ବିଜେପି ପକ୍ଷରୁ ‘ବିଶ୍ବବନ୍ଧୁ ଭାରତ’ ବୃତ୍ତିଜୀବୀ ସମ୍ମିଳନୀ

ମୋଦୀଙ୍କ ସମୟରେ ଦେଶରେ ମାନବସମ୍ବଳର ବିକାଶ ହୋଇଛି: ଏସ୍‌. ଜୟଶଙ୍କର

କଟକ: ସମଗ୍ର ବିଶ୍ବରେ ଭାରତର ଏକ ସ୍ବତନ୍ତ୍ର ପରିଚୟ ତିଆରି ହୋଇଛି। ଭାରତ ସହଯୋଗରେ ଏବେ ବହୁ ଆନ୍ତର୍ଜାତିକ ସମସ୍ୟାର ସମାଧନ ହୋଇପାରୁଛି। ଆମେରିକାରୁ ଆରମ୍ଭ କରି ଆଫ୍ରିକା, ଇସ୍ରାଏଲ୍‌ ଓ ଆରବ ପରି ଦେଶମାନେ ଭାରତ ସହିତ ସୁସମ୍ପର୍କ ସ୍ଥାପନ କରିବାକୁ ଆଗେଇ ଆସିଛନ୍ତି। ଭାରତର ବିଭିନ୍ନ କ୍ଷେତ୍ରରେ ସାମର୍ଥ୍ୟ ରହିଛି। ସେସବୁର ବିନିଯୋଗ କରି ଦେଶ ବିକାଶ କରୁଛି। ଦେଶର ଅର୍ଥନୀତିକୁ ବିଶ୍ବ ଦରବାରରେ ଆହୁରି ଆଗକୁ ନେବା ପାଇଁ ଓଡ଼ିଶାରେ ବିଜେପି ସରକାର ଗଠନ ହେବା ଦରକାର ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି।

ମୋଦୀଙ୍କ ସମୟରେ ଦେଶରେ ମାନବସମ୍ବଳର ବିକାଶ ହୋଇଛି: ଏସ୍‌. ଜୟଶଙ୍କର
ଭୁବନେଶ୍ବରରେ ଶାସନ କରୁଥିବା ସରକାର ଓଡ଼ିଆଙ୍କୁ ଚିହ୍ନି ପାରୁ ନାହାନ୍ତି: ଭର୍ତ୍ତୃହରି

ଲିଙ୍କ୍‌ରୋଡସ୍ଥିତ ନିଶାମଣି କନ୍‌ଭେନ୍‌ସନ୍‌ରେ ବିଜେପି ପକ୍ଷରୁ ଆୟୋଜିତ ‘ବିଶ୍ବବନ୍ଧୁ ଭାରତ’ ବୃତ୍ତିଜୀବୀ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଜୟଶଙ୍କର କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ ଦ୍ବାରା ଦେଶରେ ବହୁ ଗୁରୁତ୍ବପୂର୍ଣ୍ଣ ଯୋଜନା ଲାଗୁ ହୋଇଛି। ଏହା ଦ୍ବାରା ଦେଶରେ ମାନବସମ୍ବଳର ବିକାଶ ହୋଇଛି। ପ୍ରତିବର୍ଷ ଦେଶରେ ୮ଟି ନୂଆ ଏୟାରପୋର୍ଟ, ପ୍ରତିଦିନ ୨୮ କିଲୋମିଟର ରାଜପଥ, ୧୪ କିଲୋମିଟରର ରେଳପଥ ସହିତ ବିଗତ ୧୦ ବର୍ଷରେ ୭ ହଜାର ନୂଆ କଲେଜ ପ୍ରତିଷ୍ଠା ହୋଇଛି। ଆସନ୍ତା ୫ବର୍ଷ ମୋଦୀ ସରକାର ଦେଶରେ ଗ୍ୟାରେଣ୍ଟି ସହିତ କାମ କରିବ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ସେ ଆହୁରି କହିଛନ୍ତି, ଭାରତର ସ୍ଥିରତା, ଦୃଢତା ଓ ଆତ୍ମବିଶ୍ବାସକୁ ଦେଖି ବିଶ୍ବର ବହୁ ଦେଶ ଏବେ ଭାରତକୁ ଆଲିଙ୍ଗନ କରିବାକୁ ଚାହିଁ ବସିଛନ୍ତି। ଓଡ଼ିଶାର ଅସ୍ମିତା ଓ ଏହାର ପରିଚୟ, ଜଗନ୍ନାଥ ଓ କୋଣାର୍କ ମନ୍ଦିର ସହିତ ଏହାର ବିସ୍ତୃତ ବେଳାଭୂମି, ମନ୍ଦିରମାଳିନୀ ସହର, କଟକର ତାରକସୀ କାମ, ବାରବାଟୀ ଦୁର୍ଗରେ ରହିଛି। ଓଡ଼ିଶାର ଝିଅ ଦେଶର ରାଷ୍ଟ୍ରପତି ଓ ଓଡ଼ିଶାର ପୁଅ ସିଏଜି ମୁଖ୍ୟ ହୋଇଛନ୍ତି। ମାତ୍ର ଭୁବନେଶ୍ବରରେ ଶାସନ କରୁଥିବା ସରକାର ଓଡ଼ିଆଙ୍କୁ ଚିହ୍ନି ପାରୁ ନାହାନ୍ତି ବୋଲି ସମ୍ମିଳନୀରେ ଯୋଗଦେଇ କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ କହିଥିଲେ। ବିଜେପି ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଚନ୍ଦ୍ରପ୍ରକାଶ ଯୋଶୀ, ବାରବାଟୀ-କଟକ ବିଧାୟକ ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚଦ୍ର ମହାପାତ୍ର, ଚୌଦ୍ୱାର-କଟକ ବିଧାୟକ ପ୍ରାର୍ଥୀ ନୟନ କିଶୋର ମହାନ୍ତି, ସଦର-କଟକ ବିଧାୟକ ପ୍ରାର୍ଥୀ ପ୍ରକାଶ ସେଠୀ, ରାଜ୍ୟ ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି, କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ଦାସ, ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ବିଜେପି ନେତା ଶୁଭେନ୍ଦୁ ମହାନ୍ତ, ଜ୍ୟୋତିରଂଜନ ରାୟଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ, ବିଜେପି କର୍ପୋରେଟର୍‌, ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏହି ଅବସରରେ ସହରର ବୁଦ୍ଧିଜୀବୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ହୋଇଥିଲା।

ସମ୍ବନ୍ଧିତ ଖବର