ଶ୍ରୀମନ୍ଦିରରେ ଦର୍ଶନ ବେଳେ ଚାଲିଗଲା ଭକ୍ତଙ୍କ ଜୀବନ

ପୁରୀ: ଶ୍ରୀମନ୍ଦିରରେ କାଳିଆ ଠାକୁରଙ୍କୁ ଦର୍ଶନ ବେଳେ ଜଣେ ଭକ୍ତ ଅସୁସ୍ଥ ହୋଇ ଟଳିପଡ଼ିଛନ୍ତି। ମୃତ ଭକ୍ତ ହେଲେ ରାୟନ ପ୍ରସାଦ ସେନ୍‌ (୬୫)। ତାଙ୍କ ଘର ଉତ୍ତରପ୍ରଦେଶର ଝାନ୍‌ସୀ ଅଞ୍ଚଳରେ।

ସୂଚନା ଅନୁସାରେ ରାୟନ ପ୍ରସାଦ ସେନ୍‌ ଆଜି କାଳିଆ ଠାକୁରଙ୍କ ଦର୍ଶନ ପାଇଁ ନିଜ ପରିବାର ଲୋକଙ୍କ ସହିତ ଶ୍ରୀମନ୍ଦିରକୁ ଯାଇଥିଲେ। ସେ ବାହାର କାଠ ନିକଟରେ ଛିଡ଼ା ହୋଇଥିଲେ। ଏହି ସମୟରେ ସେ ଅସୁସ୍ଥ ହୋଇ ଅଚେତ ହୋଇଥିଲେ। ତୁରନ୍ତ ତାଙ୍କୁ ସେମାନଙ୍କର ପରିବାର ଲୋକେ ଶ୍ରୀମନ୍ଦିର ବାହାରକୁ ଆଣିଥିଲେ। ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସ ଯୋଗେ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହୃଦ୍‌ଘାତରେ ଶ୍ରୀ ପ୍ରସାଦଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ତେବେ ସମ୍ପର୍କୀୟମାନେ ତାଙ୍କର ମୃତଦେହ ନେଇଯିବା ପାଇଁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ,ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ବେଳେ ଭକ୍ତଙ୍କର ମୃତ୍ୟୁ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଅଘଟଣ ଘଟିଛି। ଗତ ଦେବସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ରାଜସ୍ଥାନରୁ ଆସିଥିବା ଜଣେ ଭକ୍ତ ଅମ୍ବଲାଲା ଭୋଇଙ୍କର ମୃତ୍ୟୁ ହୋଇଥିଲା। ସେହି ଭକ୍ତ ଜଣକ ସ୍ନାନ ମଣ୍ଡପ ନିକଟରେ ଶ୍ରୀଜିଉଙ୍କ ଦର୍ଶନ କରୁଥିଲେ। ଅତ୍ୟଧିକ ଭିଡ଼ ଯୋଗୁଁ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ସିଂହଦ୍ବାର ନିକଟ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। କିନ୍ତୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶ୍ରୀ ଭୋଇଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର