ଆଇଆଇଏମ୍ ଓ କର୍କଟ ହସ୍ପିଟାଲକୁ ମାଗଣା ଜମି

ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ୍‌ ଅନ୍ତର୍ଗତ ଚଣ୍ଡୀହତା (ଇନ୍‌ଫୋସିଟି-୨) ମୌଜାରେ ବାଗ୍‌ଚୀ ଶ୍ରୀଶଙ୍କର କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ ଓ ବାଗ୍‌ଚୀ କରୁଣାଶ୍ରୟ ପାଲିଆଟିଭ୍ କେୟାର ସେଣ୍ଟର ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ୪୦ ଏକର ଜମି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ଅନୁଷ୍ଠାନକୁ ୨୦ଏକର ଲେଖାଏଁ ଜମି ଆବଣ୍ଟନ ହୋଇଛି। ଏଥିପାଇଁ ଦୁଇଟି ସଂସ୍ଥା ରାଜ୍ୟ ସରକାରଙ୍କୁ ବାର୍ଷିକ ଜମି ଭଡ଼ା ଓ ସେସ୍‌ ବାବଦକୁ ୧ଟଙ୍କା ଲେଖାଏଁ ଦେବେ।

ଏହାସହ ଏହି ଦୁଇଟି ଅନୁଷ୍ଠାନ ନାମରେ ଲିଜ୍ ଦଲିଲ୍‌ ସମ୍ପାଦନ ନିମନ୍ତେ ଆବଶ୍ୟକୀୟ ଷ୍ଟାମ୍ପ୍‌ ଦେୟ ଓ ନିବନ୍ଧନ ଫି’ ୨କୋଟି ୯୨ଲକ୍ଷ ୧୧ହଜାର ଟଙ୍କାକୁ ବି ଛାଡ଼ କରାଯାଇଛି। ‌

ସେହିପରି ସମ୍ବଲପୁର ଜିଲ୍ଲାର ସମ୍ବଲପୁର ତହସିଲ୍‌ ଅନ୍ତର୍ଗତ କାଲାମାତି ମୌଜାରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ନିମନ୍ତେ ବିନା ଦେୟରେ ଓ ବିନା ଆନୁଷଙ୍ଗିକ ଦେୟରେ ୧୮.୨୩ଏକର ଜମି ଆବଣ୍ଟନ ହୋଇଛି। କିନ୍ତୁ ଜମି ଭଡ଼ା ବାବଦରେ ଏକର ପିଛା ବାର୍ଷିକ ୧୦୦ଟଙ୍କା ହିସାବରେ ଏବଂ ସେସ୍‌ ବାବଦରେ ବାର୍ଷିକ ଜମି ଭଡ଼ାର ୭୫% ହିସାବରେ ଲିଜ୍ ମଞ୍ଜୁରୀ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସରକାରୀ ରାଜକୋଷକୁ ଦେୟ ଏବଂ ଆନୁଷଙ୍ଗିକ ଦେୟ ବାବଦରେ ଅଣପୌନପୁନିକ ମୋଟ୍‌ ୪କୋଟି ୨୧ଲକ୍ଷ ୩୧ହଜାର ୩୫୩ ଟଙ୍କା ଏବଂ ଜମି ଭଡ଼ା ଓ ସେସ୍‌ ବାବଦରେ ପୌନପୁନିକ ମୋଟ୍‌ ୬ଲକ୍ଷ ୬୭ହଜାର ୮୦ଟଙ୍କା କ୍ଷତି ସହିବାକୁ ପଡ଼ିବ।

ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।

ସମ୍ବନ୍ଧିତ ଖବର