ଜନପଥ ଲୋକାରଣ୍ୟ: ପାରମ୍ପରିକ ବାଦ୍ୟ, ନୃତ୍ୟରେ କମ୍ପିଲା

ଆକାଶରୁ ଗୋଲାପ ବର୍ଷା, ପେଣ୍ଟିଂ ଦେଲେ ଅର୍ପିତ, ପୁଲିସ ନ ଛା‌ଡ଼ିବ‌ାରୁ ଲୋକ ଅସନ୍ତୋଷ

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଅନୁଷ୍ଠିତ ରୋଡ୍ ସୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବାଗତ ପାଇଁ ବିଜେପି ପକ୍ଷରୁ ପ୍ରାୟ ୫୦ ହଜାର ଲୋକଙ୍କୁ ଯୋଗାଡ଼ କରାଯାଇଥିଲା। ଆଉ ପ୍ରାୟ ୫୦ ହଜାର ମୋଦୀଙ୍କୁ ପାଖରୁ ଦେଖିବା ପାଇଁ ସ୍ବତଃ ଆସିଯାଇଥିଲେ। କେବଳ ଭୁବନେଶ୍ବର ନୁହେଁ, ଉପକଣ୍ଠ ଓ ପଡ଼ୋଶୀ ଜିଲ୍ଲାରୁ ମଧ୍ୟ ଆସି ଜନପଥରେ ଛିଡ଼ା ହୋଇ ରହିଥିଲେ। ବିଳମ୍ବ ହେଲେ କାଳେ ଆଗରେ ଜାଗା ମିଳିବନି ଭାବି କେତେକ ଦିନ ୩ଟାରୁ ଆସିଥିଲେ। ଅନେକ ରୋଡ୍‌ ସୋ’ରେ ମୋଦୀ ଗାଡ଼ିରୁ ଓହ୍ଲାଇ ସାଧାରଣ ଲୋକଙ୍କ ସହ କରମର୍ଦ୍ଦନ କରିବା ନଜିର ଥିବାରୁ ଅନେକଙ୍କର ଆଶା ଥିଲା, ମୋଦୀ ଗାଡ଼ିରୁ ଓହ୍ଲାଇ ଆସିବେ! ହେଲେ ୧ ଘଣ୍ଟା ୧୫ ମିନିଟ ରୋଡ୍‌ ସୋ’ ରେ ସେ ଥରେହେଲେ ଗାଡ଼ିରୁ ଓହ୍ଲାଇଲେ ନାହିଁ। କେବଳ ଗାଡ଼ିରେ ଛିଡ଼ା ହୋଇ ଚାଲିଗଲେ। ଫଳରେ ଅନେକ ସମର୍ଥକ ନିରାଶ ହୋଇଥିଲେ।

ପାରମ୍ପରିକ ବାଦ୍ୟ, ନୃତ୍ୟରେ କମ୍ପିଲା
ଜନପଥରେ ମୋଦୀଙ୍କ ରୋଡ୍‌ ସୋ’ ଯିବାବେଳେ ବାରିକେଡ୍‌ ପଛରେ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ଚାଲିଥିଲା। ତା’ ସହିତ ଜନପଥରେ ଥିବା ୧୨ଟି ମଞ୍ଚରେ ଓଡ଼ିଶୀ, ସମ୍ବଲପୁରୀ, ଗୋଟିପୁଅ, ଘୋଡ଼ାନାଚ ପ୍ରଭୃତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ପାଇକଆଖଡ଼ା, ଲଉଡ଼ିଖେଳ ମଧ୍ୟ ଚାଲିଥିଲା। କେହି କେହି ବେକରେ ଶଗଡ଼ ଚକ ପକାଇ ବୁଲାଉଥିଲା। କେତେକ ଖଣ୍ଡା ଯୁଦ୍ଧ ମଧ୍ୟ କରୁଥିଲେ। ରାମମନ୍ଦିରରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥ ଆଜି ସମଗ୍ର ଓଡ଼ିଶାର ପରିଚୟ ବହନ କରୁଥିଲା।

ଆକାଶରୁ ଗୋଲାପ ବର୍ଷା
ମୋଦୀଙ୍କ ରୋଡ୍‌ ସୋ’ରେ ମଝିରେ ମଝିରେ ଗୋଲପ ପାଖୁଡ଼ା ବର୍ଷା ହେଉଥିଲା। ରଙ୍ଗୀନ କ‌ାଗଜ ସହ ଗୋଲାପ ପାଖୁଡ଼ା ବିଛାଡ଼ି ହୋଇ ପଡ଼ୁଥିଲା। ପ୍ରାୟ ପ୍ରତି ଶହେ ମିଟର ବ୍ୟବଧାନରେ ବିଜେପି କର୍ମୀମାନେ ଏଭଳି ବ୍ୟବସ୍ଥା କରିଥିଲେ। କେତେକ ସମର୍ଥକ ହାତରେ ପଦ୍ମଫୁଲ ଗୁଚ୍ଛ ବି ଧରିଥିଲେ। ମୋଦୀଙ୍କୁ ପଦ୍ମଫୁଲ ଦେଖାଇ ସେମାନେ ସ୍ବାଗତ କରୁଥିବା ଦେଖାଯାଇଥିଲା।

ପେଣ୍ଟିଂ ଦେଲେ ଅର୍ପିତ

ଦୁଇଦିନ ପରିଶ୍ରମ କରି ଜଗନ୍ନାଥଙ୍କୁ ମୋଦୀ ଆଳତି କରୁଥିବା ପେଣ୍ଟିଂ ତିଆରି କରିଥିଲେ ଜାଗମରାର ଅର୍ପିତ ମିଶ୍ର। ୩ଘଣ୍ଟା ଧରି ରାମମନ୍ଦିର ସାମ୍ନାରେ ଛିଡ଼ା ହୋଇ ରହିଥିଲେ। ହାତରୁ ମୋଦୀ ପେଣ୍ଟିଂ ନେବେ କି ନାହଁ ଆଶଙ୍କା ଭିତରେ ଥିଲେ। ‌ଭିଡ଼ ଭିତରେ ଡେଇଁଡେଇଁ ପେଣ୍ଟିଂକୁ ମୋଦୀଙ୍କୁ ଦେଖାଉଥିଲେ। ମୋଦୀଙ୍କ ନଜର ପଡ଼ିବା ପରେ ଗାଡ଼ି ରଖି ପେଣ୍ଟିଂ ଆଣିବା ପାଇଁ ଇସାରା କଲେ। ସୁରକ୍ଷାକର୍ମୀଙ୍କ ହାତରେ ମୋଦୀ ଏହି ପେଣ୍ଟିଂ ନେଇଥିଲେ। ଅପେକ୍ଷାର ଫଳ ମିଠା ହୋଇଥିବାରୁ ଅର୍ପିତଙ୍କ ଖୁସିର ସୀମା ନଥିଲା। ସେହିପରି କଟକରୁ ଆସିଥିବା ବରିଷ୍ଠ ଚିତ୍ରଶିଳ୍ପୀ ରବି ରଥ ମଧ୍ୟ ମୋଦୀଙ୍କର ଏକ ପୋଟ୍ରେଟ୍‌ ଆଙ୍କି ସାଙ୍ଗରେ ନେଇ ଆସିଥିଲେ।

ପୁଲିସ ନ ଛା‌ଡ଼ିବ‌ାରୁ ଲୋକ ଅସନ୍ତୋଷ
ପୁଲିସ ପକ୍ଷରୁ ବାଣୀବିହାର ଓ ମାଷ୍ଟରକ୍ୟାଣ୍ଟିନ ଛ‌କରେ ବନ୍ଦ କରାଯାଇଥିଲା। ଏହାସହ ପୁଲିସ ବିଭିନ୍ନ ଛକରେ ବ୍ୟାରିକେଡ କରି ଲୋକଙ୍କୁ ଅଟକାଇଥିଲା। ଫଳରେ ସତ୍ୟନଗର ସହିଦନଗର ପଟୁ ଆସୁଥିବା ଲୋକ ଅନ୍ୟପଟକୁ ଯାଇପାରି ନଥିଲେ। ବହୁ ବୁଲିବା ପରେ ମଧ୍ୟ ସେମାନଙ୍କୁ ମୋଦୀଙ୍କ ରୋଡ ସୋ’ ହେବାକୁ ଥିବା ରାସ୍ତା ପଟକୁ ଛାଡ଼ା ନଯିବାରୁ ବହୁ ବିଜେପି କର୍ମୀ ଅସନ୍ତୋଷ ପ୍ରକାଶ କରିଥିଲେ।

ଭାଙ୍ଗି ଗଲା ବ୍ୟାରିକେଡ୍
ମୋଦୀଙ୍କ ଏକ ଝଲକ ପାଇବାକୁ ବହୁ ଲୋକ ବାଉଁଶ ବ୍ୟା‌ରିକେଡ ଉପରେ ଚଢ଼ି ଯାଇଥିଲେ। ଅଧିକ ଲୋକ ଚଢ଼ିବାରୁ ବାଉଁଶ ବ୍ୟାରିକେଡ ଓଜନକୁ ସମ୍ଭା‌ଳି ନପାରି ଭାଙ୍ଗି ଯାଇ ରାସ୍ତାରେ ଶୋଇ ଯାଇଥିଲା। ଏଥିଲେ କିଛି ଲୋକ ସାମା‌ନ୍ୟ ଆହତ ହୋଇଥିଲେ।

ଭିଡ଼ରେ ଚୋରଙ୍କ ଦୌରାତ୍ମ୍ୟ, ଧରାପଡ଼ି ଛେଚା ଖାଇଲେ
ରୋଡ୍‌ ସୋ’ର ଭିଡ଼ ମଧ୍ୟରେ ଚୋରଙ୍କ ଦୌରାତ୍ମ୍ୟ ଦେଖା ଯାଇଥିଲା। ଗହଳି ମଧ୍ୟରେ ଚୋରମାନେ ବିଭିନ୍ନ ଲୋକଙ୍କ ଠାରୁ ମୋବାଇଲ, ସୁନାଚେନ୍ ଆଦି ଲୁଟ୍‌ ଉଦ୍ୟମ କରିଥିଲେ। ଏନେଇ ଖାରବେଳନଗର ଥାନାରେ ଏକାଧିକ ଅଭିଯୋଗ ହୋଇଛି। କିଛି ଲୁଟେରା ଚୋରି ଉଦ୍ୟମ କରୁଥିବା ବେଳେ ଧରାପଡ଼ି ଲୋକଙ୍କ ଠାରୁ ଛେଚା ଖାଇଥିଲେ। କିଛି ଦୁର୍ବୃତ୍ତ ମଧ୍ୟ ଗହଳିରେ ମହିଳାଙ୍କୁ ଅସଦାଚରଣ କରି ଛେଚା ଖାଇଥିଲେ। ଜଣେ ଲୁଟେରା ଠାରୁ ୫ଟି ମୋବାଇଲ ଜବତ ହୋଇଥିଲା।

ବାହାରକୁ ବାହାରିବା ବେ‌ଳେ ଅଣନିଶ୍ବାସୀ

ଜନପଥ ଭିତରକୁ ପ୍ରବେଶ ବେଳେ ପୁଲିସ ପକ୍ଷରୁ କଡ଼‌ା ସୁରକ୍ଷା‌ ସହିତ ଶୃଙ୍ଖଳାର ସହ ଧାଡ଼ିକରି ଭିତରକୁ ଛଡ଼ା ଯାଉଥିଲା। କିନ୍ତୁ ରୋଡ୍‌ ସୋ’ ସରିବା ପରେ ବାହାରକୁ ବାହାରିବା ସମୟରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ରୋଡ୍‌ ସୋ’ ସରିବା ପରେ ପୁଲିସର ମଧ୍ୟ ଦେଖା ମିଳି ନଥିଲା। ଫଳରେ ଗହଳିରେ ବହୁ ଛୋଟଛୁଆ, ବୟସ୍କ ଅଣନିଶ୍ବାସୀ ହୋଇଯାଇଥିଲେ।

ଟ୍ରାଫିକ ଜାମ୍
‌ମୋଦୀଙ୍କ ରୋଡ୍‌ ସୋ’ ପାଇଁ ଆଜି ଅପରାହ୍ନ ୨ଟାରୁ ମାଷ୍ଟରକ୍ୟାଣ୍ଟିନ ଛକ ଠାରୁ ବାଣୀବିହାର ପର୍ଯ୍ୟନ୍ତ ଗୋଟିଏ ପା‌ର୍ଶ୍ବ ଓ ୪ଟାରୁ ସଂପୂର୍ଣ୍ଣ ରାସ୍ତାକୁ ବ୍ଲକିଂ କରାଯାଇଥିଲା। ଏହାସହ ଜନପଥକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା। ଫଳରେ କଟକ-ପୁରୀରୋଡ, ରାଜମହଲ ଛକ, ଏଜି ଛକ ଠାରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ରାସ୍ତାରେ ଭିଡ଼ ବଢ଼ି ଅନେକ ସ୍ଥାନରେ ଟ୍ରାଫିକ ସମସ୍ୟା ଜାମ୍‌ ହୋଇଥିଲା।

ଆଳତିରେ ସ୍ବାଗତ
ରାମମନ୍ଦିର ନିକଟରେ ଏକ ଛୋଟିଆ ମଞ୍ଚରେ ମଠା ପିନ୍ଧି କେତେକ ଯୁବକ ବେଦପାଠ କରୁଥିଲେ। ତା’ ସହିତ ଏକ ବଡ଼ ଦୀପ ମଧ୍ୟ ଧରିଥିଲେ। ମୋଦୀ ସେହି ରାସ୍ତା ଦେଇ ଯିବାବେଳେ ସେମାନେ ଆଳତି କରିଥିଲେ। ଆଳତି ସହ ବେଦପାଠ ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର