ବିଜେଡି-ବିଜେପି ମଧ୍ୟରେ ଗୋପନ ବୁଝାମଣା‌ ହୋଇଛି: ଡି. ରାଜା

ଭୁବନେଶ୍ୱର : ସାମ୍ବିଧାନିକ ମୂଲ୍ୟବୋଧକୁ ଆକ୍ରମଣ କରୁଛି ବିଜେପି। ଗଣତାନ୍ତ୍ରିକ ରାଜନୈତିକ ଦଳମାନଙ୍କର ଐକ୍ୟ ଅଭାବରୁ ବିଜେପି ପୁଣି ଥରେ ସଂଖ୍ୟା ଗରିଷ୍ଠତା ହାସଲ କରି କ୍ଷମତାକୁ ଫେରିଛି। ରାଜ୍ୟ ସରକାରମାନଙ୍କୁ ଇଡି, ସିବିଆଇ ଓ ଆୟକର ବିଭାଗ ଚଢ଼ଉ ଭୟ ଦେଖାଇ ଚାପ ପ୍ରୟୋଗ କରି ରାଜ୍ୟସଭାରେ ମଧ୍ୟ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଉଦ୍ୟମ କରୁଛି। ଓଡ଼ିଶାରେ ବିଜେଡି ସଂଖ୍ୟା ଗରି‌ଷ୍ଠତା ହାସଲ କରିଥିଲେ ମଧ୍ୟ ଚିଟ୍‌ଫଣ୍ଡ ମହାଠକେଇ ଘଟଣାରେ ଗିରଫ ଭୟରେ ବିଜେଡି ତା’ର ନିଜ ରାଜ୍ୟସଭା ଆସନକୁ ବିଜେପିକୁ ସମର୍ପଣ କରିଛି। ବିଜେଡି ଓ ବିଜେପି ମଧ୍ୟରେ ଗୋପନ ବୁଝାମଣା ହୋଇଛି ବୋଲି କହିଛନ୍ତି ସିପିଆଇର ଜାତୀୟ ସମ୍ପାଦକ ଡି. ରାଜା।

ଆଜି ଭଗବତୀ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଆହୁରି କହିଛନ୍ତି, ନୂଆ ଭାରତ ଗଠନ ନାମରେ ଆରଏସ୍‌ଏସ୍‌ ହିନ୍ଦୁତ୍ବ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରିଛି। ଏକ ଦେଶ, ଏକ ନିର୍ବାଚନ ନାରା ଦେଇ ଜମ୍ମୁ-କଶ୍ମୀରକୁ ଏଥିରୁ ଦୂ‌ରେଇ ରଖିଛନ୍ତି। ବିଭିନ୍ନ ରାଜ୍ୟରେ ରାଜ୍ୟ ସରକାରଙ୍କର ଅବଧି ଭିନ୍ନଭିନ୍ନ ସମୟରେ ଶେଷ ହେଉଥିବା ବେଳେ ଏକ ସମୟରେ କରିବା ଯୋଜନା ହାସ୍ୟାସ୍ପଦ ଓ ସାମ୍ବିଧାନିକ ବ୍ୟବସ୍ଥାର ବିରୋଧୀ। ଜମ୍ମୁ-କଶ୍ମୀରରେ ଲାଗି ରହିଥିବା ସଙ୍କଟର ସମାଧାନ ସେନା ନୁହେଁ। ଆମେରିକାରୁ ଚାପ ଥିବାବେଳେ ଋଷିଆ କିମ୍ବା ଇରାନ୍‌ ସହ ଭାରତ ସମ୍ପର୍କ ବଢ଼ାଇ ପାରୁନାହିଁ। ସେହିଭଳି ଦେଶରେ ଅନାହାର ମୃତ୍ୟୁ ଚାଲିଥିବା ବେଳେ ଖାଦ୍ୟ ସୁରକ୍ଷା ଓ ସାଧାରଣ ଯୋଗାଣ ବ୍ୟବସ୍ଥାକୁ ଲୋକଙ୍କ ପାଇଁ ଲାଗୁ କରାଯାଇ ପାରୁନାହିଁ। ବିଜେପି ମହିଳାମାନଙ୍କୁ ଅଧିକାର ଓ ସମ୍ମାନ ଦେବା କଥା କହୁଥିବା ବେଳେ ମହିଳାମାନଙ୍କୁ ସଂସଦ ଓ ବିଧାନସଭାରେ ଆସନ ସଂରକ୍ଷଣ ନେଇ ରାଷ୍ଟ୍ରପତିଙ୍କ ଭାଷଣରେ କିଛି କୁହାଯାଇ ନାହିଁ। ଅପରପକ୍ଷରେ ଗତ ନିର୍ବାଚନରେ ବାମପନ୍ଥୀ ଦଳ ଆଶାନୁରୂପ ବିଜୟ ଲାଭ କରିନାହାନ୍ତି। ଏହାର କାରଣ ଖୋଜିବା ପାଇଁ ମାନସ ମନ୍ଥନ ଚାଲିଛି। ଜୁଲାଇ ୧୯ରୁ ୨୧ ତିନିଦିନ ଧରି ହେବାକୁ ଥିବା ଜାତୀୟ ପରିଷଦ ସମାବେଶରେ ଏହାର ସମୀକ୍ଷା ହେବାକୁ ଯାଉଥିବା ସେ ସୂଚନା ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ସହସମ୍ପାଦକ ଡ. ପ୍ରଶାନ୍ତ ମିଶ୍ର ଓ କ୍ଷୀରୋଦ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର