‘ପରାଜୟ ଭୟରେ ବାଉଳି ହେଉଛି ବିଜେପି’

ଭୁବନେଶ୍ବର : କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ମିଥ୍ୟା ଅଡିଓ ଭାଇରାଲ୍ କରିବା ନେଇ ବିଜେପି ପକ୍ଷରୁ ବିଜେଡିକୁ ଟାର୍ଗେଟ୍ କରାଯାଇଛି। ଏହାର ଜବାବ ରଖିଛି ବିଜେଡି। ଦଳ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପରାଜୟ ନିଶ୍ଚିତ ବୋଲି ଜାଣିଯିବା ପରେ ରାଜ୍ୟ ବିଜେପି ନେତାଙ୍କ ମୁଣ୍ଡ କାମ କରୁନାହିଁ । ସେମାନେ ଔଷଧ ବିକଳରେ ତାଟିଆ କାମୁଡ଼ିଲା ପରି ବାଉଳି ଚାଉଳି ହେଉଛନ୍ତି । ଜଣେ ମହିଳାଙ୍କ ମୁହଁ ଢାଙ୍କି ଟଙ୍କା ବଣ୍ଟା କରାଇବାର ଭିଡ଼ିଓ ଛାଡ଼ି ଏସ୍ଏଚ୍‌ଜି ମା’ମାନଙ୍କୁ ବଦନାମ କରିବାକୁ ବିଜେପି ଯେଉଁ କୁତ୍ସିତ ଚାଲ୍ ଖେଳିଥିଲା ତାହା ବିଫଳ ହୋଇଯିବା ପରେ ଏବେ ସୋସିଆଲ ମିଡ଼ିଆରେ ମିଥ୍ୟା ଅଡ଼ିଓ ଛାଡ଼ିଛନ୍ତି।

ଦଳ ପକ୍ଷରୁ ଆହୁରି କୁହାଯାଇଛି, ରାଜ୍ୟ ବିଜେପି ନେତୃବୃନ୍ଦ ପୁଣିଥରେ ସୋସିଆଲ ମିଡିଆରେ ନିଜ ହାତ ତିଆରି ଏକ ଅଡ଼ିଓ ଛାଡ଼ି ବିଜେଡି ବିରୋଧରେ ସାଇବର ଥାନାରେ ହାସ୍ୟାସ୍ପଦ ଅଭିଯୋଗ ଆଣିଛନ୍ତି । କିଛି ପ୍ରମାଣ ନଥାଇ ସେମାନେ ବିଜେଡି ବିରୋଧରେ ଏଭଳି ମିଥ୍ୟା ଅଭିଯୋଗ ଆଣିଥିବାରୁ ବିଜେପି ଏବେଠୁ କେତେ ହତାଶ ହୋଇପଡ଼ିଲାଣି ତାହା ବୁଝି ହେଉଛି। ବାରମ୍ବାର ଏଭଳି କପୋଳକଳ୍ପିତ ମିଛ ଅଡିଓ କିଏ ତିଆରି କରିଛି ଏବଂ କାହା ପ୍ରରୋଚନାରେ ତିଆରି ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିଯାଉଛି । ତେଣୁ ଲୋକଙ୍କୁ ଅଯଥାରେ ବିଭ୍ରାନ୍ତ ନ କରି ଯଦି ସତ୍‌ସାହାସ ଅଛି ତେବେ ବିଜେପି ନେତାମାନେ ଏଥିରେ ବିଜେଡିର କଥିତ ସମ୍ପୃକ୍ତି ନେଇ ପ୍ରମାଣ ଦିଅନ୍ତୁ। ଆସନ୍ତା ୩ ତାରିଖରେ ଧାମନଗରବାସୀ ବିଜେପିର ଏଭଳି ହୀନ ରାଜନୀତିର ଉଚିତ ଜବାବ ଦେବେ।

ସମ୍ବନ୍ଧିତ ଖବର