ଜଗତସିଂହପୁର : ବିଶ୍ବବ୍ୟାପୀ କରୋନା ଦିନକୁ ଦିନ ଘାତକ ହେବାରେ ଲାଗିଛି। ଗତକାଲି ଭାରତରେ  ୩ ଜଣଙ୍କୁ  କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ଏଥି ମଧ୍ୟରୁ ଜଣେ ପଡ଼ୋଶୀ ରାଜ୍ୟ ତେଲେଙ୍ଗାନାର ହୋଇଥିବାରୁ ଓଡ଼ିଶାରେ କରୋନା ସଂକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଛି। ଆଜି ପାରାଦୀପ ବନ୍ଦରରୁ  କରୋନା ସଂଦିଗ୍ଧ  ଦମ୍ପତିଙ୍କୁ ଚିହ୍ନଟ କରାଯାଇଛି। ସିଙ୍ଗାପୁରରୁ  ପାରାଦୀପ ବନ୍ଦରକୁ ଆସିଥିବା‌ ସେନଷ୍ଟାର ନାମକ ଜାହାଜର କର୍ମଚାରୀ ତଥା ସେକେଣ୍ଡ ଇଂଜିନିୟର ଓ ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଥଣ୍ଡା ଓ ଜ୍ବର ଥିବା ଦେଖାଯାଇଥିଲା। ବିଶେଷ କରି ଇଂଜିନିୟରଙ୍କ ଶରୀରରେ ଉଚ୍ଚ ତାପମାତ୍ରା ଥିବା ‌ଦେଖା ଯାଇଥିଲା। ଶରୀରରେ ତାପମାତ୍ରା ରହିବା  କରୋନାର ଏକ  ଲକ୍ଷଣ ହୋଇଥିବାରୁ ସିଙ୍ଗପୁରର ଏହି ଦମ୍ପତିଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ଳାଗି ସ୍ଥାନାନ୍ତର କରାଯାଇଛି।

Advertisment

ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ କରୋନା ସଂକ୍ରମଣ ଭୟ ନାହିଁ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ମନ୍ତ୍ରୀଙ୍କ କହିବା ଅନୁସାରେ ଓ ରାଜ୍ୟ ସରକାର କରୋନା ନେଇ ସଚେତନ ଅଛନ୍ତି ଓ ଏହାର ମୁକାବିଲା ଲାଗି ସବୁ ଡାକ୍ତରଖାନା ପ୍ରସ୍ତୁତ ରହିଛନ୍ତି। ରାଜ୍ୟର ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।  ସେହିପରି ରେଳ ଷ୍ଟେସନଗୁଡ଼ିକରେ ମଧ୍ୟ ରାଜ୍ୟକୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।

publive-image

ସୂଚନା ଅନୁସାରେ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ସଂକ୍ରମିତ ଦେଶରୁ ରାଜ୍ୟକୁ ଫେରିଥିବା ୧୧୫ଜଣଙ୍କ ଉପରେ ନଜର ରଖାଯାଇଛି। ଜଣେ ବ୍ୟକ୍ତିଙ୍କୁ ଅବଜରଭେସନ୍‌ରେ ରଖାଯାଇଥିବା ବେଳେ ୪୨ଜଣ ଘରେ ଆଇସୋଲେସନ୍‌ରେ ରହିଛନ୍ତି। ସୋମବାର ସୁଦ୍ଧା ୬୯ଜଣ ବ୍ୟକ୍ତିଙ୍କ ଘରେ ଆଇସୋଲେସନ୍‌ ଶେଷ ହୋଇସାରିଛି। ଅପରପକ୍ଷରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୂର୍ବରୁ ସଂଗୃହୀତ ୮ଜଣ ବ୍ୟକ୍ତିଙ୍କ ବାଦ୍ ଅନ୍ୟ କୌଣସି ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ କରାଯାଇ ନାହିଁ। ପୂର୍ବରୁ ସଂଗୃହୀତ ସମସ୍ତ ନମୁନା ନେଗେଟିଭ୍ ରହିଥିଲା।

publive-image

ସେହିପରି କରୋନା ସଂପର୍କରେ ସଚେତନତା ପ୍ରଦାନ ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ର ବ୍ୟବସ୍ଥା କରାଯାଇଛି। କରୋନା ଭୂତାଣୁ ସଂକ୍ରମଣ ସଂପର୍କିତ ସୂଚନା ପାଇଲେ ଟୋଲ ଫ୍ରି ନମ୍ବର -୦୬୭୪-୨୩୯୦୪୬୬, ୯୪୩୯୯୯୪୮୫୭ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।