ଦୁର୍ଘଟଣାର କାରଣ ସାଜିଛି ଜାତୀୟରାଜପଥ କଡ଼ ବିଦ୍ୟୁତ୍ ସବ୍‌ଷ୍ଟେସନ୍‌

ଜୟପୁର: ପ୍ରତିଦିନ ଘଟୁଥିବା ବିଭିନ୍ନ ଦୁର୍ଘଟଣାର କାରଣ ସାଜିଛି ଜାତୀୟ ରାଜପଥ କଡ଼ରେ ଥିବା ବିଦ୍ୟୁତ୍ ବିଭାଗର ସବ୍‌ଷ୍ଟେସନ୍‌ । ଏହି ସବ୍‌ଷ୍ଟେସନ୍‌ଗୁଡ଼ିକ ଜୟପୁର ସହରରେ ଯାଇଥିବା ଦୁଇଟି ଜାତୀୟ ରାଜପଥ କଡ଼ରେ କେବଳ ଅଛି ତାହା ନୁହଁ ସହର ମଧ୍ୟ ମୁଖ୍ୟ ରାସ୍ତାର ମଝି ଭାଗରେ ମଧ୍ୟରେ ରହିଛି। ବିଶେଷକରି ଜୟପୁର ଦେଇ ଯାଇଥିବା ଜାତୀୟ ରାଜପଥ ୨୬ର ବୋରିଗୁମ୍ମା ପଟରୁ ଆସିବା ତେବେ ଦେଖ‌ିବାକୁ ମିଳିବ ଜୟପୁର ଆୟକର ଭବନ ପାର୍ଶ୍ବରେ ବିଦ୍ୟୁତ୍ ବିଭାଗର ଏକ ସବ୍‌ ଷ୍ଟେସନ୍ ରହିଛି। ଏବଂ ଏହା ସମ୍ପୂର୍ଣ ରୂପେ ଜାତୀୟ ରାଜପଥର ଜାଗା ମାଡ଼ି ବସିଛି । ଏହାକୁ ଲଗାଇ ଦିନ ସାରା ଟ୍ରକ୍ ମାନେ ରହୁଥ‌ିବାରୁ ଜାତୀୟ ରାଜପଥ ସଙ୍କୁଚିତ ହେଉଛି। ଏହା ସହ ସବଷ୍ଟେସନକୁ ଆସୁଥିବା ବିଦ୍ୟୁତ ଖୁଣ୍ଟ ଓ ବିଦ୍ୟୁତ ଯନ୍ତ୍ରାଂଶ ବି ରାସ୍ତା ପାର୍ଶ୍ବରେ ରହୁଛି। ଫଳରେ ଏହା ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି।

ଏହାପରେ ଖ୍ରୀଷ୍ଟିଆନ୍‌ପେଟା, ଜୟପୁର ଟାଉନ୍ ଥାନା ସମ୍ମୁଖ କଳିଙ୍ଗ ଅଟୋ ସମ୍ମୁଖ, ମହିଳା ମହାବିଦ୍ୟାଳୟ ନିକଟ, ପୂର୍ତ୍ତ ଡାକବଙ୍ଗଳା ନିକଟ, ଗାନ୍ଧୀଛକ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ସମ୍ମୁଖ, ଗାନ୍ଧୀଛକ ପେଟ୍ରୋଲ୍ ପମ୍ପ ନିକଟ, ହାଟପଦା, ଭୁପତ୍ତିସାହି ଛକ, ଭଳି ଜନଗହଳିପୂର୍ଣ ଜାତୀୟ ରାଜପଥ କଡ଼ରେ ଏହି ସବ୍ ଷ୍ଟେସନ୍‌ଗୁଡ଼ିକ ଠିଆ ହୋଇ ରହିଛି। ଜୟପୁର ଟାଉନ୍ ଥାନା ସମ୍ମୁଖରେ ରହିଥ‌ିବା ସବ୍‌ ଷ୍ଟେସନ୍‌ ଆଳରେ ଏଠାରେ ଏକ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ ସୃଷ୍ଟି ହୋଇଛି। ଦିନ ସାରା ସ୍ଥାନୀୟ ବସ୍‌ଗୁଡ଼ିକ ମଧ୍ୟ ଏଠି ରହୁଛନ୍ତି । ଏହାକୁ ଲଗାଇ ଦୋକାନଗୁଡ଼ିକ ରହି ଜାତୀୟ ରାଜପଥକୁ ଜାମ୍ କରିବାରେ କାରଣ ସାଜିଛନ୍ତି । ଏସବୁ ଦେଖିଲେ ବି ଟ୍ରାଫିକ୍ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହିଁ । କେବଳ ଯେ ଜାତୀୟ ରାଜପଥ ୨୬ରେ ଏଭଳି ଅବସ୍ଥା ରହିଛି ତାହା ନୁହଁ, ଜାତୀୟ ରାଜପଥ ୩୨୬ ର ଗାନ୍ଧୀଛକ ଠାରୁ ପାୱାର୍ ହାଉସ୍ ଛକ ଯାଏଁ ଗଲେ ମଧ୍ୟ ଏଭଳି ଦେଖିବାକୁ ମିଳୁଛି । ଏଗୁଡ଼ିକ ଦ୍ବାରା ଜାତୀୟ ରାଜପଥରେ ଯାଉଥିବା ଯାନବାହାନ ଗୁଡ଼ିକ ଯିବା ଆସିବା ବେଳେ ନାନା ସମସ୍ୟା ସୃଷ୍ଟି ହେଉଛି ।

ଜାତୀୟ ରାଜପଥର ଏଭଳି ଅବସ୍ଥା ତାହା ନୁହଁ ବରଂ ଜୟପୁର ସହରର ମୁଖ୍ୟ ରାସ୍ତା ସଦ୍ଦାର ପଟେଲ୍‌ ମାର୍ଗର ଟେଲିକମ୍ ଭବନ ସମ୍ମୁଖ, ମୁଖ୍ୟ ଡାକଘର ସମ୍ମୁଖ ଭଳି ଅତି ଜନଗହଳିପୂର୍ଣ ରାସ୍ତାରେ ଏଭଳି ସବ୍‌ଷ୍ଟେସନ୍‌ ରହିଛି। କିଛି ସ୍କୁଲ୍ ଏବଂ କଲେଜ୍ ନିକଟରେ ମଧ୍ୟ ଏଭଳି ଅଛି। ଯାହାର କୁପରିଣାମ ପିଲାମାନେ ଭୋଗି ଚାଲିଛନ୍ତି । କେତେକ ସବ୍‌ ଷ୍ଟେସନକୁ ଜନଗହଳିରୁ ଉଠାଇବାକୁ ବାରମ୍ବାର ଦାବି ସତ୍ତ୍ୱେ ବିଦ୍ୟୁତ୍ ବିଭାଗ ନ ଶୁଣିବା ଭଳି ରହିଛି। ବିଶେଷକରି ଟାଉନ୍ ଥାନା ଏବଂ ସଦର ଥାନା ସମ୍ମୁଖରେ ରହିଥ‌ିବା ଦୁଇ ସବ୍‌ଷ୍ଟେସନ୍‌କୁ ସ୍ଥାନାନ୍ତର ପାଇଁ ଲୋକେ ବାରମ୍ବାର ଦାବି କରିଛନ୍ତି । କିନ୍ତୁ ବିଭାଗ ଶୁଣୁ ନ ଥିବା ଜଣାଯାଇଛି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ କହିଛନ୍ତି, କମ୍ପାନୀ ପକ୍ଷରୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଗାଇଡ଼୍ ଲାଇନ୍ ଅନୁସାରେ ଡିଟିଆର୍ ବସାଯାଏ। ଯେଉଁ ଗୁଡ଼ିକ ରାସ୍ତା ବା ଜାତୀୟ ରାଜପଥ କଡ଼ରେ ରହିଛି, ସେଗୁଡ଼ିକ ପାଇଁ ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ ବିଭାଗ ପକ୍ଷରୁ ଆମକୁ ଅନୁରୋଧ ଆସେ। ଏହାକୁ ଆଧାର କରି ବିଦ୍ୟୁତ୍ ବିଭାଗ ସବ୍‌ ଷ୍ଟେସନ୍‌ ସ୍ଥାନାନ୍ତର ପାଇଁ ଏକ ବ୍ୟୟ ଅଟକଳ କରାଯାଇ ଜାତୀୟ ରାଜପଥକୁ ଦିଆଯାଏ । ଏଥିରେ ସହମତି ହେଲେ ଜାତୀୟ ରାଜପଥ ଖର୍ଚ୍ଚରେ ସ୍ଥାନାନ୍ତର କରାଯାଏ । ଅନ୍ୟପକ୍ଷରେ ଏଭଳି ପ୍ରକ୍ରିୟାରେ ଜୟପୁର ସମସ୍ୟା କେବ ସୁଧୁରିବ ତାକୁ ନେଇ ପ୍ରଶ୍ନ ଉଠିଛି ।

 

ସମ୍ବନ୍ଧିତ ଖବର