ଖଣ୍ଟଘରରେ ସିଲ୍‌ ହେଲା କ୍ରସର

କେନ୍ଦୁଝର, : ବନ୍ଦ ହେଲା କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ଖଣ୍ଟଘରଠାରେ ଚାଲୁଥିବା ବେଆଇନ କ୍ରସର। କ୍ରସର ପ୍ରତିଷ୍ଠା କରିଥିବା କମ୍ପାନି କର୍ତ୍ତୃପକ୍ଷ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ବନ ବିଭାଗ ନୋଟିସ୍‌କୁ ଖାତିର କରୁ ନଥିଲେ। ଶେଷରେ ଆଜି ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଏହି ବେଆଇନ କ୍ରସରକୁ ବନ୍ଦ କରିଦିଆଯାଇଛି। କିଛିଦିନ ଧରି ‘ସମ୍ବାଦ’ରେ ଏନେଇ ପ୍ରକାଶ ପାଇବା ପରେ ବନ ବିଭାଗ ଏଭଳି ଆକ୍ସନ ମୋଡ୍‌କୁ ଆସିଛି।
ଜାତୀୟ ରାଜପଥ-୨୦ର ନିର୍ମାଣ କାମ ପାଇଛି ଠିକାସଂସ୍ଥା ଶିବମ୍ କନ୍‌ଡେଭ୍‌ ପ୍ରାଇଭେଟ ଲିଃ।

ଏହି ସଂସ୍ଥା ଖଣ୍ଟଘର ମୌଜାର ଖାତା ନମ୍ବର ୫୦, ପ୍ଲଟ ନମ୍ବର ୩୬୮ର ଏକ ଘରବାରି କିସମ ୨ ଏକର ୯୦ ଡିସିମିଲ ଆଦିବାସୀ ଜମିରେ ୨୦୦ ଟିପିଏଚ୍‌ ବିଶିଷ୍ଟ କ୍ରସର ପ୍ରତିଷ୍ଠା କରିଛି। ଖଜୁରିଜୁଆଣି ପଥରକ୍ୱାରୀର ଲିଜ୍ ସୀମା ଭିତରେ ବା ଏହାର ୧ କିଲୋମିଟର ବ୍ୟାସାର୍ଦ୍ଧରେ କୌଣସି କ୍ରସର ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ‘ସିଆର’ କଡ଼ା ନିର୍ଦେଶ ରହିଛି। ମାତ୍ର ସବୁ ନିୟମକୁ ଉଲ୍ଲଂଘନ କରାଯାଇ ପଥରକ୍ବାରୀର ମାତ୍ର ୨୦୦ ମିଟର ମଧ୍ୟରେ କ୍ରସର ଚାଲିଛି। କ୍ରସର ପ୍ରତିଷ୍ଠା ପାଇଁ ପ୍ରଶାସନ କୌଣସି ଅନୁମତି ମଧ୍ୟ ଦେଇନି।

ଫକିରସାହି, ପ୍ରଧାନସାହି ଏବଂ ପାରାବାଡ଼ି ସାହିର ୫ଶହରୁ ଊର୍ଦ୍ଧ ଲୋକ ରହୁଥିବା ଜନବସତି ନିକଟରେ କ୍ରସର ପ୍ରତିଷ୍ଠା ହୋଇଛି। ଏହି କ୍ରସର କନ୍‌ସେଣ୍ଟ ଟୁ ଏଷ୍ଟାବ୍ଲିସ୍‌ ଏବଂ କନସେଣ୍ଟ ଟୁ ଅପରେଟ ପ୍ରମାଣପତ୍ର ନେଇ ନଥିବାରୁ ଏନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଚିଠି ନମ୍ବର ୧୫୨୭ରେ ତା୧୨.୯.୨୦୨୨ରେ କମ୍ପାନିକୁ କାରଣଦର୍ଶାଅ ନୋଟିସ କରାଯାଇଥିଲା। ନୋଟିସ୍‌ ଉତ୍ତର ଦେଲା ନାହିଁ କମ୍ପାନି। ସେହିପରି କ୍ରସରଟି ବନ୍ୟପ୍ରାଣୀ ଆଇନ ଉଲ୍ଲଂଘନ କରୁଥିବାରୁ ବନ ବିଭାଗ ମଧ୍ୟ ଗତ ୨୨ ତାରିଖରେ ଚିଠି ନମ୍ବର ୬୧୧ରେ ନୋଟିସ୍‌ କରିଥିଲା। ଏହା ସତ୍ତ୍ବେ ମଧ୍ୟ କ୍ରସରଟି ଚାଲୁଥିଲା। ଏହାପରେ କ୍ରସରକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ବନ ବିଭାଗ ପକ୍ଷରୁ ଟାଟା ପାୱାରକୁ ଚିଠି ନମ୍ବର ୬୨୪ରେ ନିର୍ଦେଶ ଦିଆଯାଇଥିଲା। ଆଜି ବନ ବିଭାଗର ଏକ ଟିମ୍‌ କ୍ରସର ଉପରେ ଚଢ଼ଉ କରି ଏହାକୁ ବନ୍ଦ କରିଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ଏଚ୍‌ଡି ଧନରାଜ କହିଛନ୍ତି, ଏହି କ୍ରସରଟି ବିନା ଅନୁମତିରେ ଚାଲିବା ସହ ବନ୍ୟପ୍ରାଣୀ ଆଇନ ଉଲ୍ଲଂଘନ କରୁଥିଲା। ଏଥିପାଇଁ ଏହାକୁ ବନ୍ଦ କରାଯାଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର