ଟ୍ରଲର ଧକ୍କାରେ ମାଛ ବେପାରୀଙ୍କ ଶୋଚନୀୟ ମୃତ୍ୟୁ

ବେତନଟୀସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଆଗ୍ରିଆ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ବେତନଟୀ ଅଞ୍ଚଳର ମାଛ ବେପାରୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବେତନଟୀ ଥାନା ଅଧୀନ ଆଗଡା ଗ୍ରାମର ସ୍ବର୍ଗତଃ ହାଡିବନ୍ଧୁ ଦାସଙ୍କ ୪୫ ବର୍ଷୀୟ ପୁଅ ପରମେଶ୍ୱର ଦାସ।

ସୂଚନା ଅନୁଯାୟୀ ଶୁକ୍ରବାର ପୂର୍ବାହ୍ନରେ ପରମେଶ୍ୱର ବାଲେଶ୍ୱର ଜିଲ୍ଲା ବଳରାମଗଡି ମୁହାଣରୁ ମାଛ ନେଇ ବାଇକ୍‌ (ଓଡି୧୧କେ-୭୩୬୧)ରେ ବେତନଟୀ ଅଭିମୁଖେ ଆସୁଥିବାବେଳେ ଆଗ୍ରିଆ ଛକ ଅତିକ୍ରମ କଲା ପରେ ବଡପୋଲ ନିକଟରେ ଏକ ଟ୍ରକ୍‌ (ଏନଏଲ୦୧ଏଏଫ-୪୧୧୬) ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପରମେଶ୍ୱର ରକ୍ତ ଜୁଡୁବୁଡୁ ହୋଇ ପଡିଥିବାବେଳେ ବକେଟରେ ଥିବା ମାଛ ସବୁ ରାସ୍ତା ସାରା ଛୀନଭିନ ହୋଇ ପଡିଥିଲା। ସ୍ଥାନୀୟ ଲୋକ ପରମେଶ୍ୱରଙ୍କୁ ପ୍ରଥମେ ବେତନଟୀ ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ପହଞ୍ଚିଲା ପରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ ଓ ଟ୍ରଲରକୁ ଜବତ ପୂର୍ବକ ଶବ ବ୍ୟବଛେଦ କରାଇଛି। ପରେ ମୃତ ପରମେଶ୍ୱରଙ୍କ ଭାଇଙ୍କ ଅଭିଯୋଗ କ୍ରମେ ବୈଶିଙ୍ଗା ଥାନାରେ ୧୬୦ନଂ ରେ ଏକ ମାମଲା ରୁଜୁ ପୂର୍ବକ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧିତ ଖବର