ଆଫ୍ରିକୀୟ ସିଂହ ଗୁହା ମଧ୍ୟକୁ ଡେଇଁବାକୁ ଉଦ୍ୟମ କରୁଥିବା ଯୁବକଙ୍କୁ ଉଦ୍ଧାର କଲେ ହାଇଦ୍ରାବାଦ ଚିଡ଼ିଆଖାନା କର୍ମଚାରୀ

ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ‘ନେହେରୁ ଜୁଲୋଜିକାଲ୍‌ ପାର୍କ’ରେ ଆଫ୍ରିକୀୟ ସିଂହ ବାସ କରୁଥିବା ଗଡ଼ଖାଇ ବା ପରିଖା ପରିସର ପାଖକୁ ଚାଲିଯାଇଥିବା ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ଚିଡ଼ିଆଖାନାର କର୍ମଚାରୀମାନେ ଉଦ୍ଧାର କରିଛନ୍ତି।

ପରେ ଚିଡ଼ିଆଖାନାର ଅଧିକାରୀମାନେ ୩୧ ବର୍ଷିୟ ଜି. ସାଇ କୁମାର ନାମକ ସେ ବ୍ୟକ୍ତି ଉଦ୍ୟମ କରୁଥିବା ଦୁଃସାହସର ଭିଡିଓ ରିଲିଜ୍‌ କରିଥିଲେ। ଅତି ଶୀଘ୍ର ଉକ୍ତ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଯାଇଥିଲା। କ‌ୌଣସିମତେ କୁମାର ଗଡ଼ଖାଇକୁ ବେଢ଼ିଥିବା ଗୋଟାଏ ପ୍ରକାଣ୍ଡ ଶିଳାଖଣ୍ଡ ଶୀର୍ଷରେ ପହଞ୍ଚି କିଛି ସମୟ ପାଇଁ ବସିଥିବା ବେଳେ ତଳୁ ପିଞ୍ଜରା ଖୋଲାଥିବା ଗୋଟାଏ ସିଂହ ତାଙ୍କୁ ଅପଲକ ନେତ୍ରରେ ଚାହିଁ ରହିଥିଲା।

Image Courtesy of India Today

ଜଣେ ବ୍ୟକ୍ତି ‘ସିକ୍ୟୁରିଟି ଏନ୍‌କ୍ଲୋଜର୍‌’ ପାର ହୋଇ ଜଣେ ବ୍ୟକ୍ତି ପରିଖା ପାଖକୁ ଯିବା ଦେଖି ଚିଡ଼ିଆଖାନା ବୁଲି ଆସିଥିବା ଅନ୍ୟ ଦେଖଣାହାରିମାନେ ଚିତ୍କାର କରିଥିଲେ। ଲୋକମାନଙ୍କ ପାଟି ଶୁଣି ଚିଡ଼ିଆଖାନାର ପ୍ରହରୀମାନଙ୍କ ମଧ୍ୟରୁ ଦୁଇଜଣ ପ୍ରକାଣ୍ଡ ଶିଳାଖଣ୍ଡ ଉପରକୁ ଚଢ଼ି ସେ ବ୍ୟକ୍ତିଙ୍କୁ ଡାକପକାଇଥିଲେ। ପ୍ରହରୀମାନଙ୍କୁ ଦେଖି କୁମାର ଫେରି ଆସିଥିଲେ। ତୁରନ୍ତ ସେମାନେ କୁମାରକୁ ହାଜତକୁ ନେଇ ପରେ ପୁଲିସକୁ ହସ୍ତାନ୍ତର କରିଦେଇଥିଲେ।

ଏ ସଂକ୍ରାନ୍ତରେ ‌ପ୍ରେସ୍‌ ରିଲିଜ୍‌ ଜାରି କରି ‘ନେହେରୁ ଜୁଲୋଜିକାଲ୍‌ ପାର୍କ’ର କ୍ୟୁରେଟର୍‌ କହିଛନ୍ତି, ଆଜି ଅପରାହ୍ଣ ପ୍ରାୟ ୩.୩୦ରେ ଜଣେ ବ୍ୟକ୍ତି ଆଫ୍ରିକୀୟ ସିଂହ ରହୁଥିବା ପରିଖା ଅଞ୍ଚଳରେ ପଡ଼ିଥିବା ବିପଜ୍ଜନକ ଶିଳାଖଣ୍ଡ ଉପରେ ଯାଉଥିଲେ। ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ ଘୋଷିତ ଉକ୍ତ ଅଞ୍ଚଳରେ ସିଂହମାନେ ପିଞ୍ଜରାରୁ ବାହାରି ବୁଲାବୁଲି କରୁଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିଡ଼ିଆଖାନା କର୍ମଚାରୀମାନେ ଧରି ବାହାଦୁରପୁର ଥାନା ପୁଲିସକୁ ହସ୍ତାନ୍ତର କରିବା ସହ ଏତଲା ଦାଏର କରିଛନ୍ତି।

ସମ୍ବନ୍ଧିତ ଖବର