ବନ୍ୟା ବିଭୀଷିକା: ହାଇୱା ଡାଲାରେ ୫ ରାତି

ଆଶ୍ରୟସ୍ଥଳୀରେ ମୁଣ୍ଡ ଗୁଞ୍ଜିଛନ୍ତି ଶତାଧିକ ପ୍ରପୀଡ଼ିତ

ବାଲିପାଟଣା/ ବାଲିଅନ୍ତା: ଭାର୍ଗବୀ ଓ ଧନୁଆ ନଦୀ ବନ୍ୟାରେ ବାଲିପାଟଣା ଓ ବାଲିଅନ୍ତା ବ୍ଲକର ବ୍ୟାପକ କ୍ଷୟକ୍ଷତି ହୋଇଛି। ଏବେ ବି ଧନୁଆ ନଈ ବନ୍ୟା ଜଳ ବହୁ ଗାଁକୁ ଘେରି ରହିଛି। ଲୋକେ ଛାତରୁ ଡେରା ଉଠାଇ ଘର ଭିତରକୁ ଗଲେଣି। କିନ୍ତୁ କଚ୍ଚାଘରର ଲୋକମାନଙ୍କ ଦୁର୍ଦ୍ଦଶା ସରିନାହିଁ। ଚଟାଣ ଭିଜି ଭିଜି କାଦୁଅ ଅବସ୍ଥାରେ। କା‌ନ୍ଥ ମୂଳ ଭିଜି ଭୁଶୁଡ଼ିବା ଅବସ୍ଥାରେ। କିଛି ଲୋକଙ୍କ କାନ୍ଥରୁ ମାଟି ଧୋଇଯିବା ପରେ ତାଟିଝାଟିର ପଞ୍ଜରା ଦେଖାଯାଉଛି। ଫଳରେ ଘର ଭିତରକୁ ସରୀସୃପ ପଶିଯାଉଛନ୍ତି। ଚୁଲି ଭିତରେ ବି ବନ୍ୟାପାଣି ରହିଛି। ରୋଷେଇ କରିବା ସମ୍ଭବ ହେଉନାହିଁ। ଭାର୍ଗବୀ ନଦୀ ଅଚ୍ୟୁତପୁର କାଜ ଦେଇ ଏବେ ବି ପ୍ରବଳ ବନ୍ୟା ଜଳ ପ୍ରବାହିତ ହୋଇ ଧନୁଆ ନଈକୁ ଆସୁଛି।

ଫଳରେ ଧନୁଆ ଅବବାହିକାରେ ରାଜସ, ଆଳିସି, ପମ୍ପାଲୋ, କୁରୁଞ୍ଜିପୁର, ସୋମଣା ଓ ତୁରିନ୍ତିରା ଏହି ୬ ପଞ୍ଚାୟତ ଆଜି ବି ଜଳମଗ୍ନ ହୋଇରହିଛି। କିଛି କିଛି ଉଚ୍ଚ ବା ଢ଼ିପ ସ୍ଥାନରୁ ବନ୍ୟା ପାଣି ଛାଡ଼ିଥିଲେ ବି ଅନ୍ୟ ସବୁଆଡ଼େ ପାଣି ସୁଅ ଚାଲିଛି। ତେଣୁ ଏବେ ବି ବିଭିନ୍ନ ଆଶ୍ରୟସ୍ଥଳୀରେ ଏହି ଅଞ୍ଚଳର ଶତାଧିକ ଲୋକ ମୁଣ୍ଡ ଗୁଞ୍ଜିଛନ୍ତି। ପ୍ରଶାସନ ଓ ବିଭିନ୍ନ ସଂଗଠନର ହାତଟେକାକୁ ସେମାନେ ଅପେକ୍ଷା କରିବାକୁ ବାଧ୍ୟ ହୋଇରହିଛନ୍ତି।

ବାଲିପାଟଣା ବ୍ଲକ୍‌ର ଏହି ୬ ପଞ୍ଚାୟତ ବନ୍ୟାରେ ବେଶି ପ୍ରଭାବିତ ହୋଇଛି। କୁରୁଞ୍ଜିପୁର ପଞ୍ଚାୟତର ଅଧିକ ଗାଁରେ ପାଣି ପଶିଥିଲା। ଇନ୍ଦୋଳ କୁସିଆରି, ପଡ଼ାବିଲସାହି, ଘାସି ଅନ୍ଧଟି, ଦଳ କଷଟି, ନିଶ୍ଚିନ୍ତପୁର, ଆରପଦା ଓ ସାନମାଛପୁର ନାୟକ ସାହି ପ୍ରଭୃତି ଗ୍ରାମର ୪ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏବେ ବି ଗାଁ ଦାଣ୍ଡରେ ଅଣ୍ଟାଏ ପାଣି ଜମିଛି। ସାନମାଛପୁର ଗ୍ରାମର ପ୍ରତାପ ପ୍ରଧାନ ଓ ନିରଞ୍ଜନ ବାରିକଙ୍କ ପରିବାର ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି।

ସରକାରଙ୍କ ତରଫରୁ ଥରେ ମାତ୍ର ଚୁଡ଼ା ଚିନି ମିଳିଥିଲା। ରନ୍ଧା ଖାଦ୍ୟ ଆଦୌ ମିଳିନାହିଁ। ଦିନ ମଜୁରିଆ ଭାବେ ପରିବାର ଚଳାଉଥିବା ଏହି ଲୋକଙ୍କ ପାଖରେ ପଇସାପତ୍ର ନଥିବାରୁ ରୋଷେଇ କରିପାରୁନାହାନ୍ତି। କୌଣସି ଅନୁଷ୍ଠାନ ତରଫରୁ ରନ୍ଧା ଖାଦ୍ୟ ମିଳିଲେ ଖାଉଛନ୍ତି, ନହେଲେ ଖାଡ଼ା ଉପାସ। କୁରୁଞ୍ଜିପୁର ସରପଞ୍ଚ ଏଭଳି ଅସମୟରେ ସେମାନଙ୍କ ନିକଟରେ ପହଞ୍ଚୁନାହାନ୍ତି ବୋଲି ଅଭିଯୋଗ ହେଉଛି। ପମ୍ପାଲୋ ଓ ତୁରିନ୍ତିରା ପଞ୍ଚାୟତ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ କୁରୁଞ୍ଜିପୁରରେ ପଞ୍ଚାୟତ ଶୋଇପଡ଼ିଛି ବୋଲି ଅଭିଯୋଗ ହେଉଛି। ବିଡିଓ ଆଦିକନ୍ଦ ବେହରୋ ଏହା ସରପଞ୍ଚଙ୍କ ଦାୟିତ୍ବ କହି କାନ୍ଧ ଖସାଇ ଦେଇଥିବା ଏହି ପଞ୍ଚାୟତର ଲୋକେ ଅଭିଯୋଗ କରିଛନ୍ତି।

ଏବେ ଗହୀରରେ କିଛି ମାତ୍ରାରେ ପାଣି ଛାଡ଼ିଛି। ପରିବା ଫସଲର ମୁଣ୍ଡ ଦିଶୁଛି। ମାତ୍ର ଗଛ ସବୁ ପଚି ଯାଇଛି। ସେହିଭଳି ଧାନ କିଆରୀରୁ ପାଣି ଛାଡ଼ୁଛାଡ଼ୁ ହେବାକୁ ଆହୁରି ସପ୍ତାହେ ଲାଗିବ ବୋଲି ଆକଳନ କରାଯାଉଛି। ତେଣୁ କୃଷି ଶ୍ରମିକମାନେ ଆହୁରି ସପ୍ତାହେ ବେରୋଜଗାର ହୋଇ ରହିବେ ଓ ସେମାନଙ୍କ ପରିବାର ଭୋକଉପାସରେ ରହିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।
ଏହା ଭିତରେ ବନ୍ୟା ପ୍ରପୀଡ଼ିତଙ୍କ କରୁଣ କାହାଣୀ ସବୁ ନଜରକୁ ଆସୁଛି। କିଛି ଲୋକ ଗାଁ ଛାଡ଼ି ନଯିବାରୁ ବନ୍ୟା ଘେରରେ ବଡ଼ ଦୟନୀୟ ଭାବେ ଦିନ କାଟିଛନ୍ତି। ରାଜସ ଗରିଆ ଗାଁରୁ ମିଳିଛି ଏମିତି ଏକ କରୁଣ ଚିତ୍ର। ଏକ ହାଇୱା ଡାଲାରେ ଗୋଟିଏ ପରିବାର ଭୋକ ଉପାସରେ ୫ ଦିନ, ୫ ରାତି କାଟିଥିବା ଜଣାପଡ଼ିଛି। ଘଟଣାଟି ଥିଲା ଏମିତି। ଗରିଆ ଗାଁର ସନ୍ତୋଷ ସାହୁ ଜଣେ ହାଇୱା ଚାଳକ।

ବନ୍ୟା ଆସିବ ବୋଲି ଖବର ପାଇବା ପରେ ସେ ଗାଡ଼ି ଧରି ଗାଁକୁ ପିଲାଛୁଆଙ୍କ ପାଖକୁ ପଳାଇଥିଲେ। ବାପାମା’, ସ୍ତ୍ରୀ ଓ ଗୋଟିଏ ଶିଶୁକନ୍ୟାଙ୍କୁ ନେଇ ତାଙ୍କ ସଂସାର। ସେଦିନ ରାତିରେ ଗାଁ ସାରା ଲୋକେ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଗଲେ। କିନ୍ତୁ ଗାଁ ମୁଣ୍ଡ ଉଚ୍ଚା ଜାଗାରେ ସନ୍ତୋଷଙ୍କ ଘର ଥିବାରୁ ସେ ଓ ତାଙ୍କ ପରିବାର ଘର ଛାଡ଼ିଲେ ନାହିଁ। କିନ୍ତୁ ରାତି ୯ଟା ପରେ ହଠାତ୍ ନଈର ଜଳ ଗାଁକୁ ମାଡ଼ିଆସିଲା। ରାଜସ-ଗରିଆ ରାସ୍ତା ବୁଡ଼ିଗଲା। ଚାହୁଁ ଚାହୁଁ ସନ୍ତୋଷଙ୍କ ଘର ବି ବୁଡ଼ିବାକୁ ଲାଗିଲା। ସନ୍ତୋ‌ଷଙ୍କ ପରିବାର ନିହାତି କିଛି ଜିନିଷପତ୍ର ଧରି ଘର ଛାଡ଼ିଲେ ସିନା ଗାଁରୁ ବାହାରିଯିବା ବାଟ ବନ୍ଦ ହୋଇଯାଇଥିଲା। ରାସ୍ତାରେ ବନ୍ୟାପାଣି ପ୍ରଖର ସ୍ରୋତରେ ଛୁଟୁଥିଲା। ତେଣୁ ସନ୍ତୋଷ ଗାଁ ରାସ୍ତାରେ ରଖିଥିବା ହାଇୱା ଡାଲାକୁ ପରିବାର ସହ ଉଠିଗଲେ। ପାଲ ଟାଣି ତଳେ ରହିଲେ। ରାତି ପାହିଲା ବେଳକୁ ଗାଁ ପୂରା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇସାରିଥିଲା। ସବୁପ୍ରକାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏମିତିରେ ପାଖରେ ଯେତିକି ଯାହା ଥିଲା ଖାଇପିଇ ବଡ଼ କଷ୍ଟରେ ସେମାନେ ହାଇୱା ଡାଲାରେ ୫ ଦିନ ଓ ୫ ରାତି କାଟିଥିଲେ। ସେହିଭଳି ଉକ୍ତ ପଞ୍ଚାୟତରେ ବହୁତ ଲୋକ ଗାଁ ମୁଣ୍ଡ ବଜାର‌ରେ କ୍ୟାବିନ୍‌ ଭିତରେ ଦିନ କାଟିଥିବା ଜଣାପଡ଼ିଛି।

ରିଲିଫ ବାଣ୍ଟିଲେ ରାଜନେତା

ଆଜି କଂଗ୍ରେସ ଓ ବିଜେଡି ପକ୍ଷରୁ ବିଭିନ୍ନ ଅଞ୍ଚଳରେ ରିଲିଫ ବଣ୍ଟନ କରାଯାଇଛି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବ୍ଲକ କଂଗ୍ରେସ ସଭାପତି ବଟକୃଷ୍ଣ ରାଉତରାୟ, ବରିଷ୍ଠ ନେତା ବେଣୁଧର ଭୋଇ ପ୍ରମୁଖ ବିଭିନ୍ନ ଗାଁକୁ ଯାଇ ରିଲିଫ ସାମଗ୍ରୀ ବାଣ୍ଟିଥିଲେ। ସେହିପରି ବିଜେଡି ନେତା କମଳ ପାତ୍ରଙ୍କ ନେତୃତ୍ୱରେ ଆଜି କୁରୁଞ୍ଜିପୁର ପଞ୍ଚାୟତରେ ରିଲିଫ ବଣ୍ଟନ କରାଯାଇଛି। ରାଜ୍ୟ ସଭା ସାଂସଦ ମୁନା ଖାଁ, ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟ, କୈଳାସ ପାତ୍ର, ବ୍ଲକ ବିଜେଡି ସଭାପତି କିଶୋର ଜେନା, ଜିଲ୍ଲା ପରିଷଦ ସଭ୍ୟା ସୁକନ୍ୟା ସେଠୀ, ପବିତ୍ର ମୋହନ ପଟେଲ, ଗଙ୍ଗାଧର ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ହରପ୍ରିୟା ଦାସ, ବିଜେଡି ଛାତ୍ର ସଭାପତି ଜ୍ୟୋତିରଞ୍ଜନ ନାୟକ ପ୍ରମୁଖ ରିଲିଫ ବଣ୍ଟା କାର୍ଯ୍ୟରେ ସାମିଲ୍‌ ହୋଇଥିଲେ।

ବ୍ୟାପିଲା ଜ୍ବର, ଝାଡ଼ାବାନ୍ତି

ବନ୍ୟା ଛାଡ଼ିଯିବା ପରେ ଏବେ କିଛି କିଛି ଅଞ୍ଚଳରେ ଜ୍ବର, ଝାଡ଼ାବାନ୍ତି ଭଳି ରୋଗ ବ୍ୟାପିବା ଆରମ୍ଭ ହୋଇଛି। କୂଅ, ପୋଖରୀ ଏପରିକି ନଳକୂପ ଜଳ ବି ବନ୍ୟାଜଳ ପ୍ରଭାବରେ ଦୂଷିତ ହୋଇଯାଇଥିବାରୁ ଏଭଳି ସଂକ୍ରାମକ ରୋଗ ବ୍ୟାପୁଛି। ଗରିଆ ଗାଁର ସଂଧ୍ୟାରାଣୀ ମହାନ୍ତି(୩୫) ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେହିପରି ଟୁଲୁ ପ୍ରଧାନ, ଅନୁ ପ୍ରଧାନ ମଧ୍ୟ ଝାଡ଼ାବାନ୍ତିରେ ପୀଡ଼ିତ ହୋଇଛନ୍ତି। ବହୁ ଲୋକ ଥଣ୍ଡା ଜ୍ବରରେ ପଡ଼ିଛନ୍ତି। ଆଲୋକ ନାୟକ, ବାବୁ ନାୟକ ଓ ପ୍ରମୋଦ ରାଉଳଙ୍କ ସମେତ ଅନେକ ଲୋକ ଥଣ୍ଡା ଜ୍ବରରେ ପଡ଼ିଛନ୍ତି। କିନ୍ତୁ ଏଯାଏ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଅଧିକାରୀ କର୍ମଚାରୀ ଗାଁରେ ପହଞ୍ଚି ନାହାନ୍ତି। କର୍ତ୍ତୃପକ୍ଷ ତୁରନ୍ତ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର