ବାଚସ୍ପତି ଓମ୍‌ ବିର୍ଲାଙ୍କ ନାଁରେ ବି ନକଲି ସିମ୍

କ୍ରାଇମବ୍ରାଞ୍ଚ୍‌ ହୋସ୍ ଉଡ଼ାଇଲା ପ୍ରିଆକ୍ଟିଭେଟେଡ୍‌ ସିମ୍ ମାମଲା, ସାଂସଦଙ୍କୁ ବି ଟଙ୍କା ମାଗିଥିଲେ ସାଇବର ଅପରାଧୀ

କଟକ : ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ବି ନକଲି ସିମ୍! ଓଡ଼ିଶାରେ ଏକକାଳୀନ ୧୯ ହଜାର ୬୪୧ ଆଗୁଆ ଆକ୍ଟିଭ ହୋଇଥିବା ସିମ୍ କାର୍ଡ ଜବତ ଘଟଣାରେ ଖୋଳତାଡ଼ କରୁଥିବା କ୍ରାଇମବ୍ରାଞ୍ଚ୍‌ ହାତରେ ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ଲାଗିଛି। ସାଇବର ଅପରାଧୀମାନେ କିଭଳି ବାଚସ୍ପତିଙ୍କ ଫଟୋ ବ୍ୟବହାର କରି କିଛି ସାଂସଦଙ୍କୁ ଟଙ୍କା ମାଗିଥିଲେ, ତାହା ମଧ୍ୟ ଜାଣିବାକୁ ପାଇଛି। ଢେଙ୍କାନାଳରୁ ସିମ୍ କାରବାର ଲିଙ୍କ୍ ସିଧା ନାଇଜେରିଆର ସାଇବର୍ ଅପରାଧୀଙ୍କ ଯାଏ ଲମ୍ବିଥିବାରୁ ମୋବାଇଲ୍ ସର୍ଭିସ୍ ପ୍ରୋଭାଇଡରଙ୍କୁ ସ୍କାନରରେ ଆଣି କ୍ରାଇମବ୍ରାଞ୍ଚ ଏଭଳି ତଥ୍ୟ ପାଇଛି। ଢେଙ୍କାନାଳରୁ ଗିରଫ ହୋଇଥିବା ୩ ଜଣ ସାଇବର୍ ଅପରାଧୀଙ୍କ ଏଜେଣ୍ଟଙ୍କୁ ବୁଧବାରଠାରୁ କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା ଆରମ୍ଭ କରିଦେଇଥିବା ସୂଚନା ମିଳିଛି।

ହସ୍ତଗତ ସୂଚନା ଅନୁସାରେ, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଫଟୋ ବ୍ୟବହାର କରି ଏକ ହ୍ବାଟସଆପ୍ ଆକାଉଣ୍ଟରୁ ସାଇବର୍ ଅପରାଧୀମାନେ ଦେଶର ସାଂସଦଙ୍କୁ ଟଙ୍କା ମାଗିଥିଲେ। ଏହି ନମ୍ବର ଢେଙ୍କାନାଳ ତାଳବରକୋଟ ଅଞ୍ଚଳରେ ଆକ୍ଟିଭେଟ୍ ହୋଇଥିବାରୁ ଦିଲ୍ଲୀ ଗୁଇନ୍ଦା ବିଭାଗ ମୁଖ୍ୟାଳୟ ଓ ଦିଲ୍ଲୀ ପୁଲିସ ଜାଣିବାକୁ ପାଇଥିଲା। ଓଡ଼ିଶା କ୍ରାଇମବ୍ରାଞ୍ଚକୁ ଏ ସଂକ୍ରାନ୍ତରେ ସୂଚନା ମିଳିବା ପରେ କ୍ରାଇମବ୍ରାଞ୍ଚ ଗଲା ୧ ତାରିଖରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ୨ ତାରିଖରେ ଢେଙ୍କାନାଳ ଏସ୍‌ଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ଢେଙ୍କାନାଳ ଟାଉନ ଥାନା ଅଞ୍ଚଳର ସ୍କାଏ ଆର୍ଟର ଦୋକାନ ମାଲିକ ସାଇ ପ୍ରକାଶ ଦାସ, କର୍ମଚାରୀ ମିନା ବଜାରର ଅବିନାଶ ନାୟକ, ସାଇବର୍ ଅପାରଧୀଙ୍କୁ ସିମ୍ ଯୋଗାଉଥିବା ସଦର ଥାନା ଅଞ୍ଚଳର ଦୁଷ୍କନ୍ତ କୁମାର ସାହୁକୁ ୫ ଦିନିଆ ରିମାଣ୍ଡରେ ଆଣିଛି। ଏହି ଅଭିଯୁକ୍ତଙ୍କ ୮ ତାରିଖରେ ରିମାଣ୍ଡ ଅବଧି ଶେଷ ହେବାକୁ ଯାଉଛି। ସାଇ ପ୍ରକାଶ ଢେଙ୍କାନାଳ ତାଳବରକୋଟରେ ବିଏସଏନଏଲର ଡିଲର୍ ଭାବେ କାମ କରୁଥିଲା।

nyoooz.com

ଏହି ମାମଲାରେ ମୁଖ୍ୟ କାର୍ପଟଦାର୍ ଦୁଷ୍ମନ୍ତ ସମେତ ତାଙ୍କ ବାପା ଓ ଭାଇଙ୍କ ନାଁରେ ମୋଟ ୭ଟି ବ୍ୟାଙ୍କ ଆକାଉଣ୍ଟ ଓ ୩ଟି ପେଟିଏମ ଆକାଉଣ୍ଟ ଜବତ କରିଛି କ୍ରାଇମବ୍ରାଞ୍ଚ। ଜବତ ହୋଇଥିବା ପେଟିଏମ ଆକାଉଣ୍ଟରୁ ଦୁଇଟି ଆକାଉଣ୍ଟରେ ୩୦ ଲକ୍ଷ ଟଙ୍କାର ଅର୍ଥ କାରବାର ହୋଇଥିବା ତଥ୍ୟ ମିଳିଥିବା ବେଳେ ଅନ୍ୟ ଆକାଉଣ୍ଟର ଖୋଳତାଡ଼ ଜାରି ରହିଛି। ୨୦୨୦ ଏପ୍ରିଲ ୧୮ ତାରିଖଠାରୁ ଏହି ଆକାଉଣ୍ଟ ଦୁଷ୍ମନ୍ତ ନିଜର ଓ ପରିବାର ଲୋକଙ୍କ ନାଁରେ ଆକାଉଣ୍ଟ ଖୋଲିଥିବା ବେଳେ କିଛି ଭୂତ ଆକାଉଣ୍ଟ ଖୋଲି ସେଥିରେ ବି ଟଙ୍କା ରଖିଥିଲା। ଫେସ୍‌ବୁକରେ ଯେଉଁ ‘ବାୟର୍ ସେଲର୍ ଅଫ୍ ଓଟିପି ଗ୍ରୁପ୍‌’ରେ ଦୁଷ୍ମନ୍ତ ସିମ୍ ନମ୍ବର ଓ ଓଟିପି ଯୋଗାଉଥିଲା, ସିମ୍ ପିଛା ୪୦୦ ଟଙ୍କା ହିସାବରେ ଦୁଷ୍ମନ୍ତକୁ ଏହି ଟଙ୍କା ମିଳିଛି। ଟଙ୍କାର ପରିମାଣ କୋଟିଏ ଛୁଇଁବାକୁ ଯାଉଥିବା କ୍ରାଇମବ୍ରାଞ୍ଚ ଆକଳନ କରୁଛି। କ୍ରାଇମବ୍ରାଞ୍ଚ ଏମାନଙ୍କୁ ରିମାଣ୍ଡରେ ଆଣିଥିବା ବେଳେ ସିମ୍ ଓ ଟଙ୍କା କାରବାର ସମ୍ପର୍କରେ ଅଧିକ ଖୋଳତାଡ଼ କରିବାକୁ ଯାଉଛି।

ଅନ୍ୟପଟେ ପ୍ରିଆକ୍ଟିଭେଟେଡ୍ ସିମ୍ ଜାଲିଆତି ସମ୍ପର୍କରେ ଅଧିକ ପଚରାଉଚରା କରିବା ପାଇଁ କ୍ରାଇମବ୍ରାଞ୍ଚ ଭୋଡାଫୋନର ଭୁବନେଶ୍ୱରସ୍ଥିତ ମୁଖ୍ୟ ବାଣିଜ୍ୟିକ ପରିଚାଳକ, ବିଏସ୍‌ଏନ୍‌ଏଲ୍‌ର ଢେଙ୍କାନାଳର ଜେନେରାଲ ମ୍ୟାନେଜର ଓ ଜିଓର ଢେଙ୍କାନାଳର ଏରିଆ ମ୍ୟାନେଜରଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ କାର୍ଯ୍ୟାଳୟରେ ୫ ତାରିଖରେ ହାଜର ହେବାକୁ ନୋଟିସ୍‌ ଜାରି କରାଯାଇଛି। ଏମାନଙ୍କ ନିକଟରୁ କ୍ରାଇମବ୍ରାଞ୍ଚ ଯେହେତୁ ପ୍ରିଆକ୍ଟିଭେଟେଡ୍ ବିଏସଏନଏଲ୍ ସିମ୍ ୬ ହଜାର ୮୧୪ଟି, ଭୋଡାଫୋନ ୯ ହଜାର ୬୮୫, ଜିଓ ୩ ହଜାର ୧୭ ସିମ୍ ଜବତ କରିଛି, ସେଥିପାଇଁ ସମ୍ପୃକ୍ତ ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥାକୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିବାକୁ ଯାଉଛି। ପ୍ରି ଆକ୍ଟିଭେଟେଡ୍ ସିମ୍ କାରବାର ରୋକିବାକୁ ଯେଉଁ ଏସ୍‌ଓପି ପୂର୍ବରୁ ରହିଛି, ସେହି ଏସଓପି କଡ଼ାକଡ଼ି ଭାବେ ପାଳନ ହୋଇଛି କି ନାହିଁ, ସେ ନେଇ କ୍ରାଇମବ୍ରାଞ୍ଚ ଉପରୋକ୍ତ ମୋବାଇଲ୍ ସର୍ଭିସ ପ୍ରୋଭାଇଡରଙ୍କୁ ପଚରାଉଚରା କରିବାକୁ ଯୋଜନା କରୁଛି। କ୍ରାଇମବ୍ରାଞ୍ଚ ଏହି ଗ୍ୟାଙ୍ଗ ନିକଟରୁ ମୋଟ ୧୯ ହଜାର ୬୪୧ଟି ସିମ୍ କାର୍ଡ ଜବତ କରିଥିବାରୁ ଏବେ ସବୁ ଜିଲ୍ଲାରେ ଚାଲିଥିବା ବେଆଇନ ସିମ୍ କାରବାର ରୋକିବାକୁ ସବୁ ଜିଲ୍ଲାରେ ବିଏସଏନଏଲ୍, ଜିଓ, ଭୋଡାଫୋନ ଡିଲର ପଏଣ୍ଟରେ ଚଢ଼ଉ କରିବାକୁ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର