ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ: ମାଟିତଳେ ଲୁଚାଇଥିଲେ

ଚିତ୍ରକୋଣ୍ଡା/କାଲିମେଳା: ଯବାନଙ୍କୁ ଆକ୍ରମଣ ପାଇଁ ହୋଇଥିଲା ଷଡ୍‌ଯନ୍ତ୍ର। ଏଥିପାଇଁ ମାଟିତଳେ ଲୁଚାଇରଖିଥିଲେ ଅସ୍ତ୍ରଶସ୍ତ୍ର। ଏହି ଖବର ମିଳିବା ପରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ କାଲିମେଳା ଥାନା କୁର୍ମାନୁର ଜଙ୍ଗଲରେ ଏସ୍‌ଓଜି ଓ ଡିଭିଏଫ୍‌ ଯନାନ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ସର୍ଚ୍ଚ ବେଳେ ଯବାନଙ୍କ ହାତରେ ଲାଗିଛି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ। କୁର୍ମାନୁର ଜଙ୍ଗଲରେ ମାଟି ତଳେ କିଛି ସାମଗ୍ରୀ ପୋତି ରଖିଥିବା କୌଣସି ସୂତ୍ରରୁ ସୁରକ୍ଷା କର୍ମୀଙ୍କ ନିକଟରେ ଖବର ପହଞ୍ଚିଥିଲା। ଗତକାଲି ଏସ୍‌ଓଜି ଏବଂ ଡିଭିଏଫ୍‌ ଯବାନ ମିଳିତ ସନ୍ଧାନ ଆରମ୍ଭ କରିଥିଲେ।

ସୂଚନା ମୁତାବକ ସେହି ସ୍ଥାନରେ ପହଞ୍ଚି ଯାଞ୍ଚ କରିବାରୁ ମାଟି ତଳେ କିଛି ରହିଥିବା ଜଣାପଡ଼ିଥିଲା। ସେହି ସ୍ଥାନକୁ ଖୋଳିବାରୁ ସେଠାରୁ ବିଭିନ୍ନ ମାରଣାସ୍ତ୍ର ଓ ମାଓ ସାମଗ୍ରୀ ମିଳିଥିଲା। ସେଠାରୁ ମିଳିଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ଗୋଟିଏ ଏସ୍‌ବିଏମ୍‌ଏଲ୍‌ ବନ୍ଧୁକ, ବନ୍ଧୁକରେ ବ୍ୟବହୃତ ୧୩ ଟି ପାଇପ୍‌, ୪ ଟି ମାଗାଜିନ ଚାର୍ଜର, ୫ଟି ଗ୍ରେନେଡ୍‌, ୨ଟି ଗ୍ରେନେଡ୍‌ ପାଉଚ୍‌, ଦେଢ଼ ମିଟର ତାର, ୧୭ଟି ଟିଫିନ ଆଇଡି, ୩୯ଟି ଜିଲୋଟିନ ଷ୍ଟିକ୍‌, ଗୋଟିଏ ଖାଲି ଗ୍ୟାସ୍‌ ସିଲିଣ୍ଡର, ୧୨ ଭୋଲ୍ଟର ଗୋଟିଏ ବ୍ୟାଟେରି, ୪ଟି ଆଇରନ୍‌ ଡାଇସ୍‌, ଟର୍ଚ୍ଚ ଲାଇଟ‌୍ ଓ ମାଓ ପୋଷାକ। ବିପୁଳ ପରିମାଣର ମାଓ ସାମଗ୍ରୀ ମିଳିବା ପରେ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

ସୂଚନାଯୋଗ୍ୟ ଗତ କିଛିଦିନ ହେଲା ମାଓବାଦୀ ନିଜ ସଂଗଠନକୁ ଏହି ଅଞ୍ଚଳରେ ପୁଣି ସକ୍ରିୟ କରିବା ପାଇଁ ଯୋଜନା କରୁଥିବା ପୁଲିସ ନିକଟରେ ସୂଚନା ରହିଥିଲା। ଜବତ ସାମଗ୍ରୀ ଗୁଡ଼ିକ ଆନ୍ଧ୍ର-ଓଡ଼ିଶା ବୋର୍ଡର କମିଟି ମାଓ ସଂଗଠନ ପକ୍ଷରୁ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ପୁଲିସ ଅନୁମାନ କରୁଛି।

ସମ୍ବନ୍ଧିତ ଖବର