ମାଓ ଦମନ: ପୁଣି ଫୋକସ୍‌ରେ କନ୍ଧମାଳ, ତିନି ସୁରକ୍ଷା ବାହିନୀର ମିଳିତ ସମୀକ୍ଷା

ଫୁଲବାଣୀ : ମାଓବାଦୀଙ୍କୁ ଦମନ କରିବା ପାଇଁ ପୁଣିଥରେ କନ୍ଧମାଳ ଉପରେ ଦୃଷ୍ଟିନିବଦ୍ଧ କରାଯାଇଛି। ଆଜି ଜିଲ୍ଲା ସଦର ମହକୁମାସ୍ଥ ଏସ୍‌.ପିଙ୍କ କାର୍ଯ୍ୟାଳୟରେ ଓଡ଼ିଶା ପୁଲିସ, ସିଆର୍‌ପିଏଫ୍‌ ଏବଂ ବିଏସ୍‌ଏଫ ପକ୍ଷରୁ ମିଳିତ ସମୀକ୍ଷା ବୈଠକରେ ସ୍ବତନ୍ତ୍ର ରଣନୀତି ଆପଣାଯାଇଛି।

ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଏସ୍‌ଏଫ୍‌ ଆଇଜି ଧନଞ୍ଜୟ କୁମାର ଶର୍ମା, ଡିଆଇଜି ଧୀରେନ୍ଦ୍ର କୁମାର, ପୁଲିସ ଆଇଜି (ଅପରେସନ୍‌) ଅମିତାଭ ଠାକୁର , ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଡିଆଇଜି ଅନିରୁଦ୍ଧ ସିଂହ, ସିଆରପିଏଫ୍‌ କମାଣ୍ଡାଣ୍ଟ ଆନନ୍ଦ ଝା, କନ୍ଧମାଳ ଏସ୍‌.ପି ଭିନୀତ ଅଗ୍ରୱାଲ ପ୍ରମୁଖ ଯୋଗଦେଇ ମାଓ ଦମନ ରଣକୌଶଳ ନେଇ ଆଲୋଚନା କରିଥିଲେ। ମାଓବାଦୀମାନେ ପ୍ରତିଶୋଧ ନାମରେ ସାଧାରଣ ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି। ଅନ୍ୟପଟେ, ପୁଲିସ ସବୁବେଳେ ଜନସାଧାରଣଙ୍କ ସୁରକ୍ଷା ପାଇଁ କାମ କରୁଛି ବୋଲି ଆଇଜି ଶ୍ରୀ ଠାକୁର ଗଣମାଧ୍ୟମକୁ କହିଥିଲେ। ଏଥିସହିତ, କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ନିପାତ କରିବା ପାଇଁ ସ୍ବତନ୍ତ୍ର ରଣକୌଶଳ ପ୍ରସ୍ତୁତ କରାଯାଉଛି ବୋଲି ସେ ପୁଣିଥରେ ସ୍ପଷ୍ଟ କରିଥିଲେ। ସେହିଭଳି, ବିଏସ୍‌ଏଫ୍‌ ଆଇଜି ଧନଞ୍ଜୟ କୁମାର କହିଥିଲେ ଯେ ତିନି ବାହିନୀ ନିଜ ନିଜ ଭିତରେ ସମନ୍ବୟ ରକ୍ଷା କରି ମାଓ ମୁକାବିଲା ଅପରେସନ୍‌କୁ ତ୍ବରାନ୍ବିତ କରାଯିବ।

ସମୀକ୍ଷା ବୈଠକ ପରେ ବରିଷ୍ଠ ଅଧିକାରୀମାନେ ଗୋଛାପଡ଼ା, ସାଡ଼ିଙ୍ଗିଆ, ବାଲନ୍ଦାପଡ଼ା ଓ ବାଲିଗୁଡ଼ାର କିଛି ମାଓପ୍ରବଣ ଅଞ୍ଚଳରେ ଏରିଏଲ ସର୍ଭେ କରିଥିଲେ।

ସମ୍ବନ୍ଧିତ ଖବର