୫ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଆଗରୁ ୭ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଥିଲେ

୩ ଲୋକସଭା ଆସନରେ ବି ପ୍ରାର୍ଥୀ ବଦଳ ହୋଇଛି

ଭୁବନେଶ୍ବର: ପୁଣି ୫ଟି ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ସେଗୁଡ଼ିକ ହେଲା ଜଳେଶ୍ବର, ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀ। ଏହା ସହ ବାକି ଥିବା ନୀଳଗିରି ଆସନରେ ବି ଦଳ ପ୍ରାର୍ଥୀ ଘୋଷଣା କରିଛି। ଏଠାରେ ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି। ଆଜିର ତାଲିକାକୁ ମିଶାଇ କଂଗ୍ରେସ ମୋଟ ୧୪୫ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ବାକି ଦୁଇଟି ଆସନ ମଧ୍ୟରୁ ବଣାଇ ସିପିଆଇ(ଏମ୍)କୁ ଓ ବୀରମିତ୍ରପୁର ଜେଏମ୍ଏମ୍‌କୁ ଛାଡ଼ି ଦେଇଛି। ଜଳେଶ୍ବରରେ ଦେବୀ ପ୍ରସନ୍ନ ଚାନ୍ଦଙ୍କ ଜାଗାରେ ସୁଦର୍ଶନ ଦାସଙ୍କୁ ଟିକେଟ ମିଳିଛି। ଗତ ଥର ମଧ୍ୟ ସୁଦର୍ଶନ ଏଠାରେ କଂଗ୍ରେସ ଟିକେଟରେ ଲଢ଼ିଥିଲେ। ବରୀରେ ପୂର୍ବତନ ବିଧାୟକ ଦେବାଶିଷ ନାୟକଙ୍କ ଉପରେ ଦଳ ଭରସା କରିଛି। ଏଠାରେ ପୂର୍ବରୁ ଆରତୀ ଦେଓଙ୍କୁ ଟିକେଟ ମିଳିଥିଲା। ଗତକାଲି ଦେବାଶିଷ କଂଗ୍ରେସରେ ମିଶିଲା ପରେ ବରୀରେ ପ୍ରାର୍ଥୀ ବଦଳାଇ ଦିଆଯାଇଛି। ଦେବାଶିଷ କିଛି ଦିନ ତଳେ ବିଜେପିରେ ମିଶିଥିଲେ। କିନ୍ତୁ ଟିକେଟ ନମିଳିବାରୁ ଗତକାଲି ସେ କଂଗ୍ରେସରେ ଯୋଗ ଦେଇଥିଲେ।

ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆଙ୍କ ଜାଗାରେ ହିମାଂଶୁ ଚାଉଳିଆଙ୍କୁ ପ୍ରାର୍ଥୀ କରାଯାଇଛି। ଆଠଗଡ଼ରେ ଦଳୀୟ ପ୍ରାର୍ଥୀ ମେହେବୁବ୍ ଅହମ୍ମଦ ଖାନ୍ ତାଙ୍କ ଟିକେଟ ଫେରାଇ ଦେଇଥିଲେ। ବିଭୂତି ମିଶ୍ରଙ୍କୁ କଟକ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ନ କରିବାରୁ ତାହାର ପ୍ରତିବାଦରେ ସେ ଟିକେଟ ଫେରାଇ ଦେଇଥିଲେ। ଆଜି ତାଙ୍କ ସ୍ଥାନରେ ଆଠଗଡ଼ର ପ୍ରାର୍ଥୀ ଭାବେ ସୁଦର୍ଶନ ସାହୁଙ୍କ ନାମ ଘୋଷଣା କରାଯାଇଛି। ପୁରୀ ବିଧାନସଭା ଆସନରେ ସୁଜିତ ମହାପାତ୍ରଙ୍କ ସ୍ଥାନରେ ଉମାବଲ୍ଲଭ ରଥ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ପୂର୍ବରୁ ୭ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ବଦଳାଇଥିଲା। ସେଗୁଡ଼ିକ ହେଲା ବାରିପଦା, ଖଣ୍ଡପଡ଼ା, କବିସୂର୍ଯ୍ୟନଗର, ଜୟଦେବ, କଣ୍ଟାମାଳ, ବାଲିଗୁଡ଼ା ଓ ତଳସରା। ସେହିପରି ପ୍ରାର୍ଥୀ ବଦଳିଥିବା ୩ ଲୋକସଭା ଆସନ ହେଲା ସମ୍ବଲପୁର, ପୁରୀ ଓ କେନ୍ଦୁଝର।

ସମ୍ବନ୍ଧିତ ଖବର