିତଙ୍କ ଘରେ ଖାଇବା, ଆଦିବାସୀଙ୍କ ସହ ଫଟୋ ଉଠାଇବା ସମସ୍ତେ ଦେଖିଛନ୍ତି । ଆଉ ଏବେ ଜନତାଙ୍କ ସହ ଭଗବାନଙ୍କୁ ନିଜ ସପକ୍ଷରେ ଆଣି ଭୋଟ୍ ରାଜନୀତିରେ ସଫଳ ହେବାକୁ ହୁଏତ ଉଦ୍ୟମ କରୁଛି ବିଜେପି । ଭଗବାନ ହନୁମାନଙ୍କୁ ନେଇ ରାଜନୀତି କରିବା ବିଜେପି ପାଇଁ ନୂଆ ନୁହେଁ । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆତିଦ୍ୟନାଥ ମଧ୍ୟ ପୂର୍ବରୁ ହନୁମାନଙ୍କୁ ଜନଜାତି କହିବାକୁ ପଛାଇ ନାହାଁନ୍ତି । ଏମିତି କି ବିଜେପି ବିଧାୟକ ବୁକୁଲ ନବାବ୍ ହନୁମାନଙ୍କୁ ମୁସଲିମ୍ ଏବଂ ଉତ୍ତରପ୍ରଦେଶର ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀ ହନୁମାନଙ୍କୁ ଜାଟ୍ ଥିଲେ ବୋଲି ଦାବି କରିଥିଲେ ।

Hanuman

ଭଗବାନଙ୍କୁ ନେଇ ଭାରତରେ ରାଜନୀତି ହୁଏ ଏକଥା କାହାକୁ ଅଛପା ନାହିଁ । ଆଉ ଯଦି ରାଜନୀତି ହେଉ ନଥାନ୍ତା, ତେବେ ରାମମନ୍ଦିର ନିର୍ମାଣକୁ ନେଇ ଦେଶରେ ଏତେ ବଡ ଚର୍ଚ୍ଚା ହେଉ ନଥାନ୍ତା । ଯେତେବେଳେ ରାମଙ୍କୁ ନେଇ ରାଜନୀତି ହେଉଛି, ସେତିକି ବେଳେ ପ୍ରଭୁ ରାମଙ୍କ ପରମଭକ୍ତ ହନୁମାନଙ୍କୁ ନେଇ ରାଜନୀତି କରିବାରେ ହୁଏତ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ସମ୍ବନ୍ଧିତ ଖବର