ବାଙ୍କୀ ଶିଶୁ ନିଖୋଜ ଓ ମୃତ୍ୟୁ ଘଟଣା: ବଢ଼ିଲା ଦ୍ୱନ୍ଦ୍ୱ, ଡାକ୍ତର କହିଲେ ମାଙ୍କଡ଼ ନେଇଥିବା ଭଳି ମନେ ହେଉ ନାହିଁ

ଭୁବନେଶ୍ୱର: କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ତାଳବସ୍ତ ଗାଁରେ ଶନିବାର ହୋଇଥିବା ଶିଶୁ ନିଖୋଜ ଓ ମୃତ୍ୟୁ ଘଟଣାର ନୂଅାଁ ମୋଡ଼ ନେଇଛି। ଶିଶୁଟିର ମୃତଦେହ ରବିବାର ସକାଳୁ ଘର ନିକଟସ୍ଥ ଏକ କୂଅରୁ ମିଳିବା ପରେ ପୋଷ୍ଟମର୍ଟମ ହୋଇଛି। ପୋଷ୍ଟମର୍ଟମ ପରେ ଡାକ୍ତର କହିଛନ୍ତି, ଶିଶୁପୁତ୍ରକୁ ମାଙ୍କଡ଼ ଧରିବା ଭଳି ଚିହ୍ନ ନାହିଁ। କେବଳ ମୁହଁରେ ଦାଗ ଲାଗିଛି। ମାଙ୍କଡ଼ ନେଇଥିବା ଭଳି ମନେ ହେଉ ନାହିଁ।

ବାପାମାଆଙ୍କ ପାଖରେ ଶୋଇଥିବା ୧୬ଦିନର ଏକ ଶିଶୁ ପୁତ୍ରକୁ ମାଙ୍କଡ଼ ଉଠାଇ ନେଇଛି ବୋଲି ଶନିବାର ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ଶିଶୁଟିକୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା। ଅପରେସନ୍‌ରେ ଗ୍ରାମବାସୀ ବନବିଭାଗର ୩ ଜଣିଆ ଟିମ୍‌ ସାମିଲ ଥିଲେ। ସନ୍ଧ୍ୟା ସୁଦ୍ଧା ଶିଶୁପୁତ୍ରର କୌଣସି ଖବର ମିଳି ନଥିଲା।

ସୂଚନାଯୋଗ୍ୟ ଶନିବାର ହୋଇଥିବା ଅଭିଯୋଗ ଅନୁସାରେ ତାଳବସ୍ତ ଗ୍ରାମର ରାମକୃଷ୍ଣ ନାୟକ ଓରଫ କାଠିଆଙ୍କ ପତ୍ନୀ ୧୬ ଦିନ ତଳେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁଟିର ମାଆ ବିଛଣାରୁ ଉଠି ଆସିବା ପରେ ଶିଶୁ ପୁତ୍ରଟିର ପାଖରେ ତାଙ୍କ ବାପା ରାମକୃଷ୍ଣ ଶୋଇଥିଲେ। ତେବେ ଏହି ସମୟରେ ଏକ ମାଙ୍କଡ଼ ଘରେ ପଶି ଶିଶୁ ପୁତ୍ରଟିକୁ ଧରି ନେଇ ପଳାଉଥିବା ଦେଖି ତାର ମାଆ ପାଟି କରିଥିଲେ। ସମସ୍ତେ ଉଠି ଦେଖିଲା ବେଳକୁ ସେଠାରୁ ମାଙ୍କଡ଼ କେଉଁଆଡ଼େ ଚମ୍ପଟ ମାରିସାରିଥିଲା। ଶିଶୁଟିର ମାଆଙ୍କ ବ୍ୟତୀତ ଅନ୍ୟ କେହି ମାଙ୍କଡ଼ ନେଇଥିବାର ଦେଖି ନାହାଁନ୍ତିି। ପରେ ଶିଶୁ ପୁତ୍ରକୁ ଉଦ୍ଧାର ପାଇଁ ବାପା ମାଆ ହନୁମାନଙ୍କ ନିକଟରେ ଅଧିଆ ପଡ଼ିଥିଲେ।

ସମ୍ବନ୍ଧିତ ଖବର