ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ବାହାରିଥିବା ଶାସନ କେନାଲରେ ପୁଣି ଘାଇ ସୃଷ୍ଟି ହୋଇଛି। ଏଥର ବଲବସପୁରସ୍ଥିତ ଖେଜୁରବନ୍ଧ ଆଉଟଲେଟରେ ଆଡ଼ିବନ୍ଧ ଭାଙ୍ଗିଛି। ପ୍ରାୟ ୪୦ ଫୁଟର ଘାଇ ହେବାରୁ କିଲାସମା ପଞ୍ଚାୟତ ବଲବସପୁର ଏବଂ ତାଲବ ରାଜସ୍ୱ ଗାଁର ୭୦୦ ଏକର ଚାଷଜମି ଜଳମଗ୍ନ ହୋଇ ବାଲିଚର ହୋଇଥିବା ରାଜସ୍ୱ ବିଭାଗର ପ୍ରାଥମିକ ଆକଳନରେ କୁହାଯାଉଛି। ଧାନ ଚାଷ ସହିତ ପାରିପାର୍ଶ୍ୱିକ ଅଞ୍ଚଳର ପରିବା ଚାଷ ମଧ୍ୟ ପ୍ରଭାବିତ ହୋଇଛି ବୋଲି କହିଛି ସ୍ଥାନୀୟ ଚାଷୀ ସଙ୍ଗଠନ। କେନାଲର ଏହି କ୍ଷତିଗ୍ରସ୍ତ ଅଞ୍ଚଳରେ ପ୍ରଥମେ ୧୦ ଫୁଟର ଘାଇ ସୃଷ୍ଟି ହୋଇଥିଲା, ପରବର୍ତ୍ତୀ ସମୟରେ ଏହା ବୃଦ୍ଧି ପାଇଥିଲା। ଜଳସେଚନ ବିଭାଗ ପକ୍ଷରୁ ଘାଇ ମରାମତି କାର୍ଯ୍ୟ ଆରମ୍ଭ ହୋଇ ୨ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ଆଶା ରହିଥିବା କୁହାଯାଇଛି।

Advertisment

ବଲବସପୁର ଅଧିବାସୀଙ୍କ ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ପ୍ରଚଣ୍ଡ ଶବ୍ଦ ଶୁଣାଯାଇ ଥିଲା। କିଛି ଚାଷୀ ଆସି ଦେଖିବା ବେଳକୁ ଏଠାରେ ଘାଇ ସୃଷ୍ଟି ହୋଇଥିଲା। ଏ ନେଇ ଚାଷୀମାନେ ସକାଳ ୪ଟାରେ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ, ଏସଡିଓ, କନିଷ୍ଠ ଯନ୍ତ୍ରୀଙ୍କୁ ସୂଚନା ଦେବା ସହିତ ତୁରନ୍ତ ଶାସନ କେନାଲ ଗେଟ ବନ୍ଦ ପାଇଁ ଅନୁରୋଧ କରିଥିଲେ। ମାତ୍ର ଗୋଟିଏ ଗେଟ ବନ୍ଦ କରିବାକୁ ସକାଳ ୭ଟା ଏବଂ ଦ୍ୱିତୀୟ ଗେଟ ବନ୍ଦ କରିବାକୁ ମଧ୍ୟାହ୍ନ ୧ଟା ଯାଏ ଲାଗି ଯାଇଥିଲା। ଫଳରେ ଗେଟ ବନ୍ଦର ବିଳମ୍ବ ଯୋଗୁଁ ୧୧ଟାରେ ସିମେଣ୍ଟ କାନ୍ଥ ଭାଙ୍ଗି ପାଣି ପ୍ରବାହକୁ ଆହୁରି ବୃଦ୍ଧି କରିଥିଲା। ଏହା ଫଳରେ ଅଧିକ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ କହିଛନ୍ତି।