ସାଇବର ଠକେଇ ଉପରେ ରିଜର୍ଭ ବ୍ୟାଙ୍କର ସଚେତନତା ପୁସ୍ତିକା ‘ରାଜୁ ଓ ୪୦ ଚୋର’

ମୁମ୍ବାଇ : ସାଇବର ଠକେଇ ବିଷୟରେ ଲୋକମାନଙ୍କୁ ସଚେତନ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟ‌ାଙ୍କ ପକ୍ଷରୁ ‘ରାଜୁ ଓ ୪୦ ଚୋର’ ନାମକ ଏକ କମିକ୍ ବୁକ୍ ବା ଛବି ପୁସ୍ତିକା ଜାରି କରାଯାଇଛି। ଏଥିରେ ରାଜୁ ଚରିତ୍ରଟି ହେଉଛି ଜଣେ ସାଧାରଣ ଭାରତୀୟ ନାଗରିକ। ସହଜରେ ବୁଝି ହେଉଥିବା ଲେଖା ଓ ବ୍ୟଙ୍ଗ ଚିତ୍ରକୁ ବ୍ୟବହାର କରି ବିଭିନ୍ନ ପ୍ରକାର ସାଇବର ଠକେଇରୁ କିଭଳି ନିଜକୁ ସୁରକ୍ଷିତ ରଖି ହେବ ସେବିଷୟରେ ସେଥିରେ ବର୍ଣ୍ଣନା କରାଯାଇଛି। ୮୫ ପୃଷ୍ଠାର ଏହି ପୁସ୍ତିକାରେ ୪୦ଟି କାହାଣୀ ରହିଛି। କେଉଁ ପରିସ୍ଥିତି କ’ଣ କରିବେ ଓ କ’ଣ ନକରିବେ ତାହା ସ୍ପଷ୍ଟ ଭାବେ ବର୍ଣ୍ଣନା କରାଯାଇଛି।

ଏହି ପୁସ୍ତକରେ ରାଜୁକୁ ବରିଷ୍ଠ ନାଗରିକ, ହସଖୁସିରେ ରହୁଥିବା ଲୋକ, ଚାଷୀ ଆଦି ବିଭିନ୍ନ ଚରିତ୍ରରେ ଉପସ୍ଥାପନ କରାଯାଇଛି। ଆର୍ଥିକ ସାକ୍ଷରତାର ପ୍ରସାର କରିବା ଲାଗି ମହାରା‌ଷ୍ଟ୍ର ଓ ଗୋଆର ଆର୍‌ବିଆଇ ଲୋକପାଳଙ୍କ ତରଫରୁ ଏହି ପୁସ୍ତିକାକୁ ପ୍ରସ୍ତୁତ କରାଯାଇଛି। କୋଭିଡ୍ ମହାମାରୀ ବ୍ୟାପିଥିବା ସମୟରେ ତାହାକୁ ପ୍ରସ୍ତୁତ କରାଯାଇଥିଲା। ସେଥିରେ ଫିସିଂ ଲିଙ୍କ୍‌, କ୍ରେଡିଟ୍‌ କାର୍ଡ ବାର୍ଷିକ ଫି’ ଉଚ୍ଛେଦ, ଏଟିଏମ୍ କାର୍ଡ ସ୍କିମିଂ, ସ୍କ୍ରିନ୍ ସେୟାରିଂ, ସିମ୍ କ୍ଲୋନିଂ, କ୍ୟୁଆର୍‌ କୋଡ୍ ସ୍କାନ ଆଦିରେ ହେଉଥିବା ଠକେଇ, ଅନଲାଇନ୍ ନିଯୁକ୍ତି ଠକେଇ, ଜାଲ ଟିକାକରଣ କଲ୍, ପବ୍ଳିକ୍ ୱାଇ-ଫାଇ ବ୍ୟବହାରରେ ହେଉଥିବା ଠକେଇ, ମେସେଜିଂ ଆପ୍ ବ୍ୟାଙ୍କ ଠକେଇ, ମଲ୍‌ଟି ମାର୍କେଟିଂ ସ୍କାମ୍, ଜାଲ ଋଣ ପ୍ରସ୍ତାବ, କ୍ରେଡିଟ୍‌ କାର୍ଡର ସୀମା ବଢ଼ାଇବା, ଦୋକାନରେ କାର୍ଡ ‌କ୍ଲୋନିଂ, ପେମେଣ୍ଟ୍‌ ଆଦିରେ କିଭଳି ଠକେଇ ହେଉଛି ଏବଂ ସେଥିରୁ କିଭଳି ରକ୍ଷା ପାଇହେବ ତାହାକୁ ଚମତ୍କାର ଓ ବୋଧଗମ୍ୟ କାହାଣୀ ଜରିଆରେ ବର୍ଣ୍ଣନା କରାଯାଇଛି।

ସମ୍ବନ୍ଧିତ ଖବର