ଓଡ଼ିଶାରେ ମୋଦୀ: ପଦ୍ମଚିହ୍ନ ଦେଖାଇ ବିମାନବନ୍ଦରରୁ ବାହାରିଲେ

ଆଜି ବ୍ରହ୍ମପୁର, ନବରଙ୍ଗପୁର ଯିବେ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ମୋଦୀ ବାୟୁସେନାର ସ୍ବତନ୍ତ୍ର ବିମାନରେ ରାତି ପ୍ରାୟ ୧୦ଟା‌ ୩୫ରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମୋଦୀଙ୍କୁ ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ଓଡ଼ିଶାକୁ ସ୍ବାଗତ କରାଯାଇଥିଲା। ମୋଦୀ ମଧ୍ୟ ହାତରେ ଏଲ୍‌ଇଡି ‘ପଦ୍ମ ଫୁଲ’ ଦେଖାଇ ଅଭିଭାଦନ ଜଣାଇଥିଲେ। ଏହାପରେ ସ୍ବତନ୍ତ୍ର କାରକେଡ୍‌ରେ ରାଜଭବନକୁ ଯାଇଥିଲେ। ମୋଦୀଙ୍କୁ ଦେଖିବାକୁ ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ପ୍ରଧାନମନ୍ତ୍ରୀ ଆଜି ରାତିରେ ରାଜଭବନରେ ରାତ୍ରିଯାପନ କରିଛନ୍ତି। କାଲି ପୂର୍ବାହ୍ନ ୧୦ଟାରେ ବ୍ରହ୍ମପୁର ନିକଟସ୍ଥ କନିସି ଛକ ଏବଂ ମଧ୍ୟାହ୍ନ ୧୨ଟା ୩୦ରେ ନବରଙ୍ଗପୁରର ଚିକିଲି ଛକ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରିବେ।
ମୋଦୀ ଆଜି ରାତିରେ ଓ ସୋମବାର ସକାଳେ ବିଜେପିର ବରିଷ୍ଠ ନେତୃମଣ୍ଡଳୀ ଓ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବିଜେପି ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ମୋଦୀ ଆଜି ବିମାନବନ୍ଦରରେ ପହଞ୍ଚିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ।

ସମ୍ବନ୍ଧିତ ଖବର