ରେଳମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ବିଧାୟକ: ‘ଛତ୍ରପୁର ରେଳଷ୍ଟେସନ୍‌ ପ୍ଲାଟଫର୍ମକୁ ସଂପ୍ରସାରଣ କରାଯାଉ’

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପୁରାତନ ସହର ଛତ୍ରପୁର ରେଳଷ୍ଟେସନ୍‌ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଜିଲ୍ଲା ସଦରମହକୁମା ଛତ୍ରପୁରର ରେଳଷ୍ଟେସନ୍‌ରେ ଯାତ୍ରୀଙ୍କ ସୁବିଧା ନିମନ୍ତେ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ। ଏହି ଷ୍ଟେସନ୍‌ ଉପରେ ଅଞ୍ଚଳବାସୀଙ୍କ ସମେତ ଆଇଆର୍‌ଇଏଲ୍‌, ଗୋପାଳପୁର ବନ୍ଦର, ଗ୍ରାସିମ କାରଖାନା ଓ ଆଦିତ୍ୟ ବିର୍ଲା ଗ୍ରୁପ୍‌ର କର୍ମଚାରୀମାନେ ମଧ୍ୟ ନିର୍ଭର କରନ୍ତି। କିନ୍ତୁ ଷ୍ଟେସନ୍‌ର ପ୍ଲାଟଫର୍ମ ଛୋଟ ହୋଇଥିବାରୁ ଯାତ୍ରୀଙ୍କୁ ନାନା ସମସ୍ୟା ହେଉଛି। ପ୍ଲାଟଫର୍ମ ବାହାରେ କିଛି ବଗି ରହୁଥିବାରୁ ଯାତ୍ରୀଙ୍କୁ ଟ୍ରେନ୍‌କୁ ଚଢ଼ିବା ଏବଂ ଓହ୍ଲାଇବାରେ ଅସୁବିଧା ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ୨୦୧୮-୧୯ରେ ରେଳବାଇ ବୋର୍ଡ଼ ତରଫରୁ ୮.୭୨ କୋଟି ଟଙ୍କା ମଂଜୁର କରାଯାଇଥିଲା ବୋଲି ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡୀ କହିଛନ୍ତି।

ଏହି ଟଙ୍କା ବିନିଯୋଗରେ ପ୍ଲାଟଫର୍ମ ସଂପ୍ରସାରଣ ସହିତ ନବୀକରଣ କାମ କରାଯିବା କଥା। ହେଲେ ଦୀର୍ଘଦିନ ପରେ ମଧ୍ୟ କାମ ଆରମ୍ଭ ହୋଇ ନାହିଁ। ଏଣୁ ତୁରନ୍ତ କାମ ଆରମ୍ଭ କରିବା ଅନୁରୋଧ କରି ଛତ୍ରପୁର ନାଗରିକ କମିଟି ତରଫରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହାସହିତ ଗଞ୍ଜାମ, ହୁମ୍ମା, ରମ୍ଭା ସହ ବ୍ରହ୍ମପୁର ରେଳ ଷ୍ଟେସନ୍‌ର ବିକାଶ ପାଇଁ ଧ୍ୟାନ ଦେବାକୁ ଦାବିପତ୍ର ପ୍ରଦାନ କରାଯାଇଛି। ‌ସେହିପରି ଛତ୍ରପୁର ଷ୍ଟେସନ୍‌ରେ ହାୱଡ଼ା-ଯଶବନ୍ତପୁର ସୁପର୍‌ଫାଷ୍ଟ ଟ୍ରେନ୍‌ ରହଣି, ରମ୍ଭାରେ ହୀରାଖଣ୍ଡ ଏକ୍ସପ୍ରେସ୍‌ ରହଣି ଓ ପ୍ରତ୍ୟେକ ଷ୍ଟେସନ୍‌ରେ ଯାତ୍ରୀଙ୍କ ସୁବିଧା ପାଇଁ ଫୁଟ୍‌ ଓଭର୍‌ବ୍ରିଜ୍‌, ପାନୀୟଜଳ ଓ ଆଲୋକକୀକରଣ ବ୍ୟବସ୍ଥା ଦାବି କରାଯାଇଛି। ପୂର୍ବତନ ବିଧାୟକ ଶ୍ରୀ ରେଡ୍ଡୀ ଦିଲ୍ଲୀରେ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ଦାବି ଉପସ୍ଥାପନ କରିଛନ୍ତି। ଏହି ସମସ୍ୟା ସମାଧାନ ପାଇଁ ନାଗରିକ କମିଟି ତରଫରୁ ଇଂ.ଆର୍‌.ସି ପଟ୍ଟନାୟକ, ଆଇନଜୀବୀ ବି.ଶ୍ରୀନିବାସଙ୍କ ସମେତ ଅନ୍ୟମାନେ ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର