ଡି’ ବ୍ରଦର୍ସ ଲିଙ୍କ୍‌ : ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଇଡି ନୋଟିସ୍‌

ଭୁବନେଶ୍ୱର : ଗ୍ୟାଙ୍ଗ୍‌ଷ୍ଟର ଡି’ ବ୍ରଦର୍ସ (ଧଳସାମନ୍ତ ଭ୍ରାତା) ଲିଙ୍କ୍‌ ଘଟଣାରେ ପ୍ରବର୍ତନ ନିର୍ଦେଶାଳୟ (ଇଡି) ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ନୋଟିସ୍‌ ପଠାଇଛି। ୨୦୦୫ରୁ ୨୦୧୦ ମଧ୍ୟରେ ଖଣି ଓ ପରିବହନ କମ୍ପାନି ସହ ଡି ବ୍ରଦର୍ସଙ୍କ ହୋଇଥିବା କାରବାର ସମ୍ପର୍କିତ ସମସ୍ତ କାଗଜପତ୍ର ସାଙ୍ଗରେ ଆଣିବା ସହିତ ଆସନ୍ତା ୭ ତାରିଖ ଦିନ ଅପରାହ୍ନ ୩ଟାରେ ହାଜର ହେବା ପାଇଁ ନୋଟିସ୍‌ରେ କୁହାଯାଇଥିବା ସୂଚନା ମିଳିଛି। ଇଡି କର୍ତୃପକ୍ଷଙ୍କ ଏଭଳି ନୋଟିସ୍‌ ପରେ ବିଧାୟକ ଶ୍ରୀ ବଳବନ୍ତରାୟ ଅଡୁଆରେ ପଡ଼ିଯାଇଛନ୍ତି।
ଧର୍ମଶାଳା ବିଧାୟକ ଶ୍ରୀ ବଳବନ୍ତରାୟଙ୍କର ଗ୍ୟାଙ୍ଗ୍‌ଷ୍ଟର ଡି’ ବ୍ରଦର୍ସଙ୍କ ସହ ସମ୍ପର୍କ ଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା। ପୂର୍ବରୁ ଇଡି ଡି’ ବ୍ରଦର୍ସ ସମ୍ପର୍କରେ ଥିବା ଏକାଧିକ ବସ୍‌ ମାଲିକ, ଶିଳ୍ପପତି, ଖଣି ମାଲିକ, ବାଲି ମାଫିଆଙ୍କୁ ଡାକି ପଚରା ଉଚରା କରି ସାରିଛି।

ପ୍ରକାଶଥାଉକି, ୨୦୧୪ ମସିହା ସେପ୍ଟେମ୍ବର ମାସରେ ସିବିଆଇ ପକ୍ଷରୁ ଅର୍ଥତତ୍ତ୍ୱ ଚିଟଫଣ୍ଡ୍‌ ମାମଲାରେ ବିଧାୟକ ଶ୍ରୀ ବଳବନ୍ତରାୟଙ୍କୁ ମଧ୍ୟ ନୋଟିସ୍‌ କରାଯାଇଥିଲା। ଜୟଦେବ ବିହାର ଛକରେ ଏକ ଜମି କିଣାବିକା ମାମଲାରେ ପଚରା ଉଚରା କରିବା ପାଇଁ ସିବିଆଇ ତାଙ୍କୁ ଡକାଇଥଲା। ପରେ ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ କାଗଜପତ୍ର ଦେଖାଇଥିଲେ। କିଛି ଦିନ ତଳେ ଡି ବ୍ରଦର୍ସ ଲିଙ୍କ୍‌ରେ କମିସନରେଟ ପୁଲିସ କଟକର ମହିଳା କର୍ପୋରେଟର୍‌ ରଂଜିତା ବିଶ୍ୱାଳଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର