ଶ୍ରୀମନ୍ଦିର ପ୍ରକଳ୍ପର ଶିଳାନ୍ୟାସ କଲେ ଗଜପତି ମହାରାଜ, ଆଜି ଓଡ଼ିଶା ପାଇଁ ସ୍ମରଣୀୟ ଦିନ କହିଲେ ମୁଖ୍ୟମନ୍ତ୍ରୀ 

ପୁରୀ: ବେଦପାଠ, ସଂକୀର୍ତ୍ତନ, ହରିବୋଲ ଧ୍ଵନିରେ ଶ୍ରୀମନ୍ଦିର ପ୍ରକଳ୍ପର ଶିଳାନ୍ୟାସ ସ୍ଥାପନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଗଜପତି ମହାରାଜା ଶିଳାନ୍ୟାସ କରିଛନ୍ତି | ସେହିପରି ୩ ଦିନ ଧରି ଚାଲିଥିବା ଯଜ୍ଞରେ ଆଜି ପୂର୍ଣ୍ଣାହୁତି ଦିଆଯାଇଛି । ଗଜପତି ମହାରାଜ ପୂର୍ଣ୍ଣାହୁତି ଓ ଶିଳାନ୍ୟାସ କରିଥିବା ବେଳେ ପ୍ରକଳ୍ପ କାର୍ଯ୍ୟର ମଡେଲକୁ ମୁଖ୍ୟମନ୍ତ୍ରୀ ଅନାବରଣ କରିଛନ୍ତି |

ଶ୍ରୀଜଗନ୍ନାଥଧାମ ପୁରୀ ସହିତ ଅବଶିଷ୍ଟ ବିଶ୍ବକୁ ଯୋଡିବା ତଥା ଭକ୍ତ-ଭଗବାନଙ୍କ ମଧ୍ୟରେ ଦୂରତା ହ୍ରାସ କରି ଶ୍ରୀକ୍ଷେତ୍ରକୁ ସର୍ବଶ୍ରେଷ୍ଠ ଧାର୍ମିକ ତଥା ଐତିହ୍ୟ କ୍ଷେତ୍ରରେ ପରିଣତ କରିବା ଲାଗି ନିଆଯାଉଥିବା ପଦକ୍ଷେପର ଏକ ଗୁରୁତ୍ବପୂର୍ଣ୍ଣ  ଅଂଶ ଭାବେ ୩୩୫ କୋଟିର ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଆଜି ଶୁଭାରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ସାରା ଓଡ଼ିଶା ପାଇଁ ଏକ ଐତିହାସିକ ଦିନ | ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ପାଇଁ ଆଜି ଏକ ସ୍ମରଣୀୟ ଦିନ |

ଶିଳାନ୍ୟାସ ପରେ ପରିକ୍ରମା ମାର୍ଗ ନିର୍ମାଣ କାମ ଆରମ୍ଭ କରିବ ଟାଟା ପ୍ରକଳ୍ପ । ୧୮ ମାସ ମଧ୍ୟରେ କାମ ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୩୩୧କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଶ୍ରୀମନ୍ଦିର ଚାରିପାଖ ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ପ୍ରତିଷ୍ଠା ହେବ ପରିକ୍ରମା ମାର୍ଗ ତଥା ଐତିହ୍ୟ କରିଡର । ଏଥିପାଇଁ ଉଚ୍ଛେଦ ପ୍ରକ୍ରିୟା ପ୍ରାୟ ୯୫ ପ୍ରତିଶତ ଶେଷ ହୋଇଛି । ଏହି ଅବସରରେ ପ୍ରକଳ୍ପ ଲାଗି ମୁଖ୍ୟମନ୍ତ୍ରୀ ଜମିଦାନ କରିଥିବା ୧୦ ଜଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ମୁଖ୍ୟମନ୍ତ୍ରୀ ପୁରୀଗସ୍ତ ଶେଷ କରି ଭୁବନେଶ୍ବର ଫେରିବା ରାସ୍ତାରେ ବିଜେପିର କିଛି କର୍ମୀ ହସ୍ପିଟାଲ ଛକରେ ତାଙ୍କ କାରକେଡ୍ ଉପରକୁ ଅଣ୍ଡା ଫିଙ୍ଗିବ‌ା ଉଦ୍ୟମ କରିଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିବାକୁ ଉଦ୍ୟମ କରି ବିଜେପି ଯୁବ ମୋର୍ଚ୍ଚା ଏବଂ ଛାତ୍ର କଂଗ୍ରେସର କିଛି କର୍ମୀ ପୁଲିସ ଦ୍ବାରା ଅଟକ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର