ନୂଆଦିଲ୍ଲୀ : ୨୦୧୯ରୁ ୨୦୨୧ ମଧ୍ୟରେ ଦେଶରେ ୪୬୨ଟି ଔଷଧର ନମୁନାକୁ ନକଲି ଏବଂ ଅପମିଶ୍ରିତ ଘୋଷଣା କରାଯାଇଛି। ଆଫ୍ରିକୀୟ ଦେଶ ଗାମ୍ବିୟାକୁ ହରିୟାଣାର ଏକ କମ୍ପାନି ନିମ୍ନମାନର ତଥା ବିପଜ୍ଜନକ କଫ ସିରପ ରପ୍ତାନି କରିବା ଏବଂ ସେଥିରେ ପ୍ରାୟ ୬୬ ଜଣଙ୍କର ମୃତ୍ୟୁ ହେବା ଖବର ସାମ୍ନାକୁ ଆସିବା ପରେ ଏବେ ଦେଶରେ ଅପମିଶ୍ରିତ ଔଷଧକୁ ନେଇ ଚର୍ଚ୍ଚା ଚାଲିଛି। ଏହି ସମୟରେ ସରକାରୀ ତଥ୍ୟରୁ ଜଣାଯାଇଛି ୨୦୧୯-୨୦ରେ ୮୧୩୨୯ଟି ଔଷଧ ନମୁନାର ପରୀକ୍ଷଣ ହୋଇଥିଲା। ଏଥିରୁ ୨୪୯୭ଟି ଔଷଧ ନମୁନାକୁ ବ୍ୟବହାର ଯୋଗ୍ୟ ନୁହେଁ ଏବଂ ଏଥିରୁ ୧୬୯ଟି ଔଷଧ ଅପମିଶ୍ରିତ ବୋଲି ଘୋଷଣା ହୋଇଥିଲା। ସେହିପରି ୨୦୨୦-୨୧ରେ ୮୪୮୭୪ଟି ନମୁନାକୁ ପରୀକ୍ଷା ପାଇଁ ନିଆଯାଇଥିଲା। ସେଥିରୁ ୨୬୫୨ଟି ଔଷଧ ବ୍ୟବହାର ମାନର ନୁହେଁ ଏବଂ ୨୬୩ଟି ଔଷଧ ଅତି ନିମ୍ନାମନର ବୋଲି ଘୋଷଣା କରାଯାଇଥିଲା। ଉକ୍ତ ଦୁଇ ବର୍ଷରେ ଏଥିପାଇଁ ଯଥାକ୍ରମେ ୨୨୦ ଜଣ ଏବଂ ୧୬୪ ଜଣଙ୍କୁ ଗିରଫ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସରକାର ଔଷଧର ମାନ ଯାଞ୍ଚ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ଆଇନଗତ ବ୍ୟବସ୍ଥା ରହିଛି। ଔଷଧ ନିର୍ମାତା ଓ ନିୟାମକ କ୍ଷେତ୍ରର ଅଧିକାରୀମାନଙ୍କ ପାଇଁ ତାଲିମ ଏବଂ କର୍ମଶାଳା ଆଦି ଆୟୋଜନ କରାଯାଉଛି। ସଂସଦରେ ସରକାର ନିକଟରେ ଦେଇଥିବା ଉତ୍ତର ଅନୁଯାୟୀ, ଔଷଧର ମାନକୁ ନିଶ୍ଚିତ କରିବା ପାଇଁ ଡ୍ରଗ୍ସ ରୁଲ୍ସ ୧୯୪୫ରେ ସଂଶୋଧନ କରାଯାଇଛି। ଭାରତରେ ନିର୍ମାଣ ହେଉଥିବା କିମ୍ବା ଭାରତକୁ ଆମଦାନୀ ହେଉଥିବା ପ୍ରତି ଔଷଧର ଲେବଲ ଉପରେ ‘କ୍ବିକ୍ ରେସପନ୍ସ କୋଡ୍’ ଲଗାଇବାର ବ୍ୟବସ୍ଥା କରାଯାଇଛି। ଏଥିରେ ଉତ୍ପାଦର ସ୍ବତନ୍ତ୍ର ପରିଚୟ କୋଡ, ବ୍ୟାଚ ନମ୍ବର, ଉତ୍ପାଦନ ତାରିଖ ଏବଂ ଔଷଧ ବ୍ୟବହାର ଅବଧି ଶେଷ ସମୟ ଆଦି ତଥ୍ୟ ଉଲ୍ଲେଖ ରହିବ।
ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ଲାଇସେନ୍ସିଂ କର୍ତ୍ତୃପକ୍ଷଙ୍କ ଦ୍ବାରା ଦେଶରେ ଔଷଧର ନିର୍ମାଣ, ବଣ୍ଟନ ଓ ବିକ୍ରି ଉପରେ ନିୟନ୍ତ୍ରଣ ରଖାଯାଇଛି। ଗାମ୍ବିୟାକୁ ହରିୟାଣାର କମ୍ପାନି କରିଥିବା ରପ୍ତାନି କରିଥିବା କଫ ସିରପ ଭାରତରେ ବିକ୍ରି ହୋଇନାହିଁ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି। ତେବେ ୪ଟି ସିରପର ନମୁନା ପରୀକ୍ଷା ପାଇଁ ପଠାଯାଇଛି ଏବଂ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ।