ଓୟୁଏଟି ଫାର୍ମଗେଟ୍‌ ବସ୍ତି ପରିଦର୍ଶନ କଲେ ଜର୍ମାନ ରାଷ୍ଟ୍ରଦୂତ

ଭୁବନେଶ୍ୱର: ଜର୍ମାନ ରାଷ୍ଟ୍ରଦୂତ ଏଚ୍‌.ଇ. ୱାଲଟର ଜେ. ଲିଣ୍ଡେନର  ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରସ୍ଥିତ ଓୟୁଏଟି ଫାର୍ମଗେଟ୍‌ ବସ୍ତି ପରିଦର୍ଶନ କରିବା ସହିତ ହମାରା ବଚପନ୍‌ ଟ୍ରଷ୍ଟ୍‌ ସହାୟତାରେ ବସ୍ତିବାସିନ୍ଦାଙ୍କର ଉନ୍ନତି ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଏକ ସାଧାରଣ ବୈଠକରେ ଯୋଗଦାନ କରି ଜର୍ମାନ ରାଷ୍ଟ୍ରଦୂତ ଏହି ବସ୍ତିରେ ଅବସ୍ଥାନ କରୁଥିବା ମହିଳା, ଶିଶୁ, କିଶୋରକିଶୋରୀ ଓ ଯୁବବର୍ଗଙ୍କ ସହ ଆଲୋଚନା କରିଥିଲେ। ହମାରା ବଚପନ୍ ଟ୍ରଷ୍ଟ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯାହା ୨୦୧୪ ମସିହାରୁ ସହରାଞ୍ଚଳର ବିଭିନ୍ନ ବସ୍ତିରେ ବାସ କରୁଥିବା ଛୋଟ ପିଲାମାନଙ୍କୁ ସୁସ୍ଥ ଓ ନିରାପଦ ପରିବେଶ ଦେବା ଉଦ୍ଦେଶ୍ୟରେ କାର୍ଯ୍ୟ କରିବା ସହ ବସ୍ତିବାସିନ୍ଦାଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି କରିବା ଦିଗରେ ସହାୟତା ପ୍ରଦାନ କରିଆସୁଛି।

ଓୟୁଏଟି ଫାର୍ମଗେଟ୍‌ର ମହିଳାମାନେ ଜର୍ମାନ ରାଷ୍ଟ୍ରଦୂତଙ୍କୁ ପାରମ୍ପରିକ ରୀତିରେ ଭବ୍ୟ ସମ୍ବର୍ଦ୍ଧନା ଦେଇ ସ୍ବାଗତ କରିଥିଲେ। ଏହାପରେ ରାଷ୍ଟ୍ରଦୂତ ଶ୍ରୀ ଲିଣ୍ଡେନର ଛୋଟ ପିଲାମାନଙ୍କର ଖେଳିବା ପାଇଁ ତିଆରି ହୋଇଥିବା ‘ଆମ ଆଡ୍‌ଡା’କୁ ପରିଦର୍ଶନରେ ଯାଇ ପିଲା ଓ ସେମାନଙ୍କର ଅଭିଭାବକଙ୍କ ସହିତ କଥାବାର୍ତ୍ତା କରିଥିଲେ। ଅଭିଭାବକ କରୋନା ପରିସ୍ଥିତିରେ ବସ୍ତି ଭିତରେ ଗଢ଼ି ଉଠିଥିବା ଏହି କ୍ରୀଡ଼ାସ୍ଥଳୀ ପିଲାମାନଙ୍କୁ ଖେଳର ସୁଯୋଗ ଦେବା ସହିତ ସେମାନଙ୍କୁ ନିରାପଦ ରଖିବାରେ ସହାୟକ ହୋଇଛି ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ହମାରା ବଚପନ୍ ସଂସ୍ଥା ତରଫରୁ ପ୍ରତିଷ୍ଠିତ ପିଲା ଓ ଯୁବପିଢ଼ିଙ୍କୁ ଡିଜିଟାଲ ପାଠ୍ୟକ୍ରମର ସୁବିଧା ପ୍ରଦାନ କରିବା ଲାଗି ଉଦ୍ଦିଷ୍ଟ ‘କମ୍ୟୁନିଟି ଡିଜିଟାଲ ଲର୍ଣ୍ଣିଂ ସେଣ୍ଟର’ର ଉଦ୍‌ଘାଟନ ଜର୍ମାନ ରାଷ୍ଟ୍ରଦୂତଙ୍କ ଦ୍ୱାରା କରାଯାଇଥିଲା। ମହାମାରୀ ପରିସ୍ଥିତିରେ ଅନ୍‌ଲାଇନ୍‌ ପାଠ୍ୟକ୍ରମ ବସ୍ତିର ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ଏବଂ ଯୁବବର୍ଗ ଓ ମହିଳାମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିବା ହେଉଛି ଏହି ତାଲିମ କେନ୍ଦ୍ରର ଲକ୍ଷ୍ୟ। ଏହାପରେ ଜର୍ମାନ ରାଷ୍ଟ୍ରଦୂତ ଦୁଇଟି ଡାଳିମ୍ବ ଚାରା ରୋପଣ କରିଥିଲେ।

ପରିଶେଷରେ ଶ୍ରୀ ଲିଣ୍ଡେନର ଏକ ଗୋଷ୍ଠୀସଭାରେ ଯୋଗଦେଇଥିଲେ ଯେଉଁଠାରେ ଶିଶୁ, ଯୁବକ ଓ ମହିଳାମାନେ ସ୍ବାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ ପରେ ହମାରା ବଚପନ ସହ ଜଡ଼ିତ ହେବାର କାହାଣୀ ଓ ଅନୁଭୂତି ଉପସ୍ଥାପନା କରିଥିଲେ। ହମାରା ବଚପନର ଯୁବନେତ୍ରୀ ଓ ଟ୍ରଷ୍ଟି ଶ୍ରଦ୍ଧାଞ୍ଜଳି ପଣ୍ଡା ୨୦୧୪ ମସିହାରୁ ଓୟୁଏଟି ବସ୍ତିର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ସଂସ୍ଥାର ଅବଦାନ ସମ୍ପର୍କରେ ଅବଗତ କରାଇଥିଲେ। ମହିଳା ଉଦ୍ୟୋଗୀ, କିଶୋରୀ ବାଳିକା ଓ ଯୁବପିଢ଼ି ସେମାନଙ୍କର ଭବିଷ୍ୟତର ଲକ୍ଷ୍ୟ ପୂରଣ ଦିଗରେ ସଂସ୍ଥା ତରଫରୁ ଦିଆଯାଉଥିବା ସୁଯୋଗଗୁଡ଼ିକ ବିଷୟରେ ଆଲୋକପାତ କରିଥିଲେ।

ଏହି ଅବସରରେ ହମାରା ବଚପନ୍ ଟ୍ରଷ୍ଟର ପ୍ରତିଷ୍ଠାତ୍ରୀ ଧରିତ୍ରୀ ପଟ୍ଟନାୟକ ଜର୍ମାନ ରାଷ୍ଟ୍ରଦୂତଙ୍କର ଗୋଷ୍ଠୀ ପରିଦର୍ଶନର ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହ ହମାରା ବଚପନ୍ ଦ୍ବାରା ସହରାଞ୍ଚଳର ବସ୍ତିରେ ରହୁଥିବା ଲୋକମାନଙ୍କର ଉନ୍ନତି ଓ ସଶକ୍ତୀକରଣ ନିମନ୍ତେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଉପସ୍ଥାପନା କରିଥିଲେ।

ବସ୍ତି ପରିଦର୍ଶନ ଓ ବସ୍ତିବାସିନ୍ଦାଙ୍କର ଉପସ୍ଥାପନାରେ ସେ ଖୁବ୍‌ ଆନନ୍ଦିତ ବୋଲି ଜର୍ମାନ ରାଷ୍ଟ୍ରଦୂତ ଶ୍ରୀ ଲିଣ୍ଡେନର କହିଥିଲେ। ମହିଳା ଓ କିଶୋରୀ ବାଳିକାମାନେ ଆତ୍ମନିର୍ଭରଶୀଳ ହେବା ଦିଗରେ ହମାରା ବଚପନ୍ ନେଇଥିବା ପଦକ୍ଷେପ ଖୁବ୍‌ ପ୍ରଶଂସାଯୋଗ୍ୟ ଓ ପ୍ରେରଣାଦାୟକ ବୋଲି ସେ ସେମାନଙ୍କୁ ସାଧୁବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମକୁ  ଯୁବନେତ୍ରୀ ଦୀପାଞ୍ଜଳି ସ୍ୱାଇଁ ପରିଚାଳନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଥମ ସଚିବ (ରାଜନୈତିକ) ସାରା ହେଲେଲବର୍ଗ, ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନର ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଜୋନାଲ ଡେପୁଟି କମିସନର ରବି ନାରାୟଣ ସେଠୀ ଓ ପ୍ରସନ୍ନ ରାଉତ, ଜୋନାଲ ଗୋଷ୍ଠୀ ସଂଗଠକ ପ୍ରତାପ ପଟ୍ଟନାୟକ, ଓ୍ୱାର୍ଡମେମ୍ବର କାଲୁ ପଟ୍ଟନାୟକ ଓ ହମାରା ବଚ୍‌ପନ୍ ସଂସ୍ଥାର କର୍ମକର୍ତ୍ତାବୃନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର