କଙ୍ଗାରୁକୋର୍ଟ: ଗାଁ ଛାଡ଼ି ଦେଢ଼ବର୍ଷ ହେଲା ଯାତ୍ରୀନିବାସରେ ରହୁଛନ୍ତି ୨୦ ପରିବାର

ହାତ ଟେକିଦେଇଛି ଜିଲ୍ଲା ପ୍ରଶାସନ, ଭରସା ଛାଡ଼ିଲେଣି ଲୋକେ

ଓଡ଼ଗାଁ : ନୟାଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମରେ ଆଜି ବି କଙ୍ଗାରୁକୋର୍ଟର ଶିକାର ହେଉଛନ୍ତି ଅନେକ ପରିବାର। ଉଜୁଡ଼ି ଯାଉଛି ଧନ ସଂପତ୍ତି ଓ ଗାଁ ଛାଡ଼ୁଛନ୍ତି ଅଧିକାଂଶ ପରିବାର। ବିଶେଷ କରି ଗ୍ରାମାଞ୍ଚଳରେ ଏଭଳି ଘଟଣାମାନ ଘଟୁଥିବା ଦେଖିବାକୁ ମିଳୁଛି। ଓଡ଼ଗାଁ ବ୍ଲକ୍ ଶରଣକୁଳ ଥାନା ଅନ୍ତର୍ଗତ ଜାକେଡ଼ା ଗ୍ରାମର ହରିଜନ ସମୁଦାୟର ଲୋକମାନେ ଦେଢ଼ବର୍ଷ ହେଲା ଗାଁ ଛାଡ଼ି ବାରଦୁଆର ବୁଲୁଛନ୍ତି। ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଶେଷରେ ହାତ ଟେକି ଦେଇଥିବା କୁହାଯାଉଛି। ଏବେ ଲୋକମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଜାକେଡ଼ା ଗ୍ରାମରେ ହରିଜନ ସମୁଦାୟର ଲୋକ ଓ ସାଧାରଣ ବର୍ଗର ଲୋକଙ୍କ ମଧ୍ୟରେ ଗ୍ରାମର କୋଠ ସମ୍ପତି, ମାଛ ଭାଗବଣ୍ଟା, ଆମ୍ବତୋଟା ଓ କାଜୁ ଜଙ୍ଗଲର ଆୟକୁ ନେଇ ବାଦବିବାଦ ଦେଖାଦେଇଥିଲା। ଗ୍ରାମର ୨୭ଟି ହରିଜନ ପରିବାରକୁ ସାମିଲ୍‌ ନ କରି ଗ୍ରାମବାସୀ ସବୁ ସଂପତ୍ତି ଉପଭୋଗ କରି ଆସୁଥିଲେ। ଏହାକୁ ହରିଜନ ସମୁଦାୟର ଲୋକେ ବରଦାସ୍ତ ନ କରି ସମସ୍ତଙ୍କୁ ସମାନ ନ୍ୟାୟ ଦେବାକୁ ଦାବି କରିଥିଲେ। କିନ୍ତୁ ନିଜ ଜିଦ୍‌ରେ ଗ୍ରାମବାସୀ ଅଟଳ ରହିଥିଲେ। ଗଣ୍ଡଗୋଳ କ୍ରମେ ଉଗ୍ରରୂପ ଧାରଣ କରିଥିଲା। ଗ୍ରାମବାସୀ ହରିଜନମାନଙ୍କୁ ଗାଁ ମନ୍ଦିରରେ ପ୍ରବେଶ କରାଇ ନ ଦେବା ଓ କୋଠଘର ନିର୍ମାଣ ଆଦି ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇ ଅପହରଣ ଓ ଗଣ୍ଡଗୋଳ ସୃଷ୍ଟି ହେବା ପରେ ଥାନାରେ ମାମଲା ପହଞ୍ଚିଥିଲା। ଥାନାରେ ମାମଲା ପହଞ୍ଚିବା ପରେ ଜାକେଡ଼ା ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇଉଠିଥିଲେ। ହରିଜନମାନଙ୍କୁ ଗାଁରେ ପୂରେଇ ଦେବେନି ବୋଲି ନିଷ୍ପତ୍ତି ନେଇଥିଲେ। ଫଳରେ ୨୦ଟି ହରିଜନ ପରିବାରର ୮୦ରୁ ଅଧିକ ସଦସ୍ୟ ଗାଁ ଛାଡ଼ି ପ୍ରଥମେ ଶିଖରପୁର ପରେ ନୟାଗଡ଼ ପାଣିପୋଇଲା ଏବଂ ଶେଷରେ ଭୁବନେଶ୍ୱର ପିଏମ୍‌ଜି ଛକରେ ଧାରଣା ଦେଇଥିଲେ।

ଗତବର୍ଷ ନଭେମ୍ବର ମାସ ୨୬ ତାରିଖରେ ଜିଲ୍ଲା ପ୍ରଶାସନ ଧାରଣାକାରୀଙ୍କୁ ନୟାଗଡ଼ ଫେରାଇଆଣି ଶରଣକୁଳ ଥାନା ପଛପାଖ ଯାତ୍ରୀ ନିବାସରେ ସମସ୍ତଙ୍କୁ ରଖି ଶରଣକୁଳ ପଞ୍ଚାୟତ ତରଫରୁ ସେମାନଙ୍କୁ ଖାଦ୍ୟପେୟ ପ୍ରଦାନ କରାଯାଇଥିଲା। ପ୍ରଶାସନର ପ୍ରତିଶ୍ରୁତିର ଦୀର୍ଘ ଦେଢ଼ବର୍ଷ ପରେ ସମସ୍ୟାର କୌଣସି ସମାଧାନ ହୋଇପାରି ନ ଥିବାରୁ ଏବେ ପର୍ଯ୍ୟନ୍ତ ୨ଟି ହରିଜନ ପରିବାର ସେମାନଙ୍କ ଛୁଆପିଲାଙ୍କୁ ଧରି ଯାତ୍ରୀନିବାସରେ ରହି ଆସୁଛନ୍ତି। ନିଜ ଗ୍ରାମକୁ ଫେରିବାର କୌଣସି ବ୍ୟବସ୍ଥା ଏ ପର୍ଯ୍ୟନ୍ତ କରାଯାଇନାହିଁ। ଛୋଟଛୋଟ ପିଲାମାନେ ଦେଢ଼ ବର୍ଷ ଧରି ବିଦ୍ୟାଳୟ ନ ଯାଇ ପାଠପଢା ଛାଡ଼ିଛନ୍ତି। ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନଠାରୁ ବାରମ୍ବାର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ପଦ୍ମ ଘୁଞ୍ଚିଘୁଞ୍ଚି ଯିବା ନ୍ୟାୟରେ କିଛି ବି ସମାଧାନ ହୋଇପାରିନାହିଁ। ଅନୁସୂଚିତ ଜନଜାତି ନିର୍ଯାତନା ନିବାରଣ ନିୟମାବଳି ୧୯୯୫ ଧାରା ୧୫ ମୁତାବକ ଅନ୍ୟତ୍ର ଥଇଥାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ଦାବିପତ୍ର ଦିଆଯାଇଛି। ଯଦି ଆସନ୍ତା ସାତ ଦିନ ମଧ୍ୟରେ ସମସ୍ୟାର କିଛି ସମାଧାନର ବାଟ ନ ବାହାରେ ତେବେ ଓଡିଶା ଆଦିବାସୀ ସୁରକ୍ଷା ମଞ୍ଚ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବ ବୋଲି ସୁରକ୍ଷା ମଞ୍ଚର ଉପସଭାପତି ଦେବରାଜ ନାୟକଙ୍କ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର