ବାଣ ବିସ୍ଫୋରଣରେ ଥରିଲା ଲେଖନପୁର: ଜେଜେ ଗୁରୁତର, ନାତୁଣୀ ଆହତ

ଘରର ଆଜ୍‌ବେଷ୍ଟସ୍‌ ଗୁଣ୍ଡ, କାନ୍ଥ ଭୁଶୁଡ଼ିଲା, ନିଆଁ ଝୁଲରେ ଜଳିଗଲା ପାଞ୍ଚ ପାଳଗଦା

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ପଙ୍ଗାରସିଂହ ପଞ୍ଚାୟତ ଅନ୍ତର୍ଗତ ଲେଖନପୁର ଗ୍ରାମରେ ଆଜି ମଧ୍ୟାହ୍ନ ସାଢେ ଗୋଟାଏରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିବାରୁ ଜେଜେ ଗୁରୁତର ହୋଇଥିବା ବେଳେ ନାତୁଣୀ ଆହତ ହୋଇଛନ୍ତି। ପ୍ରଚଣ୍ଡ ବିସ୍ଫୋରଣରେ ୪ବଖରା ଘର ଆଜବେଷ୍ଟସ୍ ଗୁଣ୍ଡ ହୋଇଯାଇଥିବା ବେଳେ କାନ୍ଥ ଭୁଶୁଡ଼ି ପଡ଼ିଛି। ନିଆଁ ଝୁଲରେ ନିକଟରେ ଥିବା ପାଞ୍ଚଟି ପାଳଗଦା ଜଳି ଯାଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସମଗ୍ର ଗାଁ ଥରି ଉଠିଥିଲା। ଖାଲି ଗାଁ ନୁହେଁ ଗାଁ’ଠାରୁ ୫ କିଲୋମିଟର ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଖବରପାଇ ଘଟଣା ସ୍ଥଳରେ ବେଗୁନିଆ ଓ ବାଙ୍କୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବାଘମାରୀ ପୁଲିସ ଓ ଖୋର୍ଦ୍ଧା ଏସ୍‌ଡିପିଓ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ସରଜମିନ୍ ତଦନ୍ତ କରି ଫେରିଛନ୍ତି।

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଲେଖନପୁର ଗ୍ରାମର ଗୌରାଙ୍ଗ ଚରଣ ପଟ୍ଟନାୟକଙ୍କ ଘରେ ଶୁକ୍ରବାର ବାଣ ଭିଡ଼ା ଚାଲିଥିଲା। ଏହି ସମୟରେ ହଠାତ୍ କୌଣସି କାରଣରୁ ବିସ୍ଫୋରଣ ଘଟିଥିଲା। ପ୍ରଚଣ୍ଡ ବିସ୍ଫୋରଣରେ ଘରର ଆଜବେଷ୍ଟସ ଗୁଣ୍ଡ ହୋଇଯାଇଥିବା ବେଳେ ଅନ୍ୟ ଘରେ ଗଚ୍ଛିତ ଆସବାପତ୍ର, ବାଣ, ବାଣ ପ୍ରସ୍ତୁତ ସାମଗ୍ରୀ ବାରୁଦ, ସୁତୁଲି, କାଗଜରେ ନିଆଁ ଲାଗିଯାଇଥିଲା। ନିଆଁ ଛିଟିକି ଆଖପାଖର ପାଞ୍ଚଟି ପାଳଗଦାରେ ନିଆଁ ଲାଗିବା ସହିତ ଶୁଖିଲା ଝାଟିରେ ନିଆଁ ଲାଗିଥିଲା। ବିସ୍ଫୋରଣରେ ଗୌରାଙ୍ଗଙ୍କ ଅଧା ଶରୀର ପୋଡ଼ିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗୌରାଙ୍ଗଙ୍କ ଛୋଟ ନାତୁଣୀ ଏହି ବିସ୍ଫୋରଣରେ ସାମାନ୍ୟ ଆହାତ ହୋଇଛି। ଗୌରାଙ୍ଗକୁ ମେଡିକାଲ ନେବା ପାଇଁ ୧୦୮ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ତାଙ୍କୁ ଏକ ଘରୋଇ ଗାଡ଼ିରେ ଡାକ୍ତରଖାନା ନିଆଯାଇଥିଲା। ଖବର ପାଇ ବାଘମାରୀ ଥାନା ଅଧିକାରୀ ଶମ୍ଭୁନାଥ ନାୟକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ବେଗୁନିଆ ଓ ବାଙ୍କି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅନ୍ୟପଟେ ଖୋର୍ଦ୍ଧା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦିଲୀପ ଦାସ ଘଟଣା ସ୍ଥଳରେ ପହଞ୍ଚି ବିସ୍ଫୋରଣସ୍ଥଳ ବୁଲି ଦେଖିବା ସହିତ ତଦନ୍ତ କରି ଫେରିଛନ୍ତି। ମାତ୍ର ବିସ୍ଫୋରଣ ସଂପର୍କରେ ପୁଲିସ ମୁହଁ ଖୋଲୁ ନାହିଁ। ସୂଚନାଯୋଗ୍ୟ, ଲେଖନପୁର ଗ୍ରାମରେ ବାଣ ଭିଡ଼ା ଚାଲୁଥିବା ବେଳେ ବାରମ୍ବାର ବିସ୍ଫୋରଣ ଘଟି ଧନଜୀବନ ହାନି ହେଉଛି। କେବଳ ଲେଖନପୁର ନୁହେଁ ପାଖ ପଙ୍ଗାରସିଂହ ପଞ୍ଚାୟତର ପଙ୍ଗାରସିଂହ, କଣ୍ଟାବାଡ଼ ଓ ସିକୋରେ ବାଣ ବିସ୍ଫୋରଣ ଘଟି ବହୁ ଧନଜୀବନ ହାନି ହୋଇଛି। ମାତ୍ର ଏନେଇ ପ୍ରଶାସନ ପକ୍ଷରୁ କୌଣସି ‌ପଦକ୍ଷେପ ନିଆଯାଉ ନଥିବା କେତେକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର