ରବିବାର ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ଭୟଙ୍କର ସାମୁଦ୍ରିକ ଝଡ଼ ‘ରେମାଲ’

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ୨୬ ତାରିଖ (ରବିବାର) ରାତିରେ ପଶ୍ଚିମବଙ୍ଗ ଓ ବାଂଲାଦେଶର ସଂଲଗ୍ନ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହ ୧୩୫ କିଲୋମିଟର ବେଗରେ ଝଟ୍‌କା ପବନ ବହିବାର ସମ୍ଭାବନା ରହିଛି। ଆସନ୍ତା ୨୬-୨୭ ତାରିଖରେ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି।

୨୭-୨୮ ତାରିଖରେ ଉତ୍ତର-ପୂର୍ବ ଭାରତର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଲ୍ୟାଣ୍ଡଫଲ୍‌ ସମୟରେ ଉପକୂଳ ପଶ୍ଚିମବଙ୍ଗ ଓ ବାଂଲାଦେଶର ତଳିଆ ଅଞ୍ଚଳରେ ୧.୫ ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ସହ ଝଡ଼ ତୋଫାନ ସଂପୃକ୍ତ ଅଞ୍ଚଳକୁ ଜଳମଗ୍ନ କରିବାର ସମ୍ଭାବନା ରହିଛି।

ଆସନ୍ତା ୨୭ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗରରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପାଣିପାଗ ବିଭାଗ ସତର୍କ କରାଇଦେଇଛି। ପାଣିପାଗ ବିଭାଗ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲା ଦକ୍ଷିଣ ଓ ଉତ୍ତର ୨୪ ପ୍ରଗଣା ପାଇଁ ମେ ୨୬ ଓ ୨୭ରେ ରେଡ୍‌ ଆଲର୍ଟ ଜାରି କରିଛି, ଯେଉଁଠାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି ଯେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ସାଗର ଦ୍ୱୀପଠାରୁ ପ୍ରାୟ ୩୮୦ କିଲୋମିଟର ଦକ୍ଷିଣରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଲଘୁଚାପ ଶନିବାର ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଉତ୍ତର ଦିଗକୁ ଗତି କରିବ। ରବିବାର ସକାଳ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ସାଗର ଦ୍ୱୀପ ଓ ଖେପୁପଡ଼ା ମଧ୍ୟରେ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ରବିବାର ମଧ୍ୟରାତ୍ରିରେ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ଉତ୍ତର ଭାରତ ମହାସାଗର ଅଞ୍ଚଳରେ ବାତ୍ୟାର ନାମକରଣ ବ୍ୟବସ୍ଥା ଅନୁଯାୟୀ ଚଳିତ ପ୍ରାକ୍‌ ମୌସୁମୀ ଋତୁରେ ବଙ୍ଗୋପସାଗରରେ ଏହା ହେଉଛି ପ୍ରଥମ ବାତ୍ୟା ଏବଂ ଓମାନ ଦ୍ୱାରା ଦିଆଯାଇଥିବା ରେମାଲ ନାମରେ ନାମିତ ହେବ। ପାଣିପାଗ ବିଭାଗ ପକ୍ଷରୁ କୋଲକାତା, ହାଓଡ଼ା, ନଦିଆ ଓ ପୂର୍ବ ମେଦିନୀପୁର ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୨୬-୨୭ ତାରିଖରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।

ପ୍ରବଳ ବର୍ଷା ସହ ହୁଗଲି, ପୂର୍ବ ବର୍ଦ୍ଧମାନ ଓ ପଶ୍ଚିମ ମେଦିନୀପୁର ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ରହିବ। ଦକ୍ଷିଣ ପଶ୍ଚିମବଙ୍ଗର ଅନ୍ୟ ଜିଲ୍ଲାଗୁଡ଼ିକରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ।

ସେହିପରି ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ୨୬ରୁ ୨୭ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବ ଏବଂ ୨୭ ତାରିଖରେ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପଶ୍ଚିମବଙ୍ଗର ଦକ୍ଷିଣ ଏବଂ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ସ୍ଥାନୀୟ ବନ୍ୟା ଏବଂ ସମ୍ବେଦନଶୀଳ ନିର୍ମାଣ, ବିଦ୍ୟୁତ୍‌ ଓ ଯୋଗାଯୋଗ ଲାଇନ୍‌, କଚ୍ଚା ରାସ୍ତା, ଫସଲ ଏବଂ ବଗିଚାରେ ବ୍ୟାପକ କ୍ଷୟକ୍ଷତି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଦେଇଛି।

ସମ୍ବନ୍ଧିତ ଖବର