ଜଗତପୁରରେ ଶିଶୁ ବିକ୍ରି ଉଦ୍ୟମ: ଶିଶୁପୁତ୍ର ଉଦ୍ଧାର; ୨ ମହିଳା ଅଟକ

କଟକ-ଜଗତପୁର: ଜଗତପୁର ଅଞ୍ଚଳରେ ଶିଶୁ ବିକ୍ରି ପାଇଁ ଚାଲିଥିବା ଯୋଜନା ପଣ୍ଡ ହୋଇଛି। ମାତ୍ର ୧୧ ଦିନର ଏକ ଶିଶୁପୁତ୍ରକୁ ଚୋରାଇ ଆଣି ଦୁଇ ଜଣ ମହିଳା ଲୁଚାଇ ରଖିଥିବା ବେଳେ ତାକୁ ବିକ୍ରି କରିବା ପୂର୍ବରୁ ଧରାପଡି ଯାଇଛନ୍ତି। ଶିଶୁପୁତ୍ରଟିକୁ କଟକ ଶିଶୁ ଭବନରୁ ଚୋରାଇ ନିଆଯାଇଥିବା ସନ୍ଦେହ କରାଯାଉଛି। ଏହାକୁ ଘଟଣାକୁ ନେଇ ପୁଲିସ ଓ ଚାଇଲଡ୍‌ ଲାଇନ୍ ପକ୍ଷରୁ ଖୋଳତାଡ ଜାରି ରହିଛି।

ସୂଚନା ଅନୁଯାୟୀ ଜଗତପୁର ଥାନା ଅନ୍ତର୍ଗତ ୪୯ନଂ ୱାର୍ଡ ଖଇରା (ଇମାମନଗର) ଡମ ସାହିରେ ଏଭଳି ଘଟଣା ଧରା ପଡିଛି। ମାତ୍ର ୧୧ ଦିନର ନବଜାତ ଶିଶୁପୁତ୍ରକୁ ଆଣି ୨ ଜଣ ମହିଳା ଉକ୍ତ ସାହିରେ ରହୁଥିବା ସେମାନଙ୍କ ଭଡା ଘରେ ଲୁଚାଇ ରଖିଥିଲେ। ଏହି ଶିଶୁପୁତ୍ରକୁ ଅନ୍ୟତ୍ର ବିକ୍ରି କରାଯିବା ପାଇଁ ଯୋଜନା ହେଉଥିବା ସଂକ୍ରାନ୍ତରେ  କଟକ ଚାଇଲ୍ଡ ଲାଇନ(ସି.ଡବ୍ଲୁ.ସି)କୁ ଖବର ମିଳିଥିଲା। ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେରଙ୍କ ସହାୟତାରେ ଚାଇଲ୍ଡ ଲାଇନ୍ ପକ୍ଷରୁ ନିରାଞ୍ଜଳି  ଦାସ ଓ ତାଙ୍କ ସହଯୋଗୀ ଚଢଉ କରି ଉକ୍ତ ଶିଶୁପୁତ୍ରକୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ସଂପୃକ୍ତ ୨ ମହିଳାଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି। କଟକ ଶିଶୁଭବନରୁ ଉକ୍ତ ଶିଶୁପୁତ୍ରକୁ ଚୋରାଇ ଅଣାଯାଇଥିବା ପ୍ରାଥମିକ ଛାନଭିନରୁ ସନ୍ଦେହ କରାଯାଉଛି। ଶିଶୁ ଭବନରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇଥିଲା। ଆଉଟଡୋର ଟିକେଟରୁ ଏହାର ସୂଚନା ମିଳିଛି। କିନ୍ତୁ ପରେ ଉକ୍ତ ଶିଶୁପୁତ୍ରକୁ ଜଗତପୁର ଅଞ୍ଚଳକୁ କିପରି ଅଣାଗଲା ତାହାକୁ ନେଇ ତଦନ୍ତ ଚାଲିଛି। ସିଡବ୍ଲୁସିର ତଦନ୍ତ ରିପୋର୍ଟ ଆଧାରରେ ଜଗତପୁର ଥାନା ପୁଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର