ଲକ୍ଷ୍ନୌକୁ ହରାଇଲେ ନାରାୟଣ

Narayan lost Lucknow

ଲକ୍ଷ୍ନୌ: ରବିବାରର ରାତି ମ୍ୟାଚ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌)ଠାରୁ ଶୋଚନୀୟ ଭାବେ ୯୮ ରନ୍‌ରେ ହାରିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌। କେକେଆର୍‌ ୨୩୬ ରନ୍‌ର ଲକ୍ଷ୍ୟ ଦେବା ପରେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୨୩ ବଲ୍‌ ପୂର୍ବରୁ ମାତ୍ର ୧୩୭ ରନ୍‌ରେ ଅଲଆଉଟ୍ ହୋଇଯାଇଛି ଲକ୍ଷ୍ନୌ। ଉଭୟ ବ୍ୟାଟ୍ ଓ ବଲ୍‌ରେ ଚମକ ଛାଡ଼ି କୋଲ୍‌କାତାକୁ ଏକତରଫା ବିଜୟ ଉପହାର ଦେଇଛନ୍ତି ଅଲରାଉଣ୍ଡର୍ ସୁନୀଲ ନାରାୟଣ। ବୃହତ୍ ଲକ୍ଷ୍ୟ ଥିବାରୁ ବଡ଼ ସଟ୍ ଖେଳିବା ଲୋଭରେ କେକେଆର୍‌ ବୋଲରଙ୍କୁ ଲକ୍ଷ୍ନୌ ଗୋଟିଏ ପରେ ଗୋଟିଏ ୱିକେଟ୍ ଟେକି ଦେଇ ଶେଷରେ ମ୍ୟାଚ୍ ହାତଛଡ଼ା କରିଥିଲା। ଏକାଦଶ ମ୍ୟାଚ୍‌ରୁ ଅଷ୍ଟମ ବିଜୟ ସହ କେକେଆର୍‌ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନକୁ ଉନ୍ନୀତ ହେବା ସହ ପ୍ଲେ ଅଫ୍‌ର ନିକଟତର ହୋଇଛି। ଅନ୍ୟପକ୍ଷରେ ସେହି ଏକାଦଶ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରିଛି ଲକ୍ଷ୍ନୌ। ନାରାୟଣ (୮୧ ରନ୍, ୧/୨୨) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ରବିବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଟସ୍ ଜିତି ‌କେକେଆର୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ଏହି ଦଳ ପାଇଁ ଏକପ୍ରକାର ବୁମେରାଂ ସାବ୍ୟସ୍ତ ହୋଇଥିଲା। ନାରାୟଣ ଓ ଫିଲ୍ ସଲ୍ଟ (୩୨) ଆରମ୍ଭରୁ ଧମାକାଦାର ବ୍ୟାଟିଂ କରି ଲକ୍ଷ୍ନୌ ବୋଲରଙ୍କୁ ନୟାନ୍ତ କରିଥିଲେ। ଏପରିକି କେକେଆର୍ ମାତ୍ର ୩.୪ ଓଭରରେ ୫୦ ରନ୍ ପୂରଣ କରି ନେଇଥିଲା। ସେହିଭଳି ସଲ୍ଟ ପଞ୍ଚମ ଓଭରରେ ଆଉଟ୍ ହେବା ପୂର୍ବରୁ କେକେଆର୍‌ ସ୍କୋର ବୋର୍ଡରେ ମାତ୍ର ୨୬ ବଲ୍‌ରୁ ୬୧ ରନ୍ ଲାଗିଯାଇଥିଲା। ସେପଟେ ନାରାୟଣ ୨୭ ବଲ୍‌ରୁ ଆଉ ଏକ ଦର୍ଶନୀୟ ଅର୍ଦ୍ଧଶତକ ପୂରଣ କରି ଶତକ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଥିଲେ। ହେଲେ ଘରୋଇ ସ୍ପିନର୍‌ ରବି ବିଷ୍ଣୋଇ ତାଙ୍କୁ ଚତୁରତାର ସହ ବଦଳ ଖେଳାଳି ଦେବଦତ୍ତ ପଡ଼ିକଲଙ୍କ ହାତରେ କ୍ୟାଚ୍ କରାଇ ଲକ୍ଷ୍ନୌକୁ କିଛିଟା ଆଶ୍ବସ୍ତ କରିଥିଲେ। ଅଙ୍ଗକ୍ରିସ୍ ରଘୁବଂଶୀ, ଆନ୍ଦ୍ରେ ରସେଲ, ରିଙ୍କୁ ସିଂହ ଓ ଅଧିନାୟକ ଶ୍ରେୟସ୍ ଆୟର୍ କେହି ବଡ଼ ସ୍କୋର କରି ନଥିଲେ। ହେଲେ ସମସ୍ତେ ୧୪୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍‌ରେ ରନ୍ ସଂଗ୍ରହ କରି ‌କେକେଆର୍ ସ୍କୋର୍‌କୁ ୨୦୦ ରନ୍ ପାର କରାଇ ଦେଇଥିଲେ। ତେବେ ଅସଲ ରନ୍ ଝଡ଼ ଯୁବ ବ୍ୟାଟର୍‌ ରମଣଦୀପ ସିଂହ ସୃଷ୍ଟି କରିଥିଲେ। ମାତ୍ର ୬ ବଲ୍‌ରୁ ତିନିଟି ବିଶାଳ ଛକା ସହ ୨୫* ରନ୍ ଅମଳ କରି କେକେଆର୍ ସ୍କୋର୍‌କୁ ସେ ୨୩୫ରେ ପହଞ୍ଚାଇ ଦେଇଥିଲେ। ଏହା ମଧ୍ୟ ଲକ୍ଷ୍ନୌର ଏକନା ଷ୍ଟାଡିୟମ୍‌ରେ ସର୍ବାଧିକ ଆଇପିଏଲ୍ ସ୍କୋର୍ ଥିଲା। ବାମହାତୀ ଦ୍ରୁତ ବୋଲର ମୋହସିନ୍ ଖାନ୍‌ଙ୍କ ମୁଣ୍ଡରେ ବଲ୍ ବାଜି ପାଳି ଅଧାରୁ ସେ ପ୍ୟାଭିଲିୟନ ଫେରିବା ମଧ୍ୟ ଲକ୍ଷ୍ନୌ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।

ସଂକ୍ଷିପ୍ତ ସ୍କୋର୍: କୋଲ୍‌କାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୨୩୫/୬ (ସୁନୀଲ ନାରାୟଣ ୮୧, ଫିଲ୍ ସଲ୍ଟ ୩୨, ଅଙ୍ଗକ୍ରିସ୍ ରଘୁବଂଶୀ ୩୨, ରମଣଦୀପ ସିଂହ ୨୫*, ନବୀନ-ଉଲ୍‌-ହକ୍ ୩/୪୯, ରବି ବିଷ୍ଣୋଇ ୧/୩୩, ଯୁଦ୍ଧବୀର ସିଂହ ୧/୨୪)। ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ୧୬.୧ ଓଭରରେ ୧୩୭ (ମାର୍କସ ଷ୍ଟୋଇନିସ୍‌ ୩୬, କେଏଲ୍‌ ରାହୁଲ ୨୫, ଆଷ୍ଟନ ଟର୍ଣ୍ଣର ୧୬, ହର୍ଷିତ ରାଣା ୩/୨୪, ବରୁଣ ଚକ୍ରବର୍ତ୍ତୀ ୩/୩୦, ଆନ୍ଦ୍ରେ ର‌ସେଲ ୨/୧, ସୁନୀଲ ନାରାୟଣ ୧/୨୨)।

ସମ୍ବନ୍ଧିତ ଖବର