ପୌର କାର୍ଯ୍ୟାଳୟରେ ଲାଗିଲା ନିଆଁ

ଅଡିଟ ପାଇଁ ରଖାଯାଇଥିବା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଏସି ପୋଡ଼ି ନଷ୍ଟ

ଦେବଗଡ଼: ଦେବଗଡ଼ ପୌର କାର୍ଯ୍ୟାଳୟରେ ଥିବା କାଉନସିଲ ହଲରେ ରବିବାର କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଫଳରେ ଏହି ହଲରେ ଥିବା କାର୍ଯ୍ୟାଳୟର ଅଡିଟ ପାଇଁ ରଖାଯାଇଥିବା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି।

ପୌର ନିର୍ବାଚନ ପରଠାରୁ କେତେବେଳେ ଆର୍ଥିକ ଅନିୟମିତତା ତ ଆଉ କେତେବେଳେ ଉପନଗରପାଳ ଓ କାଉନସିଲରମାନଙ୍କ ଅନଶନ ଘଟଣା ଏବଂ ‌ପୌର ନିର୍ବାହୀ ଅଧିକାରୀ ଓ ଉପନଗରପାଳ ମଧ୍ୟରେ ପ୍ରାଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଚର୍ଚ୍ଚାରେ ରହିଥିଲା ଦେବଗଡ଼ ପୌର ପାଳିକା। ଏପରି ସ୍ଥିତିରେ ଆଜି ସକାଳେ ଦେବଗଡ଼ ପୌର କାର୍ଯ୍ୟାଳୟରେ ଥିବା କାଉନସିଲ ହଲରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। କାର୍ଯ୍ୟାଳୟରେ କାର୍ଯ୍ୟରତ ରାତ୍ର ଜଗୁଆଳି କାର୍ଯ୍ୟାଳୟ ମଧ୍ୟରେ ଶୋଇଥିବା ବେଳେ ଭୋର୍‌ରେ ପୋଡ଼ା ଗନ୍ଧ ବାରି ଯାଞ୍ଚ କରିଥିବା ବେଳେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ସେ କବାଟ ଖୋଲି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ପାଣି ଢାଳି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ।

ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଥିଲ‌ା। ନିଆଁ ଲାଗିବା ଯୋଗୁଁ ଗୋଟିଏ ଏସି ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି। କାଗଜପତ୍ର ଅଡିଟ୍‌ ପାଇଁ ରଖାଯାଇଥିଲା ବୋଲି କୁହାଯାଉଛି। ପ୍ରାଥମିକ ଭାବେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ସଟ୍‌ସର୍କିଟ୍‌ ଯୋଗୁଁ ଏହି ହଲରେ ନିଆଁ ଲାଗିଛି ନା ଆଉ କେଉଁ କାରଣରୁ ନିଆଁ ଲାଗାଯାଇଛି ତାହା ଏବେ ବି ଅସ୍ପଷ୍ଟ ରହିଛି।

ସମ୍ବନ୍ଧିତ ଖବର