ବନ୍ଦ ହୋଇଯିବ ସରକାରଙ୍କ ମାଗଣା ଟ୍ରମା ଚିକିତ୍ସା!

‌‌‌ଶେଷ ହେବାକୁ ବସିଲାଣି ସରକାରୀ ଅନୁଦାନ, ପରିବହନ ବିଭାଗକୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ଗୋଲଡେନ୍ ଆୱାର୍‌ (ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା)ରେ ଚିକିତ୍ସା ଯୋଗାଇବା ପାଇଁ ସରକାର ୩ଟି ଘରୋଇ ହସ୍ପିଟାଲ‌ରେ ମାଗଣା ଟ୍ରମା ଚିକିତ୍ସାର ବ୍ୟବସ୍ଥା କରିଛନ୍ତି। ‌ଯୋଜନା ଆରମ୍ଭ ହେବାର ୬ ମାସ ଭିତରେ ୭ଶହରୁ ଊର୍ଧ୍ବ ବ୍ୟକ୍ତି ଚିକିତ୍ସା ସୁବିଧା ପାଇଛନ୍ତି। ହେଲେ ମାଗଣା ଚିକିତ୍ସା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଦିଆଯାଇଥିବା ଟଙ୍କା ଏବେ ପ୍ରାୟ ଶେଷ ହେବାକୁ ବସିଛି। ଏଥିପାଇଁ ପାଣ୍ଠି ‌ଯୋଗାଇଦେବା ଲାଗି ପ୍ରାୟ ମାସେ ତଳେ ପରିବହନ ବିଭାଗକୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ। ହେଲେ ଏ ପର୍ଯ୍ୟନ୍ତ ପରିବହନ ବିଭାଗ ପକ୍ଷରୁ କୌଣସି ଉତ୍ତର ଦିଆଯାଇନାହିଁ। ଗୋଟିଏ ପଟେ ସୁପ୍ରିମକୋର୍ଟ କମିଟି ରାଜ୍ୟରେ ଦୁର୍ଘଟଣାକୁ ନେଇ ଚିନ୍ତା ପ୍ରକଟ କରୁଥିବା ବେଳେ ଦୁର୍ଘଟଣାଜନିତ ମୃତ୍ୟୁକୁ କମାଇବା ପାଇଁ ସରକାର ଆରମ୍ଭ କରିଥିବା ସେବା ଏବେ ବନ୍ଦ ହେବାର ଆଶଙ୍କା ପ୍ରକାଶ ପାଇଛି।

୬ ମାସରେ ସେବା ପାଇଛନ୍ତି ୭ଶହରୁ ଊର୍ଧ୍ବ ଲୋକ
ଆହୁରି ୬ ହସ୍ପିଟାଲରେ ଚିକିତ୍ସା ପାଇଁ ପ୍ରସ୍ତାବ

jang.com.pk

ସଡ଼କ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ଲାଗି ଗତବର୍ଷ ସେପ୍ଟେମ୍ବରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ରାଜଧାନୀର ଆପୋଲୋ, ଆମ୍ରି ଓ କଟକର ଅଶ୍ବିନୀ ହସ୍ପିଟାଲରେ ଟ୍ରମା ଚିକିତ୍ସାର ସୁବିଧା ଥିବାରୁ ଟ୍ରମା ପାଣ୍ଠିରେ ମାଗଣା ଚିକିତ୍ସା ବା ଏଫ୍‌ଟିଟିଏଫ୍‌ ଯୋଗାଇ ଦିଆଯିବାକୁ ଘୋଷଣା କରାଯାଇଥିଲା। ଏଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ୪କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଚିକିତ୍ସା ଆରମ୍ଭ ହେବା ପରେ ହସ୍ପିଟାଲ କର୍ତୃପକ୍ଷଙ୍କୁ ପରବର୍ତୀ ସମୟରେ ବିଲ୍ ଅନୁସାରେ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିଲା। ପରେ ଏହି ଯୋଜନା ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସଂପ୍ରସାରିତ ହୋଇଥା’ନ୍ତା। ତେବେ ସଡ଼କ ପରିବହନ ପାଣ୍ଠିରୁ ସ୍ବାସ୍ଥ୍ୟ ବିଭାଗକୁ ମିଳିଥିବା ଟଙ୍କା ଏବେ ପ୍ରାୟ ଶେଷ ହେବା ପର୍ଯ୍ୟାୟ‌ରେ। ପୂର୍ବରୁ ଚିକିତ୍ସା ବାବଦରେ ହସ୍ପିଟାଲଗୁଡ଼ିକୁ ୩ କୋଟି ଟଙ୍କା ପ୍ରଦାନ ହୋଇସାରିଥିବା ବେଳେ ଏବେ ୧କୋଟି ଟଙ୍କା ସ୍ବାସ୍ଥ୍ୟ ବିଭାଗ ପାଖରେ ରହିଛି। ହେଲେ ନିକଟ ଅତୀତରେ ହସ୍ପିଟାଲଗୁଡ଼ିକରୁ ପ୍ରାୟ ୧ କୋଟି ଟଙ୍କାର ବିଲ୍‌ ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହସ୍ପିଟାଲଗୁଡ଼ିକୁ ବିଲ୍ ପଇଠ ପ୍ରକ୍ରିୟାର ଆରମ୍ଭ ହୋଇଛି। ବିଲ୍‌ ପଇଠ ହେବା ପରେ ଟ୍ରମା ଚିକିତ୍ସା ପାଣ୍ଠି ସଂପୂର୍ଣ୍ଣ ଖାଲି ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ତୁରନ୍ତ ଟଙ୍କା ପ୍ରଦାନ କରିବା ପାଇଁ ପରିବହନ ବିଭାଗକୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ। ଏହାସହ ଉକ୍ତ ଚିଠିରେ ଆହୁରି ୬ଟି ହସ୍ପିଟାଲକୁ ଏଥିରେ ସାମିଲ କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ରାଜଧାନୀରେ ଥିବା ହାଇଟେକ୍, କିମ୍‌ସ ଓ ସମ୍‌ ମେଡିକାଲ କଲେଜ, କେୟାର ହସ୍ପିଟାଲ, ସନସାଇନ୍ ଓ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ଏଥିରେ ସାମିଲ କରାଯିବା ପାଇଁ କୁହାଯାଇଛି। ନୂଆ ଭୁବନେଶ୍ବର ଅଞ୍ଚଳରେ ପ୍ରାୟ ୨ଟି ହସ୍ପିଟାଲ ଅନୁବନ୍ଧିତ ହୋଇଥିବା ବେଳେ ରାଜଧାନୀର ଅନ୍ୟ ସ୍ଥାନରେ କୌଣସି ହସ୍ପିଟାଲ ଏହି ତାଲିକାରେ ପୂର୍ବରୁ ନ ଥିଲା। ତେଣୁ ରାଜଧାନୀର ପ୍ରାୟ ସବୁ ସ୍ଥାନରେ ଟ୍ରମା ଚିକିତ୍ସା ଥିବା ହସ୍ପିଟାଲକୁ ଏଥିରେ ସାମିଲ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାସହ ଦକ୍ଷିଣ ଓଡ଼ିଶାରେ ଦୁର୍ଘଟଣାର ‌ଶିକାର ହେଉଥିବା ବ୍ୟକ୍ତିଙ୍କ ଲାଗି ବିଶାଖାପାଟଣାର ଟ୍ରମା ଚିକିତ୍ସା ଥିବା କୌଣସି ହସ୍ପିଟାଲ ଅନୁବନ୍ଧିତ କରାଯିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ହେଲେ ପରିବହନ ବିଭାଗ ପକ୍ଷରୁ ଏ ବାବଦରେ କୌଣସି ଉତ୍ତର ଦିଆଯାଇନାହିଁ। ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଟ୍ରମା ଚିକିତ୍ସା ପାଣ୍ଠିକୁ ତୁରନ୍ତ ଅର୍ଥ ଯୋଗାଇଦେବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରିବହନ ବିଭାଗକୁ ଚିଠି ଦିଆଯାଇଛି। ଯଦି ଠିକ୍ ସମୟରେ ପାଣ୍ଠିକୁ ଟଙ୍କା ନ ଦିଆଯାଏ, ତେବେ ଘରୋଇ ହସ୍ପିଟାଲଗୁଡ଼ିକରେ ଏହି ମାଗଣା ଚିକିତ୍ସା ବନ୍ଦ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ଏହାସହ ପ୍ରସ୍ତାବିତ ହସ୍ପିଟାଲଗୁଡ଼ିକୁ ଅନୁମୋଦନ କରାଗଲେ ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକମାନେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଦେଶରେ ସର୍ବାଧିକ ସଡ଼କ ଦୁର୍ଘଟଣା ହେଉଥିବା ରାଜ୍ୟ ଭିତରେ ଓଡ଼ିଶା ରହିଛି। ୨୦୧୮ରେ ଦେଶରେ ସର୍ବାଧିକ ଦୁର୍ଘଟଣା ଓଡ଼ିଶାରେ ହୋଇଥିଲା। ଏହାସହ ଘାତକ ଦୁର୍ଘଟଣାର ଶିକ‌ାର ହେଉଥିବା ବ୍ୟକ୍ତିଙ୍କ ମୃତ୍ୟୁରେ ମଧ୍ୟ ଓଡ଼ିଶା ଅଲୋଡ଼ା ରେକର୍ଡ କରୁଛି। ଏଥିପାଇଁ ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା ସମିତି ଓଡ଼ିଶାକୁ ବାରମ୍ବାର ଭର୍ତ୍ସନା କରିବାକୁ ପଛାଉ ନାହାନ୍ତି। ଅପରପକ୍ଷରେ ରାଜ୍ୟ ସରକାର ୨୦୧୮ ମସିହାରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟ୍ରମା କେନ୍ଦ୍ର ଖୋଲିବା ପାଇଁ ଘୋଷଣା କରିଛନ୍ତି। ହେଲେ ବ‌ାସ୍ତବରେ ଏହା କେବଳ ଘୋଷଣ‌ାରେ ସୀମିତ ରହିଯାଇଛି। ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ ଦୀର୍ଘଦିନ ହେବ ଟ୍ରମା କେୟାର ଖୋଲିବା ପାଇଁ ଯୋଜନା ହୋଇଛି। ଏଥିପାଇଁ ଜାଗା ଚିହ୍ନଟ ହୋଇସାରିଥିଲେ ହେଁ ନିର୍ମାଣ କାର୍ଯ୍ୟ ଆଗେଇ ପାରିନାହିଁ। ପୂର୍ବରୁ ଯେଉଁ ମେଡିକାଲ କଲେଜରେ ଟ୍ରମା କେୟାର କେନ୍ଦ୍ର କାର୍ଯ୍ୟ କରୁଛି, ତହିଁରେ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ଅଭାବ ରହିଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ଘାତକ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କିଭଳି କମିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର