ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେଡି ବିରୋଧରେ ପୁଣି ଫେରାଦ ହେଲା ବିଜେପି

ଶାହଙ୍କ ଭାବମୂର୍ତ୍ତିକୁ ମଳିନ କରିବାକୁ ପ୍ରୟାସ କରାଯାଉଥିବା ଅଭିଯୋଗ

ନୂଆଦିଲ୍ଲୀ : ଧାମନଗର ବିଧାନସଭା ଉପନିର୍ବାଚନକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚରମ ‌ସୋପାନରେ ପହଞ୍ଚିଛି। ଶୁକ୍ରବାର ଦିନ ପୁଣି ଥରେ ବିଜେପି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟରେ ବି‌ଜେଡି ବିରୋଧରେ ଅଭିଯୋଗ କରିଛି।

ବିଜେପିର ଅଭିଯୋଗ ହେଲା, କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଥିବା ଭିଡିଓଟି ସଂପୂର୍ଣ୍ଣ ନକଲି। ଭିଡିଓରେ ଶ୍ରୀ ଶାହଙ୍କ ସହ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଏକ ବୈଠକ କରୁଥିବା ଦେଖିବାକୁ ମିଳିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହଙ୍କ ଭାବମୂର୍ତ୍ତିକୁ ମଳିନ କରିବା ପାଇଁ ବିଜେଡି ପକ୍ଷରୁ ଏ ଭଳି ପ୍ରୟାସ କରାଯାଇଛି। ଏହି ଘଟଣାରେ ଆୟୋଗ ତୁରନ୍ତ ହସ୍ତକ୍ଷେପ କରିବାକୁ ବିଜେପିର ଚାରିଜଣିଆ ପ୍ରତିନିଧି ମଣ୍ଡଳୀ ଦ୍ବାରା ନିବେଦନ କରାଯାଇଛି। ବିଜେଡି କାର୍ଯ୍ୟକର୍ତ୍ତାଙ୍କ ନାଁରେ ଏତଲା ଦେବା ପାଇଁ ନିର୍ଦ୍ଦେଶ ଦେବାକୁ ବିଜେପି ଦାବି କରିଛି। ଆଜିର ବିଜେପି ପ୍ରତିନିଧି ମଣ୍ଡଳୀରେ ରାଜୀବ ଚନ୍ଦ୍ରଶେଖର, ଅରୁଣ ସିଂହ, ଅନୀଲ ବାଲୁନୀ ଏବଂ ଓମ୍‌ ପାଠକ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର