ଅଚଳ ଗାଡ଼ି କବ୍‌ଜାରେ ବସ୍‌ଷ୍ଟାଣ୍ଡ୍‌

ପାର୍କିଂ ଫି ଆଦାୟ ହେଉନି, ନୋଟିସ୍‌ ଜାରି ହେଉନି, ପୂର୍ବରୁ ଅଭିଯୋଗ ପରେ ହଟାଯାଇଥିଲା ୪ ଅଚଳ ବସ୍‌

ପୁରୀ : ଦୀର୍ଘବର୍ଷ ହେଲା ବସ୍‌ଷ୍ଟାଣ୍ଡରେ ଆସ୍ଥାନ ଜମାଇ ପଡ଼ି ରହିଛି ଅଚଳ ଗାଡ଼ି। ବସ୍‌ଷ୍ଟାଣ୍ଡ ପରିସରରରୁ ସେଗୁଡ଼ିକ ସ୍ଥାନାନ୍ତର କରାଯାଉନାହିଁ କି ବସଷ୍ଟାଣ୍ଡ ପାର୍କିଂ ଫି ମଧ୍ୟ ଦିଆଯାଉନାହିଁ। ଫଳ‌ରେ ଏହା କେବଳ ଭିଡ଼ ସୃଷ୍ଟି କରୁନାହିଁ, ବରଂ ଅନ୍ୟ ସଚଳ ଗାଡ଼ିଗୁଡ଼ିକ ରଖିବାରେ ସମସ୍ୟା ସୃଷ୍ଟି ହେଉଛି। କେବଳ ବସ୍‌ ନୁହେଁ, କିଛି କାର୍‌ ମଧ୍ୟ ବସ୍‌ଷ୍ଟାଣ୍ଡ ପ୍ରସ୍ଥାନ ରାସ୍ତାରେ ଦୀର୍ଘଦିନ ହେବ ପାର୍କିଂ ହୋଇ ରହିଛି। ବିଡ଼ମ୍ବନା ଏହି ଯେ ପାର୍କିଂ ହୋଇଥିବା ଅଧିକାଂଶ ଗାଡ଼ିର ପଞ୍ଜୀକରଣ ବାତିଲ ହୋଇଛି। ଏନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୂର୍ବତନ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ସମୟରେ କିଛି ଅଚଳ ଗାଡ଼ି ବସ୍‌ଷ୍ଟାଣ୍ଡ ପରିସରରୁ ସ୍ଥାନାନ୍ତର କରାଯାଇଥିଲା। ତଥାପି ଏ ସମସ୍ୟାର ଅନ୍ତ ଘଟିନାହିଁ।

କେବଳ ବସ୍‌ଷ୍ଟାଣ୍ଡ ପରିସରରେ ନୁହେଁ ବରଂ ବଡ଼ଦାଣ୍ଡ ଓ ସଂଲଗ୍ନ ରାସ୍ତାରେ ବହୁ ଗାଡ଼ି ବର୍ଷ ବର୍ଷ ଧରି ଅଚଳ ଅବସ୍ଥା‌ରେ ପାର୍କିଂ ହୋଇ ରହିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କରୋନା ପୂର୍ବରୁ ବହୁ ଅଚଳ ଗାଡ଼ି ବସଷ୍ଟାଣ୍ଡ ପରିସରରେ ପଡ଼ି ରହିଥିଲା। ଏହାପରେ କ‌ରୋନା ଯୋଗୁ ଦୁଇବର୍ଷ କାଳ କିଛି ବସ୍‌ ବିଲ୍‌କୁଲ ଚଳପ୍ରଚଳ କଲାନାହିଁ। କିଛି ବସ୍‌ ମାଲିକ ଗାଡ଼ିର କିସ୍ତି ଶୁଝିବା ବି ଅସମ୍ଭବ ହୋଇଗଲା। ତେଣୁ ଅଚଳ ଗାଡ଼ି ପାର୍କିଂ ସଂଖ୍ୟା ବଢ଼ିଗଲା। ଜଣେ ବସ୍‌ ମାଲିକଙ୍କ ସୂଚନା ମୁତାବକ, ବସ୍‌ଷ୍ଟାଣ୍ଡ ପରିସରେ ବସ୍‌ ରହୁଥିବାରୁ ପୁରୀ ପୌରସଂସ୍ଥା ପକ୍ଷରୁ ପ୍ରତି ବସ୍‌ ପିଚ୍ଛା ୨୦ ଟଙ୍କା ଲେଖାଏଁ ପାର୍କିଂ ଫି ବାବଦରେ ନିଆଯାଉଛି। ମାତ୍ର ଯେଉଁ ଗାଡ଼ିଗୁଡ଼ିକ ୫ ବର୍ଷ ହେଲା ସେମିତି ପଡ଼ି ରହିଛି ସେ ଗାଡ଼ିର ପାର୍କିଂ ବାବଦରେ ପୌରସଂସ୍ଥା ଟଙ୍କାଟିଏ ବି ଅସୁଲ କରୁନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଅନ୍ୟପକ୍ଷରେ ବସ୍‌ଷ୍ଟାଣ୍ଡ ପରିସରରେ ଏକ ଇ-ଟଏଲେଟ୍‌ ଓ କିଓସ୍କୋ ଖୋଲାଯିବା ପରେ ତା’ ସମ୍ମୁଖରେ ଗାଡ଼ି ରଖିବା ପାଇଁ ସୁଯୋଗ ମିଳୁନାହିଁ। ତେଣୁ ସଚଳ ଥିବା ବସ୍‌ଗୁଡ଼ିକ ରଖିବାରେ ସମସ୍ୟା ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି।
ଏନେଇ ପୁରୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି, ଏନେଇ ଆମ ନିକଟକୁ ବସ୍‌ ମାଲିକ ସଂଘ ପକ୍ଷରୁ କୌଣସି ଅଭିଯୋଗ ଆସିନାହିଁ। କିଛି ବର୍ଷ ତଳେ ଅଭିଯୋଗ ପରେ ବସ୍‌ଷ୍ଟାଣ୍ଡ ପରିସରରୁ ୪ଟି ଅଚଳ ବସ୍‌ ସ୍ଥାନାନ୍ତର କରାଯାଇଥିଲା। ତେବେ ଏ ସମ୍ପର୍କରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହ ଆଲୋଚନା ଭିତ୍ତିରେ ଏ ସଂକ୍ରାନ୍ତରେ ପଦକ୍ଷେପ ନେବୁ। ଆବଶ୍ୟକସ୍ଥଳେ ବସ୍‌ଷ୍ଟାଣ୍ଡ ପରିସରରେ ଦୀର୍ଘ ବର୍ଷ ଧରି ପାର୍କିଂ ହୋଇ ରହିଥିବା ବସ୍‌ଗୁଡ଼ିକୁ ନୋଟିସ୍‌ ଜାରି କରିବୁ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର