ସୁବର୍ଣ୍ଣପୁର ଓ ବୌଦ୍ଧରେ ପୁଣି ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ: ସୁବର୍ଣ୍ଣପୁର ଓ ବୌଦ୍ଧରେ ପୁଣି ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ

ମୁଖ୍ୟମନ୍ତ୍ରୀଙ୍କର କଥା କମ୍‌, କାମ ବେଶି, ବିରୋଧୀଙ୍କର କଥା ବେଶି, କାମ କମ୍‌

ସୋନପୁର/ ଡୁଙ୍ଗୁରିପାଲି/ବୌଦ୍ଧ/ହରଭଙ୍ଗା: ବିଜେଡିର ଷ୍ଟାର୍‌ ପ୍ରଚାରକ ଭି.କେ. ପାଣ୍ଡିଆନ ରବିବାର ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାକୁ ନିର୍ବାଚନ ପ୍ରଚାରରେ ଆସି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି। ଏହି ଅବସରରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। ୨ କୋଟି ଚାକିରି ଓ ଦୁଇଗୁଣ ଏମ୍‌ଏସ୍‌ପି ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଥିଲେ। ବି‌ରୋଧୀଙ୍କ କଥା ବେଶି, କାମ କମ୍‌। କିନ୍ତୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା କମ୍‌, କାମ ବେଶି ବୋଲି କହିଥିଲେ। ସୋନପୁର ନିର୍ବାଚନମଣ୍ଡଳୀର ସିଆଲି ଓ ବୀରମହାରାଜପୁର ନିର୍ବାଚନମଣ୍ଡଳୀରେ କଇରାଝୁଲିଠାରେ ନିର୍ବାଚନୀ ସଭାରେ ଶ୍ରୀ ପାଣ୍ଡିଆନ କହିଥିଲେ, ମୁଖ୍ୟମନ୍ତ୍ରୀ ସେବାରେ ବିଶ୍ବାସ କରନ୍ତି। ଲୋକଙ୍କ ଅସୁବିଧାକୁ ନିଜ ଅସୁବିଧା ଭାବି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଅନ୍ତି। କିନ୍ତୁ ବିରୋଧୀ ଦଳ ଲୋକଙ୍କ ସ୍ବାର୍ଥ ଅପେକ୍ଷା ନିଜ ସ୍ବାର୍ଥ ଉପରେ ଅଧିକ ଗୁରୁତ୍ବ ଦିଅନ୍ତି। ନିର୍ବାଚନ ଆସିଲେ ସେମାନେ ପର୍ଯ୍ୟଟକ ଭଳି ଆସନ୍ତି, ବଡ଼ ବଡ଼ କଥା କୁହନ୍ତି। ମିଠା ମିଠା ପ୍ରତିଶ୍ରୁତି ଦିଅନ୍ତି। ଶଙ୍ଖ ଚିହ୍ନକୁ ଓଡ଼ିଶାର ପ୍ରଗତିର ଚିହ୍ନ ଭାବରେ ଅଭିହିତ କରି ଶ୍ରୀ ପାଣ୍ଡିଆନ କହିଲେ, ବିଜେଡି ରାଜ୍ୟର ବିକାଶ ପାଇଁ ସମର୍ପିତ ଭାବେ କାମ କରିଚାଲିଛି।

ବିକାଶ ସଂପର୍କରେ ସୂଚନା ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ, ବୀରମହାରାଜପୁରରେ ୩୦୦୦ କୋଟି ଟଙ୍କାର ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଚାଲିଛି। ଉଲୁଣ୍ଡା, ସୁବଳୟା ଓ ବୀରମହାରାଜପୁରକୁ ଏନ୍‌ଏସି ମାନ୍ୟତା ମିଳିଛି। ପାତାଳୀ ଶ୍ରୀକ୍ଷେତ୍ର ପାଇଁ ୨୮ କୋଟି ଟଙ୍କା ଦିଆଯାଇଛି। ବୀରମହାରାଜପୁର ସହିତ ତାଙ୍କ ସଂପର୍କ ବିଷୟରେ ସେ କହିଥିଲେ, ବିନିକାରୁ ହିଁ ସେ ତାଙ୍କ ଚାକିରି ଜୀବନର ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ପରେ ସୋନପୁର ନିର୍ବାଚନମଣ୍ଡଳୀର ବିନିକା ବ୍ଲକ୍‌ ସିଆଲିଠାରେ ଆୟୋଜିତ ସଭାରେ ଯୋଗଦେଇ ସେ କହିଥିଲେ, ନିର୍ବାଚନ ସରିଲେ ଆମେ ଆସିବୁ ଓ ପୁଣି ହିସାବ ଦେବୁ। ଡୁଙ୍ଗୁରିପାଲି ଓ ରାମପୁରକୁ ଏନ୍‌ଏସି ମାନ୍ୟତା ଦିଆଯାଇଛି। ସୁବର୍ଣ୍ଣମେରୁ, ରାମେଶ୍ବର ଓ ସୁରେଶ୍ବରୀ ମନ୍ଦିର ପାଇଁ ୫.୪୦ କୋଟି ଟଙ୍କା, ଭୀମଭୋଇ ସମାଧି ପୀଠର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା, ଅଙ୍ଗ ଜଳସେଚନର ସଂପ୍ରସାରଣ ପାଇଁ ୨୩୧ କୋଟି ଟଙ୍କା, ଚୂଡ଼ାଖାଇ ପାହାଡ଼ର ସୌନ୍ଦର୍ଯ୍ୟୀକରଣ ପାଇଁ ୧ କୋଟି ଟଙ୍କା, ପୂଜା ଡୁଙ୍ଗୁରିର ବିକାଶ ପାଇଁ ୧ କୋଟି ଟଙ୍କା, ତରଭା ବାରପାହାଡ଼ ବିକାଶ ପାଇଁ ୫୦ ଲକ୍ଷ ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ। ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇ, ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ଏବଂ ନିରଞ୍ଜନ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ବୌଦ୍ଧ ଜିଲ୍ଲା ପୁରୁଣାକଟକ ମହୋତ୍ସବ ପଡ଼ିଆରେ ଅନୁଷ୍ଠିତ ସାଧାରଣ ସଭାରେ ଶ୍ରୀ ପାଣ୍ଡିଆନ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ବିଧାୟକ ପ୍ରାର୍ଥୀ ପ୍ରଦୀପ ଅମାତଙ୍କୁ ବିଜୟୀ କରିବାକୁ ନିବେଦନ କରିଥିଲେ। ଗତ ବର୍ଷ ଜୁଲାଇ ମାସରେ ଆସି ଅଭିଯୋଗ ଶୁଣାଣି କରି ଯେଉଁସବୁ ଦରଖାସ୍ତ ନେଇଥିଲେ ସେଥିରୁ କେତେ କାମ ହୋଇଛି ତା’ର ହିସାବ ରଖିବାକୁ ଆଜି ଆସିଥିବା କହିଥିଲେ। ପୁରୁଣାକଟକକୁ ଏନ୍ଏସି, ବୌଦ୍ଧ ଏନ୍ଏସିକୁ ମ୍ୟୁନିସିପାଲିଟି ମାନ୍ୟତା ପ୍ରଦାନ, ମା’ ଭୈରବୀ ମନ୍ଦିରକୁ ୪କୋଟି ଟଙ୍କା, ଚନ୍ଦ୍ରଚୂଡ଼େଶ୍ବର ମନ୍ଦିରକୁ ସାଢ଼େ ୩କୋଟି ଟଙ୍କା, ମନ୍ଦିର, ମସଜିଦ୍, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ରୂପାନ୍ତରୀକରଣ ପାଇଁ ଅନୁଦାନ ଦିଆଯାଇଥିବା ସେ କହିଥିଲେ। ବିଏସ୍‌କେୱାଇକୁ କେନ୍ଦ୍ରର ବିଜେପି ସରକାର ବନ୍ଦ କରିବା ପାଇଁ ଚକ୍ରାନ୍ତ କରୁଥିବା ଏବଂ ଲକ୍ଷ୍ମୀ ବସ୍ ସେବାକୁ ବିରୋଧ କରୁଥିବା ଅଭିଯୋଗ ବାଢ଼ିଥିଲେ। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୭୫-୮୦ ଭାଗ ଅର୍ଥ ଦେଉଥିବା କହିଥିଲେ। ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ମଧ୍ୟ ତାଙ୍କ ଅଭିଭାଷଣ ରଖିଥିଲେ। ସେହିପରି କଣ୍ଟାମାଳ ନିର୍ବାଚନମଣ୍ଡଳୀର କଣ୍ଟାମାଳସ୍ଥିତ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ସଭାରେ ଶ୍ରୀ ପାଣ୍ଡିଆନ୍‌ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ବିଧାୟକ ପ୍ରାର୍ଥୀ ମହୀଧର ରଣାଙ୍କ ସପକ୍ଷରେ ଭୋଟ୍‌ ଭିକ୍ଷା କରିଥିଲେ।

ସମ୍ବନ୍ଧିତ ଖବର