ଚିନ୍ତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ: କୋଭିଡ ଲକ୍ଷଣ ଥାଇ ପିସିଆର ରିପୋର୍ଟ ନେଗେଟିଭ୍

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସଂଖ୍ୟା କମି ଆସିଲାଣି। ଖୋର୍ଧା, କଟକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ହାତ ଗଣତି ସଂକ୍ରମଣ ଦେଖିବାକୁ ମିଳୁଛି। ଏବେ ଏକ ବିଚିତ୍ର ପରିସ୍ଥିତି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇଲାଣି। ଅନେକ ଲୋକଙ୍କ କୋଭିଡ ଲକ୍ଷଣ ରହିଥିଲେ ହେଁ, ଆରଟି-ପିସିଆର ରିପୋର୍ଟ ନେଗେଟିଭ୍ ରହୁଛି। ରାଜଧାନୀର ଏକାଧିକ ଘରୋଇ ହସ୍ପିଟାଲରେ ଏଭଳି ରୋଗୀଙ୍କୁ ଚିହ୍ନଟ କରାଗଲାଣି। ତେଣୁ ଟେଷ୍ଟିଂର ଧାର୍ଯ୍ୟ ମାନଦଣ୍ଡକୁ ଚକ୍‌ମା ଦେବାରେ ଭୂତାଣୁ ସଫଳ ହେଉଥିବା ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।

ବରିଷ୍ଠ ଚିକିତ୍ସକ ଡା.ନିରୋଜ ମିଶ୍ରଙ୍କ କହିବା କଥା, ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ଅନେକ ଲୋକଙ୍କ ‌କୋଭିଡ ଲକ୍ଷଣ ଥିଲେ ହେଁ, ରିପୋର୍ଟ ନେଗେଟିଭ୍ ଆସୁଛି। ଏସବୁ ରୋଗୀଙ୍କ ଜ୍ବର ସହିତ କାଶ ଦୀର୍ଘଦିନ ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି। ଗତ ସେପ୍ଟେମ୍ବର ମାସରୁ ଏହି ଧାରା ଦେଖିବାକୁ ମିଳିଲାଣି। ଡେଲ୍‌ଟା ଭାରିଏଣ୍ଟ ଅନେକାଂଶରେ ଟେଷ୍ଟିଂକୁ ମାତ୍ ଦେବାରେ ସକ୍ଷମ। ଏ କ୍ଷେତ୍ରରେ ଡେଲ୍‌ଟା ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ଲୋକଙ୍କ ରିପୋର୍ଟ ନେଗେଟିଭ୍ ଆସିବା ସ୍ବାଭାବିକ୍। ତେଣୁ ସେମାନେ ହୁଏତ କୋଭିଡରେ ନଚେତ୍ ଇନ୍‌ଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇପାରନ୍ତି। ସରକାରୀ ସ୍ତରରେ କେବଳ ଆରଏମ୍‌ଆରସିର ଇନଫ୍ଲୁଏଞ୍ଜାର ପରୀକ୍ଷା ହେଉଥିବା ବେଳେ ଅନ୍ୟଠାରେ ଏହାର ସୁବିଧା ନାହିଁ। ହେଲେ ରାଜଧାନୀର କିଛି ଘରୋଇ ହସ୍ପିଟାଲରେ ଏହି ପରୀକ୍ଷା କରୁଥିବା ବେଳେ ସେଠାରେ ରୋଗୀ ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ଥିବା ଜଣାପଡ଼ୁଛି। ଏମିତି କିଛି ରୋଗୀଙ୍କୁ ହସ୍ପିଟାଲରେ ଚିହ୍ନଟ କରାଯାଇଛି ସେମାନେ ଇନଫ୍ଲୁଏଞ୍ଜାର ଉଭୟ ଏ ଓ ବି ରେ ଆକ୍ରାନ୍ତ ରହିଛନ୍ତି। ତେଣୁ ସମ୍ବେଦନଶୀଳ ବର୍ଗର ଲୋକମାନେ ଯଥାଶୀଘ୍ର ଇନଫ୍ଲୁଏଞ୍ଜା ଟିକା ନେବା ଜରୁରୀ ବୋଲି ଡା.ମିଶ୍ର କହିଛନ୍ତି।

mentawaisurfcharters.com

ନିକଟରେ ବ୍ରିଟେନ୍‌ର ଜନସ୍ବାସ୍ଥ୍ୟ ଅଧିକାରୀମାନେ ସ୍ଥାନୀୟ ବାସିନ୍ଦାମାନଙ୍କୁ କୋଭିଡ ରିପୋର୍ଟ ନେଗେଟିଭ୍ ଆସିଲେ ମଧ୍ୟ ଗୃହ ପୃଥକବାସରେ ରହିବା ଲାଗି ପରାମର୍ଶ ଦେଇଛନ୍ତି। ଆଇସିଏମ୍‌ଆରର ପୂର୍ବତନ ଉପଦେଷ୍ଟା ଡା.ତ୍ରିଭୁବନ ମହାପାତ୍ରଙ୍କ କହିବାନୁଯାୟୀ, ଡେଲ୍‌ଟା ଭାରିଏଣ୍ଟ କ୍ଷେତ୍ରରେ ପିସିଆର ପରୀକ୍ଷା ୭୦ ପ୍ରତିଶତ ଫଳପ୍ରଦ। ତେଣୁ ୩୦ ପ୍ରତିଶତ ପରୀକ୍ଷାରେ ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇ ନ ପାରେ। ଏହାସହ ନୂଆ ମ୍ୟୁଟେସନ୍ ନେଇ ଗବେଷଣା ହେବା ମଧ୍ୟ ଜରୁରୀ। ତେଣୁ କୋଭିଡ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କ ଯଦି ରିପୋର୍ଟ ନେଗେଟିଭ୍ ଆସୁଛି ତାହାହେଲେ ମଧ୍ୟ ସେମାନେ ପୃଥକବାସରେ ରହିଲେ କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି।

ଅପରପକ୍ଷରେ କୋଭିଡ୍‌ ଜିନ୍ ଅନୁଶୀଳନ କରୁଥିବା ଆଇଏଲଏସ୍ ପକ୍ଷରୁ ମଧ୍ୟ ଆଗାମୀ ଦିନରେ କୋଭିଡ ଲକ୍ଷଣ ଥାଇ ରିପୋର୍ଟ ନେଗେଟିଭ୍ ଥିବା ନମୁନା ଗୁଡ଼ିକର ସିକ୍ବେସିଂ କରିବା ଉପରେ ବିଚାର କରାଯାଉଛି। ଯଦିଓ ରାଜ୍ୟରେ ଏବେ କୌଣସି ନୂତନ ଭାରିଏଣ୍ଟ ଚିହ୍ନଟ ହୋଇନାହିଁ, ତଥାପି ଅଧିକ ସିକ୍ବେସିଂ ଫଳରେ ଏହା ସଂପର୍କରେ ଚିତ୍ର ସ୍ପଷ୍ଟ ହୋଇପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଏହାସହ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଚଳିତ ପାର୍ବଣ ଋତୁରେ ପ୍ରତି ସପ୍ତାହରେ ସଂକ୍ରମଣ ହାର ବା ଟିପିଆରକୁ ମ୍ୟାପିଂ କରିବାକୁ ନିଷ୍ପତ୍ତି ନେଇଛି। ଏସ୍‌ଏଆରଆଇ ଓ ଆଇଏଲଆଇ କେସ୍‌ ଗୁଡ଼ିକୁ ନିରୀକ୍ଷଣ କରିବା ସହିତ ଆସନ୍ତା ୩ମାସ ପାଇଁ ଏବେ ଦୈନିକ ଯେତିକି ଟେଷ୍ଟିଂ କରାଯାଉଛି ତାହା ଜାରି ରଖିବା ଲାଗି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର