ନରସଂହାର, ଜନବିରୋଧୀ ସରକାର ବିରୋଧରେ ଗର୍ଜିଲେ ନକ୍ସଲ

୨୬ରେ ବନ୍ଦଡାକରା ଦେଲେ ନକ୍ସଲ

ମାଲକାନଗିରି: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି ନକ୍ସଲ। ଚଳିତ ମାସ ୨୬ ତାରିଖ ଦିନ ବନ୍ଦ ଡାକରା ଦେଇଛନ୍ତି ନକ୍ସଲ। ବନ୍ଦକୁ ପାଳନ କରିବାକୁ ବହୁ ସ୍ଥନରେ ପୋଷ୍ଟର ଏବଂ ବ୍ୟାନର ମାରି ଲୋକଙ୍କୁ ସମର୍ଥନ କରିବାକୁ ଆହ୍ବାନ ଦେଇଛନ୍ତି। କୋରପୋରେଟରମାନଙ୍କୁ ସୁବିଧା ପହଞ୍ଚାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏ ଅଂଚଳର ଜଳ, ଜଂଗଲ ଓ ଜମିକୁ ଅକ୍ତିଆର କଲେଣି। ଏଥିସହ ନରେନ୍ଦ୍ର ମୋଦୀ, ଅମିତ ସାହା ଏବଂ ବିଷ୍ଣୁଦେବ ସାଏଙ୍କ ବିରୋଧରେ ସ୍ବରତ୍ତୋଳନ କରିଛନ୍ତି। ଏମାନେ ହିଁ କୋରପୋରେଟିକରଣ ଏବଂ ସୈନିକରଣ କରୁଛନ୍ତି ବୋଲି ନକ୍ସଲ ଅଭିଯୋଗ କରିଛନ୍ତି।

ଜଳ, ଜଂଗଲ, ଜମି, ଅଧିକାର ଓ ପରିବେଶକୁ ବଞ୍ଚାଇବା ପାଇଁ ଲଢେଇ ଜାରି ରହିବ। ବସ୍ତରରେ ଲଗାତାର ଚାଲିଥିବା ନହସଂହାର ଓ ହତ୍ୟାକାଣ୍ଡକୁ ବିରୋଧ କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।ତେବେ ବନ୍ଦ ପୂର୍ବରୁ ସୁକମା ଏବଂ ଦନ୍ତେଵାଡା ଜିଲ୍ଲାର ବହୁ ସ୍ଥାନରେ ରାସ୍ତା କାଟି ଦେଇଛନ୍ତି ନକ୍ସଲ। ଏଥିସହ ସୁକମାର ଭେଜ୍ଜି ଠାରେ ପୁଲିସ ଉପରେ ଗୁଳି ଚଳାଇଛନ୍ତି ନକ୍ସଲ। ଏଠାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଚାଲିଛି।

ସେହିପରି ବିଜାପୁରରେ ମଧ୍ୟ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନମୟ ଚାଲିଛି। ବିଜାପୁର ଜିଲ୍ଲାର ପିଡିଆରେ ପୁଲିସ ନକ୍ସଲ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୧୨ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ଏଥିରେ ଦଶ ଜଣ ଗ୍ରାମବାସୀ ବୋଲି ନକ୍ସଲ କହିବା ସହ ଏହି ବନ୍ଦ ଡାକରା ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ବିରୋଧୀ ବୋଲି ବ୍ୟାନର ଓ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ଜନଯୁଦ୍ଧକୁ ତୀବ୍ରତର କରିବାକୁ ନକ୍ସଲ ଆହ୍ବାନ ଦେଇଛନ୍ତି। ପୁଲିସ ତରଫରୁ ବନ୍ଦକୁ ନେଇ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ପ୍ରାୟ ୨୦୦୦ ଯବାନ ଜଂଗଲରେ ଏବେ ନକ୍ସଲଙ୍କୁ ଖୋଜୁଛନ୍ତି। ଗୁଇନ୍ଦାକୁ ସଜାଗ ରଖାଯାଇଛି। ଅନ୍ୟଦିଗରେ ମାଲକାନଗିରିରେ ଏହି ବନ୍ଦକୁ ନେଇ ପୁଲିସ ସଜାଗ ରହିଛି।ନକ୍ସଲ ପଡୋଶୀ ରାଜ୍ୟରେ ହିଂସା ଘଟାଇ ମାଲକାନଗିରି ଜିଲ୍ଲାରେ ପ୍ରବେଶ କରିବାର ଆଶଂକା ଥିବାରୁ ସୀମାରେ ମଧ୍ୟ ମାଲକାନଗିରି ପୁଲିସ ତରଫରୁ କୁମ୍ବିଂ ଆରମ୍ଭ କରାଯାଇଛି। ସୀମାକୁ ସିଲ କରିଦିଆଯିବା ସହ ଯାନବାହାନ ଯାଞ୍ଚ କରାଯାଉଛି।

ସମ୍ବନ୍ଧିତ ଖବର